ରୋହିତଙ୍କ ଶତକ, କୋହଲିଙ୍କ ଅର୍ଦ୍ଧଶତକ: ଆଫଗାନିସ୍ତାନକୁ ହରାଇ ଦ୍ବିତୀୟକୁ ଉଠିଲା ଭାରତ | News Room Odisha

ରୋହିତଙ୍କ ଶତକ, କୋହଲିଙ୍କ ଅର୍ଦ୍ଧଶତକ: ଆଫଗାନିସ୍ତାନକୁ ହରାଇ ଦ୍ବିତୀୟକୁ ଉଠିଲା ଭାରତ

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ ଶତକ ଓ ଲୋକାଲ୍ ବୟ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ବୁଧବାର ବିଶ୍ବକପରେ ନିଜ ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୮ ଓ୍ବିକେଟରେ ହରାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୮ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା । ଏହାର ଜବାବରେ ଭାରତ ମାତ୍ର ୩୫ ଓଭରରେ ୨ ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ଭାରତର ଏହା ଲଗାତାର ଦ୍ବିତୀୟ ବିଜୟ । ଏହି ବିଜୟ ସହ ଟିମ୍ ଇଣ୍ଡିଆର ନେଟ୍ ରନ୍ ରେଟ୍ ମଧ୍ୟ ବଢ଼ିଥିବା ବେଳେ ଦଳ ପଏଣ୍ଟ୍ ଟେବୁଲର‌ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତ ପରବର୍ତ୍ତୀ ମ୍ୟାଚରେ ଶନିବାର ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ।

କ୍ୟାପଟେନ୍ ରୋହିତ ଆରମ୍ଭରୁ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ସେ ମାତ୍ର ୬୩ ବଲରେ ଶତକ ପୂରଣ କରିଥିଲେ । ବିଶ୍ୱକପରେ ଭାରତ ପକ୍ଷରୁ ଏହା ଦ୍ରୁତତମ ଶତକ । ହିଟମ୍ୟାନ ଭାବେ ପରିଚିତି ଏହି ଷ୍ଟାଇଲିଶ୍ ବ୍ୟାଟ୍ସମ୍ୟାନ୍ ୮୪ ବଲ୍‌ରେ ୧୬ଟି ଚୌକା ଓ ୫ଟି ଛକା ସହ ୧୩୧ ରନ୍ କରିଥିଲେ ।

ବିଶ୍ୱକପରେ ରୋହିତଙ୍କ ଏହା ହେଉଛି ସପ୍ତମ ଶତକ । ଏଥିସହ ରୋହିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନ ବିଶ୍ୱକପ୍‌ର ୪୪ ଇନିଂସ୍‌ରେ ୬ଟି ଶତକ ହାସଲ କରିଥିଲେ । ତେବେ ରୋହିତ ମାତ୍ର ୧୯ଟି ଇନିଂସ୍ ଖେଳି ୭ଟି ଶତକ ହାସଲ କରିଛନ୍ତି । ଏହାଛଡ଼ା ଅନ୍ତର୍ଜାତୀୟ ଦିନିକିଆରେ କ୍ୟାରିୟରର ୩୧ତମ ଶତକ ସହ ରୋହିତ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୩୦)ଙ୍କୁ ଟପିଛନ୍ତି । ରୋହିତ ଏହି ଶତକୀୟ ଇନିଂସ୍ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାରେ ମଧ୍ୟ କ୍ରିସ୍ ଗେଲ(୫୫୩)ଙ୍କ ରେକର୍ଡ ଭାଙ୍ଗିଥିଲେ ।

ରୋହିତ ଓ ଇଶାନ କିଶନ ପ୍ରଥମ ଓ୍ବିକେଟରେ ୧୦୮ ବଲରେ ୧୫୬ ରନ୍ ଭାଗିଦାରୀ କରି ଭାରତର ବିଜୟ ସହଜ କରିଥିଲେ । କିଶନ ୪୭ ରନର ଯୋଗଦାନ କରିଥିଲେ । ନିଜ ହୋମ୍ ଗ୍ରାଉଣ୍ଡରେ ଖେଳୁଥିବା କୋହଲି ଚଳିତ ବିଶ୍ୱକପରେ ଲଗାତାର ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୬ ବଲରେ ୬ଟି ଚୌକା ସହ ୫୫ ରନ୍ କରି ଅପରାଜିତ ରହିଥିଲେ । ତାଙ୍କ ସହ ଶ୍ରେୟାସ୍ ଆୟର ୨୩ ବଲରେ ୨୫ ରନ୍ କରି ନଟ୍ଆଉଟ୍ ରହିଥିଲେ ।

ପୂର୍ବରୁ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୬୩ ରନରେ ୩ ୱିକେଟ୍ ହରାଇ ଦେଇଥିଲା । ତେବେ ଅଧିନାୟକ ହାଶମତୁଲ୍ଲା ଶାହିଦି ଓ ଅଲରାଉଣ୍ଡର ଆଜମତୁଲ୍ଲା ଓମାରଜାଇ ଆଫଗାନିସ୍ତାନର ପାଳି ସମ୍ଭାଳିଥିଲେ । ଉଭୟ ସମୟ ନେଇଥିଲେ ଓ ଏକ ଗୁରୁତ୍ୱପୂର୍ଣ୍ଣ ଶତକୀୟ ଭାଗିଦାରୀ କରିଥିଲେ। ଦୁହେଁ ୧୨୮ ବଲରେ ୧୨୧ ରନ୍ ଯୋଡିଥିଲେ ।ହାଶମତୁଲ୍ଲା ଶାହିଦି ସର୍ବାଧିକ ୮୦ ରନ୍ କରିଥିବା ବେଳେ ଆଜମତୁଲ୍ଲା ଓମାରଜାଇ ୬୨ ରନର ଇନିଂସ୍ ଖେଳିଥିଲେ।

ଭାରତ ପକ୍ଷରୁ ଜସପ୍ରୀତ ବୁମରା ସଫଳ ବୋଲର ଭାବେ ୩୯ ରନ୍ ବିନିମୟରେ ୪ଟି ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ୱିକେଟ୍ ମିଳିଥିବା ବେଳେ କୁଲଦୀପ ଯାଦବ ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ସଫଳତା ପାଇଥିଲେ |