ଇମ୍ରାନ ଖାନଙ୍କୁ ଝଟକା, ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ | News Room Odisha

ଇମ୍ରାନ ଖାନଙ୍କୁ ଝଟକା, ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ

ଇସଲାମାବାଦ: ଗତକାଲି ନାଟକୀୟ ଢଙ୍ଗରେ ଗିରଫ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ପାର୍ଟିର ସଭାପତି ଇମ୍ରାନ ଖାନ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଏହି ମାମଲାରେ ଇସଲାମାବାଦ ସ୍ଥିତ ପୋଲିସ୍ ଲାଇନରେ ହୋଇଥିବା ଶୁଣାଣିରେ ଜିଲ୍ଲା କୋର୍ଟର ଜଜ୍ ହୁମାୟୁନ୍ ଦିଲୱାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଯେତେବେଳେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଇମ୍ରାନ ଖାନଙ୍କ ଆଗରେ ପଢ଼ା ଯାଇଥିଲା, ସେତେବେଳେ ସେ ଦସ୍ତାବିଜରେ ଦସ୍ତଖତ କରିବାକୁ ମନା କରିଦେଇଥିଲେ।

କୋର୍ଟରୁ ବାହାରିବା ପରେ ଇମ୍ରାନ ଖାନଙ୍କ ଓକିଲମାନେ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ତୋଷଖାନା ମାମଲାରେ କୋର୍ଟ ଶୁଣାଣିକୁ ବର୍ଜନ କରିଛନ୍ତି।

ଅନ୍ୟପକ୍ଷରେ ଅଲ-କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଆଠ ଦିନ ରିମାଣ୍ଡରେ ପଠାଇବାକୁ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କୁ ପୁଣି ମେ ୧୭ରେ ହାଜର ହେବାକୁ ତଲବ କରିଛନ୍ତି ।

‘ନାବ’ ଇମ୍ରାନ ଖାନଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ।

ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେ ତୋଷଖାନାରୁ ଉପହାର କିଣିଥିଲେ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସମ୍ପତ୍ତି ଘୋଷଣାରେ ସେ ଏହା ଉଲ୍ଲେଖ କରିନଥିଲେ ।

ତୋଷଖାନା ମାମଲାରେ ଅକ୍ଟୋବର ୨୧, ୨୦୨୨ରେ ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ଜାତୀୟ ସଂସଦର ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିଥିଲେ । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।