'ଆପଣଙ୍କ ନିରବତା ଘୃଣା ସୃଷ୍ଟି କରୁଥିବା ସ୍ୱରକୁ ଉତ୍ସାହିତ କରୁଛି..', ହେଟ୍ ସ୍ପିଚ୍ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଆଇଆଇଏମ୍ ଛାତ୍ର, ଅଧ୍ୟାପକଙ୍କ ଖୋଲା ଚିଠି | News Room Odisha

‘ଆପଣଙ୍କ ନିରବତା ଘୃଣା ସୃଷ୍ଟି କରୁଥିବା ସ୍ୱରକୁ ଉତ୍ସାହିତ କରୁଛି..’, ହେଟ୍ ସ୍ପିଚ୍ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଆଇଆଇଏମ୍ ଛାତ୍ର, ଅଧ୍ୟାପକଙ୍କ ଖୋଲା ଚିଠି

ନୂଆଦିଲ୍ଲୀ: ଦେଶରେ ହେଟ୍ ସ୍ପିଚ୍ ଏବଂ ଜାତି ଭିତ୍ତିକ ହିଂସା ବିରୋଧରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ଛାତ୍ର ଓ ଅଧ୍ୟାପକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ଚିଠିକୁ ଆଇଆଇଏମ୍ ଅହମ୍ମଦାବାଦ ଏବଂ ଆଇଆଇଏମ୍ ବାଙ୍ଗାଲୋରର କିଛି ଛାତ୍ର ଏବଂ ଅଧ୍ୟାପକ/ଅଧ୍ୟାପିକାଙ୍କ ଦସ୍ତଖତ ରହିଛି।

ଚିଠିରେ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଘୃଣା ସୃଷ୍ଟି କରୁଥିବା ସ୍ୱରକୁ ଉତ୍ସାହିତ’ କରୁଛି।

ନିକଟରେ ହରିଦ୍ୱାରରେ ଆୟୋଜିତ ଧର୍ମ ସଂସଦରେ ଲଘୁ ସମ୍ପ୍ରଦାୟ ବିରୋଧରେ ଉତ୍ତେଜନା ମୂଳକ ଭାଷଣ ମାମଲା ସାମ୍ନାକୁ ଆସିଥିଲା। ଧର୍ମ ସଂସଦରେ କେତେକ ହିନ୍ଦୁ ଧାର୍ମିକ ନେତା ଲୋକମାନଙ୍କୁ ମୁସଲମାନମାନଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାଇବାକୁ ଅନୁରୋଧ କରିଥିଲେ ଏବଂ ନରସଂହାର ପାଇଁ ଆହ୍ୱାନ ଦେଇଥିଲେ |

ଧର୍ମ / ଜାତିର ପରିଚୟ ଆଧାରରେ କୌଣସି ସମ୍ପ୍ରଦାୟ ପ୍ରତି ହିଂସା ଆହ୍ବାନ ଗ୍ରହଣୀୟ ନୁହେଁ ବୋଲି ଚିଠିରେ କୁହାଯାଇଛି। ଯଦିଓ ଭାରତୀୟ ସମ୍ବିଧାନରେ ସବୁ ନାଗରିକଙ୍କୁ ନିଜର ଧର୍ମକୁ ସମ୍ମାନର ସହ ପାଳନ କରିବାର ଅଧିକାର ଦିଆଯାଇଛି, ତଥାପି ଦେଶରେ ଭୟର ବାତାବରଣ ରହିଛି। ଏଥିରେ ଲେଖାଅଛି, ‘ଆମ ଦେଶରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଛି – ଗତ କିଛି ଦିନ ହେବ ଚର୍ଚ୍ଚ ସମେତ ଧର୍ମ ସ୍ଥଳ ଗୁଡ଼ିକୁ ଭଙ୍ଗାଯାଉଛି ଏବଂ ଆମର ମୁସଲମାନ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର ଉଠାଇବାକୁ ଆହ୍ବାନ ଦିଆଯାଇଛି।’

୧୩ ଜଣ ଅଧ୍ୟାପକଙ୍କ ସମେତ ଆଇଆଇଏମ୍ ଅହମ୍ମଦାବାଦ ଏବଂ ଆଇଆଇଏମ୍ ବାଙ୍ଗାଲୋରର ୧୮୩ ଜଣ ଛାତ୍ର ଏହି ଚିଠିରେ ଦସ୍ତଖତ କରିଛନ୍ତି।