ତୃତୀୟ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଲା ଭାରତ | News Room Odisha

ତୃତୀୟ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଲା ଭାରତ

ବିଶାଖାପାଟଣା: ଦିଲ୍ଲୀ ଓ କଟକରେ ହାରିବା ପରେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି୨୦ରେ ଭାରତ ଲଢୁଆ ପ୍ରତ୍ୟାବର୍ତ୍ତନ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି । ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ଭାରତ ଏହି ପ୍ରତୀକ୍ଷିତ ବିଜୟ ସହ ସିରିଜ୍ ବଞ୍ଚାଇଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାର ଅଗ୍ରଣୀକୁ ୨-୧କୁ ହ୍ରାସ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ଭାବେ ରିଷଭ ପନ୍ତଙ୍କ ମଧ୍ୟ ଏହା ପ୍ରଥମ ବିଜୟ ।

ସିରିଜରେ ଲଗାତର ତୃତୀୟ ଥର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୁଇ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଇଶାନ କିଶାନଙ୍କ ଅର୍ଦ୍ଧଶତକ ସହାୟତାରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ୧୩୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ପ୍ରଥମ ଦୁଇ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆଜି ଭାରତୀୟ ବୋଲରଙ୍କ ଆଗରେ ସଂଘର୍ଷ କରିଥିଲା । ଦଳ ପକ୍ଷରୁ କେହି ବି ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ହାଇନରିଚ କ୍ଲାସେନ୍ ସର୍ବାଧିକ ୨୯ ରନ୍ କରିଥିବା ବେଳେ ରୀଜା ହେଣ୍ଡ୍ରିକ୍ସ ୨୩ ରନ୍ କରିଥିଲେ । ଭାରତ ତରଫରୁ ହର୍ଷଲ ପଟେଲ୍ ୪ଟି ୱିକେଟ୍ ନେଇଥିବା ବେଳେ ସ୍ପିନର ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ୍ ହାସଲ କରିଥିଲେ । ସିରିଜର ଚତୁର୍ଥ ମ୍ୟାଚ୍ ଶୁକ୍ରବାର ରାଜକୋଟରେ ଖେଳାଯିବ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ଈଶାନ କିଶନ ଓ ଗାଏକ୍ୱାଡ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମେ ୱିକେଟ ପାଇଁ ୯ ଓଭର ସୁଦ୍ଧା ୯୭ ରନ୍‌ ଯୋଡ଼ିଥିଲେ। ଲାଗୁଥିଲା ଭାରତ ଆଜିର ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍ କରିବ। କିନ୍ତୁ ଏତିକି ବେଳେ ୩୫ ବଲରେ ୫୭ ରନର ଇନିଂସ ଖେଳିଥିବା ଗାଏକ୍ୱାଡଙ୍କୁ କେଶବ ମହାରାଜ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ।

୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର କେବଳ ୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ତାବ୍ରାଇଜ ଶାମସୀ ନେଇଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ୧୨୮ ରନ୍‌ରେ ଦ୍ୱିତୀୟ ୱିକେଟ ହରାଇଥିବା ଭାରତ ୧୩୧ ରନ୍‌ରେ ଈଶାନ କିଶନ(୫୪)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଡ୍ୱେନ ପ୍ରିଟୋରିୟସ ନେଇଥିଲେ। ଆଉଟ ହେବା ପୂର୍ବରୁ ସେ ୩୫ ବଲରେ ୫ ଚୌକା ଓ ୨ଟି ଛକା ବଳରେ ୫୪ ରନ୍‌ର ଇନିଂସ ଖେଳିଥିଲେ।

ତେବେ ଅଧିନାୟକ ଋଷଭ ପନ୍ତ(୬) ଆଜି ପୁଣି ନିରାଶ କରିଛନ୍ତି। କଟକରେ କିଛି ବଡ଼ ଶଟ ଖେଳିଥିବା ଦୀନେଶ କାର୍ତ୍ତିକ ମଧ୍ୟ କେବଳ ୬ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ପାଣ୍ଡ୍ୟା ଶେଷ ଯାଏ ୩୧ ରନ୍‌ କରି ଅପରାଜିତ ରହିବାରୁ ଭାରତର ସ୍କୋର ୧୭୯ରେ ପହଞ୍ଚି ପାରିଛି। ତାଙ୍କ ସହ ଅକ୍ଷର ପଟେଲ ୨ ବଲରେ ୫ ରନ୍‌ କରି ଶେଷ ଯାଏ କ୍ରିଜରେ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରିଟୋରିୟସ ୨ଟି ୱିକେଟ ନେଇଥିବା ବେଳେ କାଗିସୋ ରବାଡା ଶାମସୀ ଓ ମହାରାଜ ଗୋଟିଏ ଲେଖାଏ ସଫଳତା ପାଇଥିଲେ।