ଇମ୍ରାନ ଖାନଙ୍କ ଗାଦି ଯିବା ଥୟ, ବିରୋଧୀ ଦଳ ସହ ହାତ ମିଳାଇଲା ସହଯୋଗୀ ଏମକ୍ୟୁଏମ୍ | News Room Odisha

ଇମ୍ରାନ ଖାନଙ୍କ ଗାଦି ଯିବା ଥୟ, ବିରୋଧୀ ଦଳ ସହ ହାତ ମିଳାଇଲା ସହଯୋଗୀ ଏମକ୍ୟୁଏମ୍

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଗାଦି ହରାଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଇମ୍ରାନ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ସହଯୋଗୀ ମୁତାହିଦା କ୍ୱାମି ମୁଭମେଣ୍ଟ (ଏମକ୍ୟୁଏମ୍) ବିରୋଧୀ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସହିତ ହାତ ମିଳାଇଛି। ଏଥିସହ ପାକିସ୍ତାନ ସଂସଦର ନିମ୍ନ ଗୃହରେ ଇମ୍ରାନ ସରକାର ବହୁମତ ହରାଇଛନ୍ତି। ପିପିପି ସଭାପତି ବିଲାୱାଲ ଭୁଟ୍ଟୋ ଜରଦାରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଏବଂ ଲେଖିଛନ୍ତି ଯେ “ମିଳିତ ବିରୋଧୀ ଏବଂ ଏମକ୍ୟୁଏମ୍ ମଧ୍ୟରେ ଏକ ସନ୍ଧି ହୋଇଛି। ରାବତା କମିଟି ଏମକ୍ୟୁଏମ୍ ଏବଂ ପିପିପି ସିଇସି ଉକ୍ତ ସନ୍ଧିକୁ ମଞ୍ଜୁରୀ ପ୍ରଦାନ କରିବେ। ଏହା ପରେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସହ ଆମେ ସବିଶେଷ ତଥ୍ୟ ସେୟାର କରିବୁ ବୋଲି ବିଲାୱାଲ ଟୁଇଟରେ କହିଛନ୍ତି ।

୧୭୭ ସଦସ୍ୟ ସହ ନ୍ୟାସନାଲ ଆସେମ୍ବ୍ଲିରେ ଏବେ ବିରୋଧୀଙ୍କ ସ୍ଥିତି ସୁଦୃଢ଼ ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନ ସଂସଦରେ ଶାସକ ଦଳର ବର୍ତ୍ତମାନ କେବଳ ୧୬୪ ସଦସ୍ୟ ରହିଛନ୍ତି। ପାକିସ୍ତାନୀ ନ୍ୟାସନାଲ ଆସେମ୍ବ୍ଲିରେ ସମୁଦାୟ ୩୪୨ ସଦସ୍ୟ ଅଛନ୍ତି, ଯେଉଁଥିରେ ସଂଖ୍ୟାଗରିଷ୍ଠତା ପାଇଁ ୧୭୨ ସଦସ୍ୟ ଆବଶ୍ୟକ | ପିଟିଆଇ ନେତୃତ୍ୱାଧୀନ ମିଳିତ ମଞ୍ଚକୁ ୧୭୯ ସଦସ୍ୟଙ୍କ ସମର୍ଥନ ଥିଲା । କିନ୍ତୁ ବର୍ତ୍ତମାନ ଏମକ୍ୟୁଏମ୍-ପିପିପି ଦଳ ଛାଡିବା ପରେ, ପିଟିଆଇ ସଦସ୍ୟଙ୍କ ସଂଖ୍ୟା ୧୬୪କୁ ହ୍ରାସ ପାଇଛି | ଏଥିସହିତ ବିରୋଧୀ ଦଳଙ୍କ ସହ ନ୍ୟାସନାଲ ଆସେମ୍ବ୍ଲିରେ ସମର୍ଥକଙ୍କ ସଂଖ୍ୟା ବର୍ତ୍ତମାନ ୧୭୭ କୁ ବୃଦ୍ଧି ପାଇଛି।

ଏପ୍ରିଲ୍ ୩ରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟିଂ ହେବ ।