ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ | News Room Odisha

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ମୋହାଲି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି । ଆସନ୍ତା ମାସରୁ ଆରମ୍ଭ ହେଉଥିବା ବିଶ୍ୱକପ୍ ପୂର୍ବରୁ ଏହି ସିରିଜକୁ ‘ଡ୍ରେସ୍ ରିହାର୍ସଲ୍’ ଭାବେ ବିବେଚନା କରାଯାଉଛି । ବିଶ୍ୱକପ ପୂର୍ବରୁ ଶ୍ରେୟାସ୍ ଆୟରଙ୍କୁ ଏହି ସିରିଜରେ ନିଜ ମ୍ୟାଚ୍ ଫିଟନେସ୍ ପ୍ରମାଣ କରିବାକୁ ପଡ଼ିବ । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଦିନିକିଆ କ୍ରିକେଟରେ ନିଜ ରେକର୍ଡ ସୁଧାରିବାକୁ ଏହା ଆଉ ଏକ ସୁଯୋଗ ।

ଭାରତୀୟ ବ୍ୟାଟିଂର ସ୍ତମ୍ଭ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟତୀତ ସ୍ପିନର କୁଲଦୀପ ଯାଦବ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ। ଏଭଳି ସ୍ଥିତିରେ ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା କରିବାକୁ କୋଚ୍ ରାହୁଲ ଦ୍ରାବିଡଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି।

ନିଜ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ଅଂଶ ହେବା ପାଇଁ ମୁମ୍ବାଇର ଦୁଇ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଓ ଶ୍ରେୟସ୍ ନିଜସ୍ୱ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ।

୨୮ ବର୍ଷୀୟ ଆୟର ଗତ ୬ ମାସ ମଧ୍ୟରେ ଅଧିକ କ୍ରିକେଟ୍ ଖେଳି ନାହାଁନ୍ତି | ଷ୍ଟ୍ରେସ ଫ୍ରାକଚର ଅସ୍ତ୍ରୋପଚାର ପରେ ଫେରିଥିବା ଆୟର, ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ପିଠି‌ ଯନ୍ତ୍ରଣା ଯୋଗୁଁ ପୁଣି ଦଳରୁ ବାଦ୍ ପଡ଼ିଥିଲେ । ଏହି କାରଣରୁ ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠିଛି।

ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର କହିଛନ୍ତି ଯେ ଆୟର ଅଷ୍ଟ୍ରେଲିଆ ବିପକ୍ଷ ସମସ୍ତ ତିନୋଟି ମ୍ୟାଚ୍ ଖେଳି ପାରିବେ । କିନ୍ତୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ତିନିଟି ମ୍ୟାଚ୍ ସମୟରେ ସେ ପୂରା ୧୦୦ ଓଭର ଖେଳି ପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା । ବିଶ୍ୱକପରେ ମଝି ଓଭର ଗୁଡ଼ିକରେ ସ୍ପିନରଙ୍କ ମୁକାବିଲା ପାଇଁ ଭାରତ ଆୟରଙ୍କ ଉପସ୍ଥିତି ଦରକାର କରୁଛି |

ସୂର୍ଯ୍ୟକୁମାର ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇପାରନ୍ତି କିନ୍ତୁ ସେ ଦିନିକିଆରେ ସେହି ଫର୍ମକୁ ଦୋହରାଇବାରେ ସକ୍ଷମ ହୋଇ ନାହାଁନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ଦିନିକିଆ ଖେଳିଥିବା ସୂର୍ଯ୍ୟଙ୍କର ଆଭରେଜ ମାତ୍ର ୨୫ ରହିଛି ଯାହା ତାଙ୍କ ଦକ୍ଷତାର ପ୍ରକୃତ ପ୍ରତିଫଳନ ନୁହେଁ | ତାଙ୍କୁ ବିଶ୍ୱକପ ପାଇଁ ପ୍ରାରମ୍ଭିକ ଦଳରେ ସାମିଲ କରାଯାଇଛି । ଏବେ ତାଙ୍କୁ ଚୟନକର୍ତ୍ତାଙ୍କ ବିଶ୍ୱାସ ଭାଜନ ହେବାକୁ ପଡ଼ିବ |

ସ୍ପିନର ଅକ୍ଷର ପାଟଙ୍କ ଆଘାତ ଯୋଗୁଁ ୩୭ ବର୍ଷୀୟ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ବିଶ୍ବକପ୍ ଦ୍ବାରା ଖୋଲା ଅଛି | ଯଦି ଅକ୍ଷୟ ଠିକ୍ ସମୟରେ ସୁସ୍ଥ ନ‌ ହୁଅନ୍ତି, ତେବେ ଅଶ୍ୱିନ୍ ତାଙ୍କ କ୍ୟାରିୟରର ତୃତୀୟ ତଥା ଶେଷ ବିଶ୍ୱକପ୍ ଖେଳିପାରିବେ |

