ଦ୍ୱିତୀୟ ଟି-୨୦: ଇଂଲଣ୍ଡକୁ ୪୯ ରନରେ ହରାଇ ସିରିଜ୍ କବଜା କଲା ଭାରତ | News Room Odisha

ଦ୍ୱିତୀୟ ଟି-୨୦: ଇଂଲଣ୍ଡକୁ ୪୯ ରନରେ ହରାଇ ସିରିଜ୍ କବଜା କଲା ଭାରତ

ବର୍ମିଂହାମ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଶନିବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ଇଂଲଣ୍ଡକୁ ୪୯ ରନରେ ହରାଇଛି । ଏଥିସହ ଭାରତ ଗୋଟିଏ ମ୍ୟାଚ୍ ବାକି ଥାଇ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି । ଇଂଲଣ୍ଡ ବିପକ୍ଷରେ ଭାରତର ଏହା କ୍ରମାଗତ ଚତୁର୍ଥ ଟି୨୦ ସିରିଜ୍ ବିଜୟ ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ ୮ ୱିକେଟ୍ ହରାଇ ୧୭୦ ରନ୍ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୧୭ ଓଭରରେ ୧୨୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ପ୍ରଥମ ମ୍ୟାଚ୍ ଭଳି ଅଭିଜ୍ଞ ଭୁବନେଶ୍ୱର କୁମାର ଓ ବୁମରା ଇଂଲଣ୍ଡକୁ ଆରମ୍ଭରୁ ଝଟକା ଦେଇଥିଲେ । ସେ ଜୋସ ବଟଲର (୪) ଓ ଜେସନ ରୟ(୦)ଙ୍କୁ ଆଉଟ୍ କରି ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଏହାପରେ ଇଂଲଣ୍ଡ ଚାପରେ ଆସି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଇଂଲଣ୍ଡ ତରଫରୁ ମୋଇନ ଅଲ୍ଲୀ ସର୍ବାଧିକ ୩୫ ରନ୍ କରିଥିବା ବେଳେ ଡେଭିଡ୍ ୱିଲି ଅପରାଜିତ ୩୩ ରନ୍ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର ୩ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଅଧିନାୟକ ଭାବେ ରୋହିତ ଶର୍ମା କ୍ରମାଗତ ୧୪ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଜିତି ରେକର୍ଡ କରିଛନ୍ତି । ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ଖେଳାଯିବ ।

ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରୋହିତ ଓ ପନ୍ତ ପ୍ରଥମ ୱିକେଟ ପାଇଁ ୪.୫ ଓଭରରେ ୪୯ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ଗ୍ଲିସନ ୨୦ ବଲରେ ୩୧ ରନ କରିଥିବା ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।

ଏହାପରେ ବିରାଟ କୋହଲି(୧) ଗ୍ଲିସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲରେ ହିଁ ସେ ୨୬ ରନ କରିଥିବା ପନ୍ତଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏକଦା ୪୯ ରନରେ କୌଣସି ୱିକେଟ ହରାଇ ନଥିବା ଭାରତ ୬୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ସୂର୍ଯ୍ୟ କୁମାର ଯାଦବ ଓ ଇନଫର୍ମ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ କେବଳ ୮୯ ରନ୍‌ରେ ପହଞ୍ଚାଇ ପାରିଥିଲେ। ଉଭୟଙ୍କୁ କ୍ରମାଗତ ଦୁଇଟି ବଲରେ କ୍ରିସ ଜୋର୍ଡାନ ଆଉଟ କରିଥିଲେ।

ସୂର୍ଯ୍ୟ କୁମାର ଯାବଦ ୧୫ ଓ ପାଣ୍ଡ୍ୟା ୧୨ ରନ କରିଛନ୍ତି। ଦୀନେଶ କାର୍ତ୍ତିକ ଭଲ ଆରମ୍ଭ କରିଥିଲେ ହେଁ ୧୨ ରନ କରି ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଛନ୍ତି। ହର୍ଷଲ ପଟେଲ କିଛି ବଡ଼ ଶଟ ଖେଳି ୩ ବଲରେ ୭ ରନ୍‌ କରିଛନ୍ତି। ତାଙ୍କ ୱିକେଟ ଜୋର୍ଡାନଙ୍କ ଖାତାକୁ ଯାଇଛି। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ନିଜର ଯାଦୁ ଦେଖାଇଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ଜାଡେଜା ଶେଷ ଯାଏ ୨୯ ବଲରେ ଅପରାଜିତ ୪୬ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ୨ ରନ୍‌ କରି ଜୋର୍ଡାନଙ୍କ ବଲରେ ଆଉଟ ହୋଇଛନ୍ତି। ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଆସିଥିଲେ ବି କୌଣସି ବଲର ସମ୍ମୁଖୀନ ହୋଇ ନାହାନ୍ତି।

ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଗ୍ଲିସନ ୩ଟି ଓ ଗୋଟିଏ ୱିକେଟ ରନ ଆଉଟ ରୂପେ ମିଳିଛି।