ଟି-୨୦ ବିଶ୍ୱକପ ପାଇଁ ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି, ବିଜେତା ଦଳକୁ ମିଳିବ ୨୦.୩୬ କୋଟି | News Room Odisha

ଟି-୨୦ ବିଶ୍ୱକପ ପାଇଁ ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି, ବିଜେତା ଦଳକୁ ମିଳିବ ୨୦.୩୬ କୋଟି

ନ୍ୟୁୟର୍କ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇସାରିଛି। ଜୁନ୍ ୨ରୁ ଆରମ୍ଭ ହୋଇଥିବା ଏହି ମେଗା ଇଭେଣ୍ଟ ଜୁନ୍ ୨୯ ପର୍ଯ୍ୟନ୍ତ ଚାଲିବ। ଏଥର ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଛି ଟି-୨୦ ମହାକୁମ୍ଭ । ଟି-୨୦ ବିଶ୍ୱକପ୍‌ରେ ଭାଗ ନେଉଥିବା ଦଳଗୁଡ଼ିକ ଉପରେ ଏଥର ପ୍ରଚୁର ଟଙ୍କା ବର୍ଷା ହେବ । ଆଇସିସି ଏହି ମେଗା ଇଭେଣ୍ଟ ପାଇଁ ସୋମବାର ରେକର୍ଡ ୧୧.୨୫ ମିଲିୟନ ଡଲାର (ପ୍ରାୟ ୯୩.୫୧ କୋଟି) ପୁରସ୍କାର ରାଶି ଘୋଷଣା କରିଛି। ଏଥିମଧ୍ୟରୁ ବିଜେତା ଦଳ ୨.୪୫ ମିଲିୟନ ଡ଼ଲାର (ପ୍ରାୟ ୨୦.୩୬ କୋଟି) ପାଇବ । ବିଜେତା ଦଳ ପାଇଁ ଏହି ପୁରସ୍କାର ରାଶି ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ । ଫାଇନାଲରେ ହାରିଥିବା ଅର୍ଥାତ୍ ରନର୍ ଅପ୍ ଦଳକୁ ମିଳିବ ପ୍ରାୟ ୧୦.୬୪ କୋଟି ଟଙ୍କା ( ୧.୨୮ ମିଲିୟନ୍ ଡଲାର) |

ସେମିଫାଇନାଲରେ ହାରିଥିବା ଦୁଇ ଦଳକୁ ୬.୫୪ କୋଟି ଟଙ୍କା (୭୮୭,୫୦୦ ଡଲାର) ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ। ଏଥର ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି | ପ୍ରତ୍ୟେକ ଦଳକୁ କିଛି ନା କିଛି ଅର୍ଥରାଶି ଦିଆଯିବ | ସୁପର-୮ (ଦ୍ୱିତୀୟ ରାଉଣ୍ଡ)ରୁ ବିଦାୟ ନେଇଥିବା ଦଳ ମାନଙ୍କୁ ୨୮୨,୫୦୦ ଡଲାର (ପ୍ରାୟ ୩.୧୭ କୋଟି ଟଙ୍କା) ଲେଖାଏଁ ପାଇବେ |

ନବମରୁ ଦ୍ୱାଦଶ ସ୍ଥାନ ମଧ୍ୟରେ ରହିଥିବା ଦଳକୁ ୨୪୭,୫୦୦ ଡଲାର୍ (ପ୍ରାୟ ୨୦.୫୭ କୋଟି ଟଙ୍କା) ପାଇବେ | ଏହାଛଡ଼ା ୧୩ ରୁ ୨୦ତମ ସ୍ଥାନରେ ରହିଥିବା ଦଳଙ୍କୁ ୨୨୫,୦୦୦ ଡଲାର୍ (ପ୍ରାୟ ୧.୮୭ କୋଟି ଟଙ୍କା) ସହ ଫେରିବେ | ପୁଣି ପ୍ରତି ମ୍ୟାଚ୍ (ସେମିଫାଇନାଲ ଏବଂ ଫାଇନାଲ୍ ବ୍ୟତୀତ) ଜିତିବା ପାଇଁ ମଧ୍ୟ ସମ୍ପୃକ୍ତ ଦଳକୁ ଅତିରିକ୍ତ ୩୧,୧୫୪ ଡଲାର ପୁରସ୍କାର ରାଶି (ପ୍ରାୟ ୨୫.୮୯ ଲକ୍ଷ ଟଙ୍କା) ମିଳିବ ।

ଟି-୨୦ ବିଶ୍ୱକପ ପୁରସ୍କାର ରାଶି:

• ବିଜେତା: ପ୍ରାୟ ୨୦.୩୬ କୋଟି
• ରନର୍ ଅପ୍: ୧୦.୬୪ କୋଟି
• ସେମିଫାଇନାଲ: ୬.୫୪ କୋଟି
• ଦ୍ୱିତୀୟ ରାଉଣ୍ଡରେ ବିଦା ହେଲେ: ୩.୧୭ କୋଟି
• ୯ ରୁ ୧୨ ତମ ସ୍ଥାନ ପାଇଁ: ୨.୦୫ କୋଟି
• ୧୩ ରୁ ୨୦ ତମ ଦଳ: ୧.୮୬ କୋଟି
• ରାଉଣ୍ଡ-୧ ଓ ରାଉଣ୍ଡ-୨ରେ ବିଜୟ ପାଇଁ: ୨୫.୮୯ ଲକ୍ଷ