ଦୁଇ ସପ୍ତାହ ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ଏହି ଭେଟେରାନ ସ୍ପିନରଙ୍କ ବିଷୟରେ ଚିନ୍ତା ମଧ୍ୟ କରୁନଥିଲା । କିନ୍ତୁ ବର୍ତ୍ତମାନ ଦଳରେ ସ୍ଥାନ ପାଇବା ପାଇଁ ଅଶ୍ବିନ ଓ ତାଙ୍କ ଠାରୁ ୧୦ ବର୍ଷ ସାନ ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଯଦି ସୂତ୍ରକୁ ବିଶ୍ବାସ କରାଯାଏ, ଆଗାମୀ ତିନିଟି ମ୍ୟାଚରେ ସେ ଭଲ ନ‌ ଖେଳିଲେ ମଧ୍ୟ ସୁନ୍ଦରଙ୍କ ଅପେକ୍ଷା ଅଶ୍ୱିନ୍ ଅଗ୍ରାଧିକାର ପାଇପାରନ୍ତି | ଡେଭିଡ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥଙ୍କ ସହ ଅଶ୍ୱିନଙ୍କ ଟକ୍କର ଆକର୍ଷଣୀୟ ହୋଇପାରେ |

କୁଲଦୀପ ଯାଦବ ଏବଂ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଉଭୟ ଅଶ୍ୱିନ ଏବଂ ସୁନ୍ଦରଙ୍କୁ ସେମାନଙ୍କର ଉପଯୋଗିତା ପ୍ରମାଣ କରିବାର ସୁଯୋଗ ମିଳିବ। ଯଦି ଅକ୍ଷର ଫିଟ୍ ହୁଅନ୍ତି ତେବେ ଟିମ୍ ମ୍ୟାନେଜମେଣ୍ଟ କେବଳ ତାଙ୍କୁ ହିଁ ଚୟନ କରିବ |

ରୋହିତଙ୍କ ଅନୁପସ୍ଥିତିରେ ଇଶାନ କିଶନ ଏବଂ ଶୁଭମାନ ଗିଲ ଇନିଂସ ଓପନ୍ କରିବେ। କୋହଲିଙ୍କ ସ୍ଥାନରେ ଆୟର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ନିଶ୍ଚିତ ।

ଏସୀୟ ଗେମ୍ସରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ଅଧିନାୟକ ଋତୁରାଜ ଗାଏକୱାଡଙ୍କୁ କଭର ଭାବରେ ରଖାଯାଇଛି । ସେ ଦ୍ୱିତୀୟ ମ୍ୟାଚ୍ ପରେ ହାଙ୍ଗଝୋ ଅଭିମୁଖେ ଯାତ୍ରା କରିବେ।

ଭାରତ ଏହାର କୌଣସି ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେଇ ନାହିଁ । କିନ୍ତୁ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ତିନିଟି ମ୍ୟାଚ ମଧ୍ୟରୁ ଗୋଟିଏରେ ବିଶ୍ରାମ ଦିଆଯାଇପାରେ।

ଅନ୍ୟପକ୍ଷରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୩ରେ ହାରିବା ସତ୍ତ୍ୱେ ଅଷ୍ଟ୍ରେଲିଆ ଦଳ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ | ମାର୍ଚ୍ଚରେ ସେମାନେ ଭାରତରେ ଶେଷ ଦିନିକିଆ ସିରିଜ୍ ଜିତିଥିଲେ | ଅକ୍ଟୋବର ୮ରେ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ।

ଟ୍ରାଭିସ୍ ହେଡଙ୍କ ଆଘାତ ଯୋଗୁଁ ମାର୍ନସ୍ ଲାବୁସେନଙ୍କୁ ଏକ ସୁଯୋଗ ଦେଇଛି ଯାହାକୁ ସେ ଉପଯୋଗ କରିବାକୁ ଚାହିଁବେ | ତେବେ ଫ୍ଲାଟ୍ ଭାରତୀୟ ପିଚ୍ ଅଷ୍ଟ୍ରେଲୀୟ ବୋଲିଂ ଆକ୍ରମଣ ପାଇଁ କଡ଼ା ଚ୍ୟାଲେଞ୍ଜ ହେବ।

ଭାରତ: କେଏଲ୍ ରାହୁଲ (ଅଧିନାୟକ), ଶୁଭମାନ ଗିଲ, ଋତୁରାଜ ଗାଏକୱାଡ, ଶ୍ରେୟାସ ଆୟର, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା (ଉପଅଧିନାୟକ) ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାମିଜ ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ୱାଶିଂଟନ୍ ସୁନ୍ଦର।

ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (ଅଧିନାୟକ), ଆଲେକ୍ସ କେରି, ନାଥାନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଆଡାମ ଜାମ୍ପା, ମାର୍କସ ଷ୍ଟୋଇନିସ, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ଜୋଶ ହାଜଲେଉଡ, ସ୍ପେନ୍ସର ଜନସନ, ମାର୍ନସ୍ ଲାବୁସେନ୍, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ତାନଭୀର ସାଙ୍ଗ, ମ୍ୟାଟ୍ ସର୍ଟ |