ରୁଷ ବିରୋଧୀ ପ୍ରସ୍ତାବ ଉପରେ ଭୋଟିଂରୁ ପୁଣି ଦୂରେଇ ରହିଲା ଭାରତ | News Room Odisha

ରୁଷ ବିରୋଧୀ ପ୍ରସ୍ତାବ ଉପରେ ଭୋଟିଂରୁ ପୁଣି ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ରୁଷ ବିରୋଧରେ ଆଗତ ଏକ ନିନ୍ଦା ପ୍ରସ୍ତାବ ଉପରେ ଭାରତ ପୁଣି ଥରେ ନିଜକୁ ଦୂରେଇ ରଖିଛି। ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ଏବଂ ଆଲବାନିଆ ଦ୍ବାରା ପ୍ରସ୍ତୁତ ଏକ ଡ୍ରାଫ୍ଟ ପ୍ରସ୍ତାବ ଉପରେ ଭାରତ ଶୁକ୍ରବାର ଭୋଟିଂରୁ ନିବୃତ୍ତ ରହିଥିଲା । ବେଆଇନ ଜନମତ ସଂଗ୍ରହ ଏବଂ ରୁଷ ଦ୍ବାରା ୟୁକ୍ରେନର କିଛି ଅଞ୍ଚଳ ଦଖଲକୁ ନିନ୍ଦା କରି ଏହି ପ୍ରସ୍ତାବ ଅଣାଯାଇଥିଲା । ଏଥିରେ ରୁଷ ତୁରନ୍ତ ୟୁକ୍ରେନରୁ ନିଜର ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଦାବି କରାଯାଇଥିଲା ।

ଜାତିସଂଘ ସୁରକ୍ଷା ପରିଷଦର ୧୫ଟି ଦେଶ ଏହି ପ୍ରସ୍ତାବ ଉପରେ ଭୋଟ୍ ଦେବାର ଥିଲା । କିନ୍ତୁ ରୁଷ ଏହା ବିରୋଧରେ ଭିଟୋ କ୍ଷମତା ବ୍ୟବହାର କରିବାରୁ ଏହା ଗୃହୀତ ହୋଇପାରିନଥିଲା। ଏହି ପ୍ରସ୍ତାବକୁ ସମର୍ଥନ କରି ୧୦ଟି ଦେଶ ଭୋଟ୍ ଦେଇଥିଲେ ଏବଂ ୪୦ଟି ଦେଶ ଭୋଟିଂରେ ଅଂଶଗ୍ରହଣ କରିନଥିଲେ ।

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗୁରୁବାର କହିଛନ୍ତି ଯେ ଧମକ କିମ୍ବା ବଳ ପ୍ରୟୋଗ କରି ଅନ୍ୟ ଦେଶର ଅଞ୍ଚଳକୁ ଦଖଲ କରିବା ଜାତିସଂଘର ଚାର୍ଟର୍ ଏବଂ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ।