ତିନି ବିମାନ ଦୁର୍ଘଟଣାଗ୍ରସ୍ତ : ମଧ୍ୟପ୍ରଦେଶରେ ବାୟୁସେନାର ଦୁଇ ବିମାନ କ୍ରାସ୍, ରାଜସ୍ଥାନରେ ଖସିପଡିଲା ଚାର୍ଟାର୍ଡ ପ୍ଲେନ୍ | News Room Odisha

ତିନି ବିମାନ ଦୁର୍ଘଟଣାଗ୍ରସ୍ତ : ମଧ୍ୟପ୍ରଦେଶରେ ବାୟୁସେନାର ଦୁଇ ବିମାନ କ୍ରାସ୍, ରାଜସ୍ଥାନରେ ଖସିପଡିଲା ଚାର୍ଟାର୍ଡ ପ୍ଲେନ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନାରେ ଶନିବାର ଦୁଇଟି ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ବାୟୁସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଦୁଇଟି ବିମାନ ହେଉଛି ସୁଖୋଇ-୩୦ ଏବଂ ମିରାଜ୍ -୨୦୦୦ । କିଛି ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଦୁଇଟି ବିମାନ ସାମରିକ ଅଭ୍ୟାସ ପାଇଁ ଗ୍ବାଲିୟର ଏୟାରବେସରୁ ଉଡ଼ାଣ ଆରମ୍ଭ କରିବା ପରେ ମଝି ଆକାଶରେ ପରସ୍ପର ଧକ୍କା ହୋଇ ଖସି ପଡ଼ିଥିଲେ ।

ତେବେ ଭାରତୀୟ ବାୟୁସେନା କହିଛି ଯେ ଏହି ଦୁଇଟି ବିମାନ ବାୟୁରେ ମୁହାଁମୁହିଁ ଧକ୍କା ହୋଇଛି କି ନାହିଁ ତାହା କେବଳ କୋର୍ଟ ଅଫ୍ ଇନକ୍ୱାରୀରୁ ସ୍ପଷ୍ଟ ହେବ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଖୋଇ-୩୦ରେ ଦୁଇଜଣ ପାଇଲଟ୍ ଥିବାବେଳେ ମିରାଜ୍ -୨୦୦୦ରେ ଜଣେ ପାଇଲଟ୍ ଥିଲେ।

ଦୁର୍ଘଟଣାସ୍ଥଳ ନିକଟରୁ ଦୁଇ ପାଇଲଟଙ୍କୁ ଉଦ୍ଧାର କରାଯାଇଛି ବୋଲି ମୋରେନାର ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। ଏହି ଉଭୟ ପାଇଲଟ ଆହତ ହୋଇଛନ୍ତି। ସେମାନଙ୍କୁ ଗ୍ୱାଲିଅରକୁ ସ୍ଥାନାନ୍ତର କରାଯାଇଛି। ତୃତୀୟ ପାଇଲଟଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ପ୍ରଶାସନ ଏବଂ ପ୍ରତିରକ୍ଷା ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ରାଜସ୍ଥାନର ଭରତପୁରରେ ମଧ୍ୟ ଏକ ବିମାନ କ୍ରାଶ୍ ହେବା ଖବର ରହିଛି । ଗଣମାଧ୍ୟମ ରିପୋର୍ଟରେ ଏହି ବିମାନ ବାୟୁସେନାର ଯୁଦ୍ଧ ବିମାନ ବୋଲି କୁହାଯାଇଛି । କିନ୍ତୁ ଭରତପୁରର ଡିସି ଆଲୋକ ରଂଜନ ଏହା ଏକ ଚାର୍ଟାର୍ଡ ​​ବିମାନ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଜିଲ୍ଲାର ପିଙ୍ଗୋରା ରେଳ ଷ୍ଟେସନ ନିକଟ ଭରତପୁରରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆକାଶରେ ହିଁ ବିମାନରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାରେ ମୃତାହତ ସମ୍ପର୍କରେ କିଛି ସୂଚନା ନାହିଁ । ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।