ଅଗ୍ନିପଥ ନିଯୁକ୍ତି: ତିନି ଦିନରେ ବାୟୁସେନାକୁ ମିଳିଛି ୫୬,୯୬୦ ଆବେଦନ ପତ୍ର | News Room Odisha

ଅଗ୍ନିପଥ ନିଯୁକ୍ତି: ତିନି ଦିନରେ ବାୟୁସେନାକୁ ମିଳିଛି ୫୬,୯୬୦ ଆବେଦନ ପତ୍ର

ନୂଆଦିଲ୍ଲୀ: ଅଗ୍ନିପଥ ନିଯୁକ୍ତି ଯୋଜନା ଅନ୍ତର୍ଗତ ରବିବାର ସୁଦ୍ଧା ଭାରତୀୟ ବାୟୁସେନା ୫୬,୯୬୦ ଆବେଦନ ପତ୍ର ଗ୍ରହଣ କରିଛି | ବାୟୁସେନା ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଏହା ବିରୋଧରେ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନର ଏକ ସପ୍ତାହ ପରେ ଜୁନ୍ ୨୪ରୁ ଏହି ଯୋଜନା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପଞ୍ଜୀକରଣ ଜୁଲାଇ ୫ ଯାଏଁ ଚାଲିବ |

ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ଘୋଷଣା କରି ସରକାର କହିଥିଲେ ଯେ ସାଢ଼େ ୧୭ ରୁ ୨୧ ବର୍ଷ ବୟସର ଯୁବକମାନେ ଏହି ଯୋଜନା ଅଧୀନରେ ତିନି ସେନାରେ ଚାରି ବର୍ଷ ପାଇଁ ନିଯୁକ୍ତି ପାଇବେ । ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ସୈନିକଙ୍କୁ ସ୍ଥାୟୀ କରାଯିବ ।

ଏହି ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଜୁନ୍ ୧୬ରେ ସରକାର ୨୦୨୨ ବର୍ଷ ପାଇଁ ଏହି ଯୋଜନା ଅଧୀନରେ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାକୁ ୨୧ ରୁ ୨୩ ବର୍ଷକୁ ବୃଦ୍ଧି କରିଥିଲେ। ଏହାଛଡ଼ା ଚାରି ବର୍ଷର କାର୍ଯ୍ୟକାଳ ପରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଏବଂ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା କାର୍ଯ୍ୟରେ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ଭଳି ଅନେକ ପଦକ୍ଷେପ ଘୋଷଣା କରାଯାଇଥିଲା |

ବିଜେପି ଶାସିତ ଅନେକ ରାଜ୍ୟ ମଧ୍ୟ ରାଜ୍ୟ ପୋଲିସ ବାହିନୀରେ ନିଯୁକ୍ତି ପାଇଁ ‘ଅଗ୍ନିବୀର’ଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଘୋଷଣା କରିଥିଲେ ।

ସଶସ୍ତ୍ର ବାହିନୀ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ନୂଆ ନିଯୁକ୍ତି ଯୋଜନା ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଏବଂ ପୋଡ଼ାଜଳାରେ ସମ୍ପୃକ୍ତ ଯୁବକଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ।