ଆଜି ହାଇଦ୍ରାବାଦରେ ତୃତୀୟ ଟି୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ | News Room Odisha

ଆଜି ହାଇଦ୍ରାବାଦରେ ତୃତୀୟ ଟି୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ୍ ନିର୍ଣ୍ଣାୟକ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ ରବିବାର ଏଠାରେ ଖେଳାଯିବ । ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ନାଗପୁରରେ ଅନୁଷ୍ଠିତ ବର୍ଷା ପ୍ରଭାବିତ ଦ୍ୱିତୀୟ ଟି୨୦କୁ ଜିତି ତିନି ମ୍ୟାଚ୍ ସିରିଜକୁ ବରାବର କରିଥିଲା । ଭାରତୀୟ ଦଳ ପାଇଁ କିଛି ବୋଲରଙ୍କ ଫର୍ମ ଚିନ୍ତାର କାରଣ ହୋଇଛି । ବିଶେଷକରି ହର୍ଷଲ ପଟେଲ ଓ ୟୁଜବେନ୍ଦ୍ର ଚହଲ ପ୍ରଥମ ଦୁଇଟି ମ୍ୟାଚରେ ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ଏହି ଦୁଇ ବୋଲର ଯେଭଳି ଫର୍ମକୁ ଫେରିବେ ତାହା ଭାରତ ଚାହିଁବ ।

ନାଗପୁରରେ ଅକ୍ଷର ପଟେଲ ପୁଣି ମାପଚୁପ ବୋଲିଂ ସହ ୨ ୱିକେଟ୍ ନେଇ ଅଷ୍ଟ୍ରେଲିଆର ରନ୍ ଗତିରେ ଆରମ୍ଭରୁ ଅଙ୍କୁଶ ଲଗାଇଥିଲେ । ତେବେ ଡେଥ୍ ଓଭର ବୋଲିଂ ଭାରତର ମୁଣ୍ଡବ୍ୟଥାର କାରଣ ହୋଇଛି । ଯଦିଓ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଏହି ସମସ୍ୟା କିଛି ମାତ୍ରାରେ ସୁଧୁରିବ ବୋଲି ଆଶା କରାଯାଉଛି, ତେବେ ଡେଥ୍ ଓଭରରେ ସିନିୟର ବୋଲର ଭୁବନେଶ୍ୱର କୁମାରଙ୍କ ନିରାଶାଜନକ ପ୍ରଦର୍ଶନ ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି । ଏସିଆ କପ୍ ପରେ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ଭୁବନେଶ୍ୱର ଡେଥ୍ ଓଭରରେ ବେଶି ରନ୍ ବ୍ୟୟ କରିଛନ୍ତି । ଦ୍ୱିତୀୟ ଟି୨୦ ମ୍ୟାଚ୍ ୮ ଓଭର ବିଶିଷ୍ଟ ହୋଇଥିବାରୁ ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦେଇ ଭାରତ କେବଳ ଚାରି ଜଣ ବୋଲରଙ୍କୁ ଖେଳାଇଥିଲା । କିନ୍ତୁ ତାଙ୍କ ଫର୍ମ ନିଶ୍ଚିତ ଭାବେ ଦ୍ରାବିଡ୍ ଓ ରୋହିତଙ୍କ ଚିନ୍ତା ବଢାଇ ଦେଇଛି ।

ଭୁବନେଶ୍ୱରଙ୍କ ବ୍ୟତୀତ ଆଘାତ ସମସ୍ୟାରୁ ମୁକୁଳି ଫେରିଥିବା ଡେଥ୍ ଓଭର ସ୍ପେଶାଲିଷ୍ଟ ହର୍ଷଲ ପଟେଲ ମଧ୍ୟ ସଂଘର୍ଷ କରୁଛନ୍ତି । ତାଙ୍କ ଆତ୍ମବିଶ୍ୱାସ ନିମ୍ନ ସ୍ତରରେ ରହିଥିବା ମନେ କରାଯାଉଛି । ନିଜ ଲୟ ଫେରି ପାଇବାକୁ ହର୍ଷଲଙ୍କୁ ଆଉ କିଛି ମ୍ୟାଚ୍ ଖେଳିବା ଆବଶ୍ୟକତା ରହିଛି । ହର୍ଷଲ ଚଳିତ ସିିରିଜରେ ଏଯାବତ ୬ ଓଭର ବୋଲିଂ କରି ୮୧ ରନ୍ ଦେଇଛନ୍ତି । ତାଙ୍କ ଓଭର ପିଛା ଇକୋନୋମି ହାର ୧୩.୫୦ ରହିଛି ଏବଂ ସେ ଏହି ସିରିଜର ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ଗୋଟିଏ ବି ୱିକେଟ୍ ନେଇ ପାରିନଥିବା ବେଳେ ସଠିକ୍ ଲାଇନ୍ ପାଇଁ ସଂଘର୍ଷ କରୁଛନ୍ତି ।

ମଝି ଓଭର ଗୁଡ଼ିକରେ ଭାରତ ନିଜ ସ୍ପିନରଙ୍କ ଉପରେ ନିର୍ଭରଶୀଳ ରହିଛି । ଅକ୍ଷର ପଟେଲ ଏହି ସିରିଜରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ବେଳେ ଅଭିଜ୍ଞ ଚହଲ ନିରାଶ କରିଛନ୍ତି । ଚହଲ ଏସିଆ କପରେ ବହୁତ ରନ୍ ଲିକ୍ କରିଥିଲେ । ତାଙ୍କର ଏଭଳି ପ୍ରଭାବହୀନ ପ୍ରଦର୍ଶନ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ଜାରି ରହିଛି । ତେବେ ଭାରତ ପାଇଁ ଆଶ୍ୱସ୍ତିକର ବିଷୟ ହେଉଛି ଦଳର ମୁଖ୍ୟ ବୋଲର ବୁମରା ଆଘାତ ସମସ୍ୟାରୁ ମୁକୁଳି ଫେରିଥିଲେ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।

ବ୍ୟାଟିଂ ବିଭାଗରେ ଭାରତର ତିନି ଷ୍ଟାର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରୋହିତ, ରାହୁଲ ଓ କୋହଲିଙ୍କୁ ନିଜ ପ୍ରଦର୍ଶନରେ ଆହୁରି ସ୍ଥିରତା ଆଣିବାକୁ ପଡ଼ିବ । ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ମଧ୍ୟ ଉତ୍‌ଥାନ-ପତନ ଦେଇ ଗତି କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ବିସ୍ଫୋରକ ପ୍ରଦର୍ଶନ ଜାରି ରଖିଛନ୍ତି ।
ଚଳିିତ ସିରିଜରେ ଭାରତୀୟ ବ୍ୟାଟିଂ ଲାଇନ ଅପର ଆଉ ଏକ ଦୁର୍ବଳତା ପଦାରେ ପଡ଼ିଯାଇଛି । ଲେଗ୍ ସ୍ପିନ ବୋଲିଂ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଂଘର୍ଷ କରୁଛନ୍ତି । ନାଗପୁରରେ ଅଷ୍ଟ୍ରେଲୀୟ ଲେଗ୍ ସ୍ପିନର ଆଡାମ ଜାମ୍ପା ଭାରତର ଏହି ଦୁର୍ବଳତାର ଫାଇଦା ଉଠାଇଥିଲେ । ସେହି ମ୍ୟାଚରେ ସଫଳତାର ସହ ଫିନିଶର ଭାବେ ଦାୟିତ୍ୱ ତୁଲାଇଥିବା ଦିନେଶ କାର୍ତ୍ତିକଙ୍କୁ ଆହୁରି ଗେମ୍ ଟାଇମ୍ ମିଳିବା ସମ୍ଭାବନା ରହିଛି ।
ଆହତ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହୋଇଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ ଚଳିତ ସିରିଜରେ ଦଳ ପାଇଁ ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ଠାରୁ ବ୍ୟାଟିଂରେ ବି ଯୋଗଦାନର ଆଶା ରଖିବେ କ୍ୟାପଟେନ ରୋହିତ । ଏହାଛଡ଼ା ଭାରତୀୟ ବ୍ୟାଟିଂ ଲାଇନ ଅପରେ ଅକ୍ଷର ମଧ୍ୟ ଏକମାତ୍ର ବାମହାତୀ ବ୍ୟାଟ୍ସମ୍ୟାନ ।

ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ମଧ୍ୟ ନିଜ ବୋଲିଂକୁ ନେଇ ଚିନ୍ତିତ । ହାଇ ସ୍କୋରିଂ ପ୍ରଥମ ମ୍ୟାଚରେ ଭାରତକୁ ହରାଇବା ପରେ ଦ୍ୱିତୀୟ ମ୍ୟାଚରେ ୬ ୱିକେଟରେ ହାରିଥିଲା ଫିଞ୍ଚଙ୍କ ଦଳ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୯୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲେ ମଧ୍ୟ ବୋଲରଙ୍କ ଫ୍ଲପ୍ ଶୋ ଦଳକୁ ମହଙ୍ଗା ପଡ଼ିଥିଲା । ଆହତ ନାଥନ୍ ଏଲିସଙ୍କ ଅନୁପସ୍ଥିତିରେ ଅଭିଜ୍ଞ ପ୍ୟାଟ୍ କମିନ୍ସ, ଜୋସ ହାଜଲଉଡ୍ ଓ ଡାନିଏଲ ସାମ୍ସ ଅଧିକ ରନ୍ ବ୍ୟୟ କରିଥିଲେ । ଅଲରାଉଣ୍ଡର କାମେରନ ଗ୍ରୀନ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବିଶ୍ୱକପ ପାଖେଇ ଆସୁଥିବା ବେଳେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ନିଜ ତ୍ରୁଟି ସୁଧାରିବାକୁ ଚାହିଁବେ ।