ତୃତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୨୨୩ରେ ଅଲ୍ଆଉଟ୍ | News Room Odisha

ତୃତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୨୨୩ରେ ଅଲ୍ଆଉଟ୍

କେପ୍ ଟାଉନ୍‌: ଏଠାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତର ବ୍ୟାଟିଂ ପୁଣି ଫେଲ୍ ମାରିଛି । ଅଧିନାୟକ ବିରାଟ କୋହଲିଙ୍କୁ ଛାଡ଼ି ଅନ୍ୟସବୁ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିବା ବେଳେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୨୩ ରନ୍ କରି ଅଲଆଉଟ୍ ହୋଇଯାଇଛି । ପିଠି ଯନ୍ତ୍ରଣା ଯୋଗୁଁ ଦ୍ୱିତୀୟ ଟେଷ୍ଟରୁ ବଞ୍ଚିତ ହୋଇଥିବା କୋହଲି ଏହି ସିରିଜ୍ ନିର୍ଣ୍ଣାୟକ ମ୍ୟାଚକୁ ଫେରି ଦଳ ପକ୍ଷରୁ ସର୍ବାଧିକ ୭୯ ରନ୍ କରିଥିଲେ । କିନ୍ତୁ ତାଙ୍କୁ ଅନ୍ୟପଟୁ ଉପଯୁକ୍ତ ସହାୟତା ମିଳିନଥିଲା ।

ଟପ୍ ଅର୍ଡର ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉଦାସୀନ ପ୍ରଦର୍ଶନ ପାଇଁ ଭାରତ ପୁଣି ଏକ ସାଧାରଣ ସ୍କୋରରେ ସୀମିତ ରହିଛି । ଭାରତର ୨୨୩ ରନ୍ ଜବାବରେ ପ୍ରଥମ ଦିନର ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ୍ ହରାଇ ୧୭ ରନ୍ କରିଛି । ଅଧିନାୟକ ଡିନ୍ ଏଲଗାର (୩) ପ୍ୟାଭିଲିୟନ୍ ଫେରିଛନ୍ତି । ତାଙ୍କୁ ଯଶପ୍ରୀତ ବୁମରା ନିଜ ଶିକାର ବନାଇଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଏଡେନ୍ ମାର୍କରମ ୮ ଓ କେଶବ ମହାରାଜ ୬ ରନ୍ କରି ଅପରାଜିତ ଅଛନ୍ତି ।

ନ୍ୟୁଲ୍ୟାଣ୍ଡସରେ କ୍ୟାପଟେନ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହନୁମା ବିହାରୀ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ କୋହଲି ଓ ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଭାରତକୁ ଭଲ ଷ୍ଟାର୍ଟ ଦେବାରେ ବିଫଳ ହୋଇଥିଲେ ଦୁଇ ଓପ୍ନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ। ରାହୁଲ (୧୨)ଙ୍କୁ ଡୁଆନ୍ ଓଲିଭିଅର୍ ଓ ମୟଙ୍କ (୧୫)ଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ପଠାଇଥିଲେ। ଲଗାତର ଖରାପ ଫର୍ମରେ ଥିବା ପୂଜାରା ଆଟାକିଂ ଆଭିମୁଖ୍ୟ ଆପଣାଇଥିଲେ। ସେ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୨ ରନର ଭାଗିଦାରୀ କରିଥିଲେ। ପୂଜାରା ବ୍ୟକ୍ତିଗତ ୪୩ ରନ୍ କରିଥିବା ବେଳେ ମାର୍କୋ ଜାନସେନଙ୍କ ବଲରେ ଆଉଟ୍ ହୋଇଥିଲେ।

ପୂଜାରାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ (୯) ନିରାଶ କରିଥିଲେ। ଋଷଭ ପନ୍ତ ପୁଣିଥରେ ଭଲ ଷ୍ଟାର୍ଟକୁ ବଡ଼ ଇନିଂସରେ ପରିଣତ କରିପାରିନଥିଲେ। ସେ ୨୭ ରନ୍ କରି ଜାନସେନଙ୍କ ଶିକାର ହୋଇଥିଲେ। ଏହା ପରେ ଗୋଟିଏ ପଟେ କୋହଲି ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଲଗାତର ୱିକେଟ୍ ପତନ ହେବାରେ ଲାଗିଥିଲା। କୋହଲି ଧୀରେ ଧୀରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ରବାଡା ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। କୋହଲି ପୁଣି ସେହି ପୁରୁଣା ଭୁଲ୍ ଦୋହରାଇଥିଲେ ଏବଂ ବାହାରେ ଯାଉଥିବା ବଲକୁ ଖେଳିବାକୁ ଯାଇ ୱିକେଟ୍ କିପର କାଇଲ ଭେରେନେଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। କୋହଲି ୨୦୧ ବଲର ସାମ୍ନା କରି ୧୨ ଚୌକା ଓ ୧ ଛକା ସହ ୭୯ ରନ୍ କରିଥିଲେ।

ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୯, ଶାର୍ଦ୍ଦୁଲ ଠାକୁର ୧୨, ମହମ୍ମଦ ଶାମି ୭ ଓ ଯଶପ୍ରୀତ ବୁମ୍ରା କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଉମେଶ ଯାଦବ ୪ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୪ଟି ଓ ଜାନସେନ୍ ୩ଟି ୱିକେଟ୍ ନେଇଥିଲେ। ଓଲିଭିଅର୍, ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।