ସାମି, କୋହଲି ଦେଲେ ପଞ୍ଚମ ବିଜୟ, ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷରେ ଭାରତ | News Room Odisha

ସାମି, କୋହଲି ଦେଲେ ପଞ୍ଚମ ବିଜୟ, ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷରେ ଭାରତ

ଧର୍ମଶାଳା: ଚଳିତ ବିଶ୍ୱକପର ଦୁଇ ଶୀର୍ଷ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲାରେ ବାଜି ମାରିନେଇଛି ଭାରତ । ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ପରେ ଚେଜ୍ ମାଷ୍ଟର ବିରାଟ କୋହଲିଙ୍କ ପୁଣି ଏକ ଅର୍ଦ୍ଧଶତକ ବଳରେ ଭାରତ ରବିବାର ଏଠାରେ ଖେଳାଯାଇଥିବା ବିଶ୍ୱକପର ୨୧ତମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ହରାଇ ଦେଇଛି । ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଲଗାତାର ପଞ୍ଚମ ବିଜୟ । ଭାରତ ଚଳିତ ବିଶ୍ୱକପରେ ନିଜ ଅପରାଜେୟ ଧାରା ଜାରି ରଖି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠି ସେମିଫାଇନାଲର ନିକଟତର ହୋଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ପରାଜୟ । ଦଳ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସିଛି । ଭାରତ ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ବିଶ୍ବକପରେ ହରାଇଛି ।

ଡାରିଲ ମିଚେଲଙ୍କ ଶତକ ଓ ରଚିନ ରବୀନ୍ଦ୍ରଙ୍କ ଅର୍ଦ୍ଧଶତକ ସହାୟତାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୭୩ ରନ୍ କରିଥିଲ । ଏହାର ଜବାବରେ ଭାରତ ୨ ଓଭର ବାକିଥାଇ ମ୍ୟାଚ୍ ଜିତିନେଇଥିଲା । ଭାରତର ଚେଜରେ କୋହଲି ପୁଣି କର୍ଣ୍ଣଧାର ସାଜିଥିଲେ। ସେ ୪୯ତମ ଶତକରୁ ମାତ୍ର ୫ ରନ୍ ପାଇଁ ବଞ୍ଚିତ ହୋଇଥିଲେ । ଏହି ଷ୍ଟାର ବ୍ୟାଟ୍ସମ୍ୟାନ ୧୦୪ ବଲରେ ୮ଟି ଚୌକା ଓ ୨ଟି ଛକା ସହ ୯୫ ରନ୍ କରିଥିଲେ ।

ଷଷ୍ଠ ଓ୍ବିକେଟରେ କୋହଲି ଓ ରବୀନ୍ଦ୍ର ଜାଡେଜା ୭୮ ରନ୍ ଯୋଗକରି ଭାରତର ବିଜୟ ନିଶ୍ଚିତ କରିଥିଲେ ‌। ଜାଡେଜା ୪୪ ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ୩୯ ରନ୍ କରି ଅପରାଜିତ ରହିଥିଲେ ।

୨୭୪ ରନର‌ ବିଜୟଲକ୍ଷ୍ୟ ଜବାବରେ ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲ୍ ପୁଣି ଥରେ ଭାରତକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ ‌। ଦୁହେଁ ପ୍ରଥମ ଓ୍ବିକେଟରେ ୭୧ ରନ୍ ଯୋଗ କରିଥିଲେ । ରୋହିତ ୪୦ ବଲରେ ୪ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୪୬ ରନ୍ କରିଥିବା ବେଳେ ଗିଲ୍ ୩୧ ବଲରେ ୫ଟି ଚୌକା ସହ ୨୬ ରନ୍ କରିଥିଲେ ।

