ପ୍ରଥମ ଟେଷ୍ଟ: ବିଜୟରୁ ୬ ୱିକେଟ୍ ଦୂରରେ ଭାରତ, ୩୦୫ ରନ୍ର ବିଜୟଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ୯୪/୪ | News Room Odisha

ପ୍ରଥମ ଟେଷ୍ଟ: ବିଜୟରୁ ୬ ୱିକେଟ୍ ଦୂରରେ ଭାରତ, ୩୦୫ ରନ୍ର ବିଜୟଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ୯୪/୪

ସେଞ୍ଚୁରିଅନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ଏକ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ଭାରତ ଦ୍ୱିତୀୟ ଇନିଂସରେ ୧୭୪ ରନରେ ଅଲଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକା ଆଗରେ ୩୦୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହାର ଜବାବରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ୯୪ ରନ୍ କରିଛି । ଦିନର ଖେଳ ଶେଷ ଆଡକୁ ଯଶପ୍ରୀତ ବୁମରା ଦୁଇଟି ୱିକେଟ୍ ନେଇ ଭାରତ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍ ଏଲଗାର ୫୨ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ବୁମରା ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଶେଷ ଦିନରେ ଭାରତକୁ ବିଜୟ ପାଇଁ ଆଉ ୬ ୱିକେଟ୍ ଆବଶ୍ୟକ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ୨୧୧ ରନ୍ ଦରକାର ।
ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ହରାଇ ୧୬ ରନ୍ କରିଥିଲା । ଆଜି ଭାରତର ଟପ୍ ଅର୍ଡର ଫେଲ୍ ମାରିଥିଲେ ଏବଂ ଦଳ ଦ୍ୱିତୀୟ ଇନିଂସରେ ୧୭୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ୩୦୫ ରନର ବିଜୟଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶୀଘ୍ର ଏଡେନ୍ ମାର୍କରମ(୧)ଙ୍କ ୱିକେଟ୍ ହରାଇଥିଲା । ମାର୍କରମଙ୍କୁ ସାମି ନିଜ ଶିକାର ବନାଇଥିଲେ । ଏହାପରେ କିଗାନ ପିଟରସନ (୧୭)ଙ୍କୁ ସିରାଜ ଆଉଟ୍ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ । ତେବେ ଏଲଗାର ଓ ରାସି ଭାନ୍ ଡର ଡୁସେନ୍ ଭାରତୀୟ ପେସ୍ ବାହିନୀର ଦୃଢ ମୁକାବିଲା କରି ତୃତୀୟ ୱିକେଟରେ ୪୪ ରନ୍ ଯୋଗ କରିଥିଲେ । ଶେଷରେ ଭାନ୍ ଡର ଡୁସେନ (୧୧)ଙ୍କୁ ଆଉଟ୍ କରି ବୁମରା ଏହି ଯୋଡ଼ି ଭାଙ୍ଗିଥିଲେ । ପରେ ଦିନର ଶେଷ ଓଭରରେ ବୁମରା ନାଇଟ୍ ୱାଚମ୍ୟାନ୍ କେଶବ ମହାରାଜ (୮)ଙ୍କୁ ବି କ୍ଲିନ୍ ବୋଲ୍ଡ କରି ଦକ୍ଷିଣ ଆଫ୍ରିକାକୁ ପୁଣି ଏକ ଝଟକା ଦେଇଥିଲେ ।
ଚତୁର୍ଥ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୧୬/୧ରୁ ଖେଳ ଆରମ୍ଭ କରିଥିଲା। ଦିବସ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ପେସରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଓପନ୍ ଶଟ୍ ଖେଳିବାକୁ ଦେଇନଥିଲେ। ନାଇଟ୍ ୱାଚ୍ ମ୍ୟାନ୍ ଭାବେ ଆସିଥିବା ଶାର୍ଦ୍ଦୁଲ ଠାକୁର ମାତ୍ର ୧୦ ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ପ୍ରଥମ ଇନିଂସରେ ଶତକଧାରୀ ଲୋକେଶ ରାହୁଲ୍ (୨୩) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ ଲୁଙ୍ଗି ଏନଗିଡି ପ୍ୟାଭିଲିୟନ୍ ପଠାଇଥିଲେ।
ଆଉଟ୍ ଅଫ୍ ଫର୍ମ ଚେତେଶ୍ୱର ପୂଜାରା ସତର୍କତାର ସହ ଖେଳିଥିଲେ। ତାଙ୍କ ସହ କ୍ୟାପଟେନ୍ ବିରାଟ କୋହଲି ଏକ ଭଲ ପାର୍ଟନରଶିପ୍ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ମାର୍କୋ ଜାନସେନ୍। କୋହଲି ୧୮ ରନ୍ କରିଥିବା ବେଳେ ଜାନସେନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଆଜିଙ୍କ୍ୟ ରାହାଣେ ଦ୍ରୁତ ବ୍ୟାଟିଂ କରି ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ସେ ପୂଜାରାଙ୍କ ସହ ମିଶି ପଞ୍ଚମ ୱିକେଟ ପାଇଁ ୩୦ ରନର ଭାଗିଦାରୀ କରିଥିଲେ। ପୂଜାରା ପୁଣିଥରେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ ଏବଂ ବ୍ୟକ୍ତିଗତ ୧୬ ରନ୍ କରି ଏନଗିଡିଙ୍କ ଶିକାର ହୋଇଥିଲେ।
ରାହାଣେଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଜାନେସନ୍। ରାହାଣେ ୨୩ ବଲରେ ୨୦ ରନ୍ (୩ ଚୌକା, ୧ ଛକା) କରି ଆଉଟ୍ ହୋଇଥିଲେ। ଋଷଭ ପନ୍ତ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ସପ୍ତମ ୱିକେଟ ପାଇଁ ୩୫ ରନ୍ ଯୋଡ଼ିଥିଲେ। ଉଭୟ ଅଶ୍ୱିନୀ (୧୪) ଓ ପନ୍ତ (୩୪)ଙ୍କୁ ରବାଡା ଆଉଟ୍ କରିଥିଲେ। ମହମ୍ମଦ ଶାମି ୧ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରା ୭ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ ଏନଗିଡି ୨ଟି ସଫଳତା ପାଇଥିଲେ।