୬୦ ଛାତ୍ରୀଙ୍କ ବାଥରୁମ୍ ଭିଡ଼ିଓ ଇଣ୍ଟରନେଟରେ ଲିକ୍ ହେବା ନେଇ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୮ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ | News Room Odisha

୬୦ ଛାତ୍ରୀଙ୍କ ବାଥରୁମ୍ ଭିଡ଼ିଓ ଇଣ୍ଟରନେଟରେ ଲିକ୍ ହେବା ନେଇ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୮ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚଣ୍ଡିଗଡ଼: ମୋହାଲିର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ପ୍ରାୟ ୬୦ ହଷ୍ଟେଲ ଛାତ୍ରୀଙ୍କ ଗାଧୋଉଥିବା ବେଳର ଭିଡିଓ ଇଣ୍ଟରନେଟରେ ଲିକ୍ ହେବା ନେଇ ହଙ୍ଗାମା ସୃଷ୍ଟି ହୋଇଛି । ଏହି ଘଟଣା ପରେ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଇଛି ।

ସେହି ବିଶ୍ବବିଦ୍ୟାଳୟର ହିଁ ଜଣେ ଛାତ୍ରୀ ଏପରି ଭିଡିଓ କରି ଶିମଲାର ଜଣେ ବନ୍ଧୁଙ୍କ ନିକଟକୁ ପଠାଇଥିଲେ। ସେ ଏହି ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ରବିବାର ରାତିରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରୀ ଓ ସେମାନଙ୍କ ପରିବାର ଲୋକ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ହୋହଲ୍ଲା କରିଛନ୍ତି । ଅଭିଯୁକ୍ତ ଛାତ୍ରୀଙ୍କୁ ପୋଲିସ ଗିରଫ କରିଛି ।

ଯେଉଁମାନଙ୍କ ଭିଡିଓ ଭାଇରାଲ ହୋଇଛି ଏବଂ ଯିଏ ଏହାକୁ ଭାଇରାଲ କରିଛି, ସେମାନେ ସମସ୍ତେ ଏମବିଏ ବିଭାଗର ଛାତ୍ରୀ | ଅଭିଯୁକ୍ତ ଛାତ୍ରୀ ଦୀର୍ଘ ଦିନରୁ ନିଜ ସହପାଠିନୀଙ୍କ ଏପରି ଭିଡିଓ ତିଆରି କରୁଥିଲା ଏବଂ ଏହାକୁ ନିଜ ପୁରୁଷ ବନ୍ଧୁଙ୍କ ପାଖକୁ ପଠାଉଥିଲା | ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଜଣେ ଛାତ୍ର ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ହଙ୍ଗାମା ଆରମ୍ଭ ହୋଇଥିଲା |

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତ ଅନ୍ତେବାସୀ ହଷ୍ଟେଲ ଖାଲି କରି ବାହାରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ତେବାସୀ ପୁରା ବିଶ୍ୱବିଦ୍ୟାଳୟକୁ ଘେରି ଯାଇଥିଲେ | ଏହା ଦେଖି ସୁରକ୍ଷା କର୍ମୀମାନେ ବିଶ୍ୱବିଦ୍ୟାଳୟର ଫାଟକ ବନ୍ଦ କରିଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଫୋର୍ସକୁ ଡକାଯାଇଥିଲା। ପୋଲିସ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଛାତ୍ରୀମାନେ ପୋଲିସର ପିସିଆର ଗାଡ଼ିକୁ ଓଲଟାଇ ଦେଇଥିଲେ। ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା | ବିଶ୍ବବିଦ୍ୟାଳୟରେ ଉତ୍ତେଜନା ଦୃଷ୍ଟିରୁ ସେଠାରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।