ଶ୍ରେୟାସ୍ ଆୟର ୩୩ ଓ କେଏଲ୍ ରାହୁଲ ୨୭ ରନ୍ କରି ଆଉଟ୍ ହୋଇଥିଲେ । ବିଶ୍ୱକପ ଡେବ୍ୟୁ କରିଥିବା ସୂର୍ଯ୍ୟକୁମାର ଯାଦବ ୨ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଫର୍ଗୁସନ୍ ୨ଟି ଓ୍ବିକେଟ୍ ନେଇଥିବା ବେଳେ ବୋଲ୍ଟ, ସାଣ୍ଟନର ଓ ହେନରୀ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ଶୀଘ୍ର ଦୁଇଟି ୱିକେଟ୍ ଖସାଇ ନ୍ୟୁଜିଲାଣ୍ଡକୁ ଆରମ୍ଭରୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା । ନ୍ୟୁଜିଲାଣ୍ଡର ଇନ୍ ଫର୍ମ ବ୍ୟାଟର ଡେଭନ୍ କନ୍‌ୱେ (୦)ଙ୍କୁ ଆୟରଙ୍କ ହାତରେ କ୍ୟାଚ୍ କରାଇ ସିରାଜ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସାମି, ୱିଲ୍ ୟଙ୍ଗ୍ (୧୭)ଙ୍କୁ ନିଜ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ହିଁ କ୍ଲିନ୍ ବୋଲ୍ଡ କରିଦେଇଥିଲେ ।

ନ୍ୟୁଜିଲାଣ୍ଡ ୧୯ ରନ୍‌ରେ ୨ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ଡାରିଲ୍ ମିଚେଲ୍ ଓ ରଚିନ ରବୀନ୍ଦ୍ର ତୃତୀୟ ୱିକେଟରେ ଶତକୀୟ ଭାଗିଦାରୀ ସହ ନ୍ୟୁଜିଲାଣ୍ଡକୁ ଉଦ୍ଧାର କରିଥିଲେ । ମିଚେଲ୍ ଚମତ୍କାର ଶତକ ହାସଲ କରିଥିବା ବେଳେ ରବୀନ୍ଦ୍ର ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଅବଶ୍ୟ ଉଭୟ ରବୀନ୍ଦ୍ର ଓ ମିଚେଲଙ୍କୁ ଜୀବନଦାନ ମିଳିଥିଲା । ରବୀନ୍ଦ୍ର ୧୨ ରନ୍ କରିଥିବା ବେଳେ ସାମିଙ୍କ ବଲ୍‌ରେ ତାଙ୍କର ଏକ କ୍ୟାଚ୍ ଛାଡ଼ି ଦେଇଥିଲେ ଜାଡେଜା । ସେହିପରି ମିଚେଲ୍ ୭୦ ରନ୍ କରିଥିବା ବେଳେ ବୁମରା ତାଙ୍କର କ୍ୟାଚ୍ ଖସାଇଥିଲେ ।

ମିଚେଲ୍‌-ରବୀନ୍ଦ୍ର କ୍ରିଜ୍‌ରେ ଥିବାବେଳେ ଲାଗୁଥିଲା ନ୍ୟୁଜିଲାଣ୍ଡ ୩୦୦ ଟପିିବ । କାରଣ ନ୍ୟୁଜିଲାଣ୍ଡ ୩୪ତମ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୭୮ ରନ୍ କରି ଭଲ ସ୍ଥିତିରେ ଥିଲା । ହେଲେ ଭାରତୀୟ ବୋଲରମାନେ ଶେଷ ଆଡ଼କୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ରନ୍ ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ । ନ୍ୟୁଜିଲାଣ୍ଡ ଶେଷ ୧୩ ଓଭରରେ ମାତ୍ର ୬୮ ରନ୍ ହିଁ ସଂଗ୍ରହ କରିପାରିଥିଲା । ଦଳ ଠିକ୍ ୫୦ ଓଭରରେ ୨୭୩ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ୧୨୭ ବଲ୍‌ରେ ୯ଟି ଚୌକା ଓ ୫ଟି ଛକା ସହ ୧ ୩୦ ରନ୍ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ । ରବୀନ୍ଦ୍ର ୮୭ ବଲ୍‌ରେ ୬ଟି ଚୌକା ଓ ଗୋଟିଏ ଛକା ସହ ୭୫ ରନ୍ କରିଥିଲେ ।

ଚଳିତ ବିଶ୍ୱକପରେ ନିଜ ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ସହ ସାମି ୫୪ ରନରେ ୫ଟି ୱିକେଟ୍ ନେଇଥିଲେ । ଦିନିକିଆ କ୍ୟାରିୟରରେ ଏହା ତଙ୍କର ତୃତୀୟ ୫ ୱିକେଟ୍ ସଫଳତା । ସ୍ପିନର କୁଲଦୀପ ଯାଦବ ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୧୦ ଓଭରରେ ୭୩ ରନ୍ ଦେଇଥିଲେ ଓ ୨ଟି ୱିକେଟ୍ ନେଇଥିଲେ । ବୁମରା ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।