ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍ | News Room Odisha

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ୍

ବିଶାଖାପଟନମ: ବିଶ୍ଵକପ ଫାଇନାଲ ପରାଜୟର ନୈରାଶ୍ୟ ମଧ୍ୟରେ ଆଜିଠାରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ୫ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବ । ସିରିଜର ପ୍ରଥମ ମ୍ୟାଚ୍ ବିଶାଖାପଟନମରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଏହି ସିରିଜରେ ଭାରତୀୟ ଦଳର ନେତୃତ୍ଵ ନେବେ।

ଭାରତୀୟ ଦଳରେ ଏକାଧିକ ଯୁବ ଖେଳାଳି ଖେଳୁଥୁବାରୁ ସେମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ବିଶ୍ଵକପ ପରାଜୟରେ ଓଭାରତୀୟ ଫ୍ୟାନ ମାନେ ମର୍ମାହତ ହୋଇଥିବା ବେଳେ ଏଥିରୁ ବାହାରିବା ପାଇଁ ନିଶ୍ଚିତ ସମୟ ଲାଗିବ। ତେବେ ସୂର୍ଯ୍ୟକୁମାର ଯାଦବ ନିଜ ଫେଭରିଟ୍‌ ଫର୍ମାଟକୁ ଫେରିଥିବା ବେଳେ ଦଳକୁ ବିଜୟୀ କରିବାକୁ ଚେଷ୍ଟା କରିବେ । ତେବେ ସୂର୍ଯ୍ୟ କେବଳ ସିରିଜ୍‌ ବିଜୟୀ ହେବାକୁ ପ୍ରାଥମିକତା ଦେବେ ନାହିଁ ବରଂ ବିଭିନ୍ନ ଯୁବ ଖେଳାଳି ମାନଙ୍କୁ ନେଇ ପରୀକ୍ଷା ନୀରିକ୍ଷା ମଧ୍ୟ କରିବେ। ଆସନ୍ତା ବର୍ଷ ଟି୨୦ ବିଶ୍ଵକପ ଥିବାରୁ ସେ ନେଇ ଖେଳାଳି ମାନଙ୍କୁ ଆଗୁଆ ପ୍ରସ୍ତୁତ କରିବାକୁ ପଡିବ। ଜୁନ୍ ଓ ଜୁଲାଇ ମାସରେ ଆମେରିକାରେ ଟି୨୦ ବିଶ୍ବକପ ଖେଳାଯିବ। ଭାରତୀୟ ଦଳରେ ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା ଓ ମୁକେଶ କୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଏହି ସିରିଜ୍‌ ପରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ସିରିଜ୍ ଆସୁଥ‌ିବା ବେଳେ ଏହି ଖେଳାଳି ମାନେ ପ୍ରଭାବୀ ପ୍ରଦର୍ଶନ କରିବାକୁ ଚାହିଁବେ।

ଅନ୍ୟ ପକ୍ଷରେ ବିଶ୍ବକପ ବିଜୟ ପରେ ଆତ୍ମବିଶ୍ଵାସର ସହ ଏହି ସିରିଜ୍ ଖେଳିବ ଅଷ୍ଟ୍ରେଲିଆ। ସନ୍ ଆବୋଟ୍, ଟ୍ରାଭିସ୍ ହେଡ୍, ଜୋଶ ଇଂଲିଶ, ଗ୍ଲେନ୍ ମ୍ୟାକ୍ସୱେଲ, ଷ୍ଟିଭ୍ ସ୍ମିଥ୍, ମାର୍କସ୍ ଷ୍ଟୋଇନିସ୍ ଓ ଆଡାମ ଜାମ୍ପାଙ୍କ ପରି ବିଶ୍ୱକପ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ମାତ୍ର ୭ ଜଣ ଟି ୨୦ ଦଳ ସହ ରହିବେ।ସେହିପରି ଦଳର ଏକାଧ୍ଵକ ଖେଳାଳି ଆଇପିଏଲ ଖେଳୁଥିବାରୁ ଏହା ଅଷ୍ଟ୍ରେଲିଆ ପାଇଁ ସହାୟକ ହେବ। ବିଶାଖାପଟନମ ପିଚରେ ଦ୍ରୁତ ବୋଲରଙ୍କୁ ସାମାନ୍ୟ ସହୟତା ମିଳିବା ନେଇ ଆଶା କରାଯାଏ।