କୋହଲିଙ୍କ ୪୫ତମ ଶତକ, ପ୍ରଥମ ଦିନିକିଆରେ ଭାରତ ୬୭ ରନରେ ବିଜୟୀ | News Room Odisha

କୋହଲିଙ୍କ ୪୫ତମ ଶତକ, ପ୍ରଥମ ଦିନିକିଆରେ ଭାରତ ୬୭ ରନରେ ବିଜୟୀ

ଗୁଆହାଟୀ: ବିରାଟ କୋହଲିଙ୍କ ୪୫ତମ ଶତକ ଓ କ୍ୟାପଟେନ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଭାରତ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇଛି । କୋହଲି ନୂଆବର୍ଷ ଆରମ୍ଭରୁ ଶତକ ମାରିଥିବା ବେଳେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍ ହରାଇ ୩୭୩ ରନର ବିଶାଳ ସ୍କୋର କରିଥିଲା । କୋହଲି ୮୭ଟି ବଲରେ ୧୨ଟି ଚୌକା ଓ ଗୋଟିଏ ଛକା ସହ ୧୧୩ ରନ୍ କରିଥିଲେ ।

ଏହାର ଜବାବରେ ଅଧିନାୟକ ଦାସୁନ ଶନକାଙ୍କ ଲଢୁଆ ଶତକ ସତ୍ତ୍ୱେ ଶ୍ରୀଲଙ୍କା ୮ ୱିକେଟ୍ ହରାଇ ୩୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ଶନକା ୮୮ଟି ବଲରେ ୧୨ଟି ଚୌକା ଓ ୩ଟି ଛକା ସହ ୧୦୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପନର ପାଥୁମ୍ ନିଶଙ୍କା ୭୨ ରନ୍ କରିଥିବା ବେଳେ ଧନଞ୍ଜୟ ଡି’ସିଲଭା ୪୭ ରନ୍ କରିଥିଲେ । ଭାରତ ତରଫରୁ ଉମ୍ରାନ ମଲିକ୍ ୩ଟି ୱିକେଟ୍ ହାସଲ କରିଥିବା ବେଳେ ମହମ୍ମଦ ସିରାଜ ୨ଟି ୱିକେଟ୍ ନେଇଥିଲେ । ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଏହି ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଗୁରୁବାର କୋଲକାତାରେ ଖେଳାଯିବ ।

ପୂର୍ବରୁ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନକା ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ରୋହିତ ଶର୍ମା ଓ ଗିଲ୍ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ପ୍ରଥମ ୱିକେଟ ପାଇଁ ୧୯.୪ ଓଭର ସୁଦ୍ଧା ୧୪୩ ରନ ଯୋଡ଼ିଥିଲା। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ତେବେ ଏତିକି ବେଳେ ୭୦ ରନ କରିଥିବା ଗିଲ୍‌ଙ୍କୁ ଶଣକା ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଆଉ ୩୦ ରନ ପରେ ରୋହିତ ଶର୍ମା ମଧ୍ୟ ୮୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ୬୭ ବଲରେ ୮୩ ରନର ଇନିଂସ ଖେଳିଥିବା ରୋହିତ ୩ଟି ଛକା ଓ ୯ଟି ଚୌକା ମାରିଛନ୍ତି। ଭାରତ ୩୦ ରନ ଭିତରେ ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ରନ ସଂଗ୍ରହ ହାରରେ ବ୍ରେକ ଲାଗି ନଥିଲା।

ବିରାଟ କୋହଲି ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇ ଦଳକୁ ସମ୍ଭାଳିଥିଲେ। ତାଙ୍କୁ ଶ୍ରେୟସ ଆୟର(୨୮) ଓ କେଏଲ ରାହୁଲ(୩୯) କିଛି ସମୟ ସାଥ ଦେଇଥିଲେ। ଏସବୁ ଭିତରେ ବିରାଟ ୪୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରି ବଡ଼ବଡ଼ ଶଟ ଖେଳିଥିଲେ। ଏଥିସହ ୮୦ ବଲରେ ନିଜର ୪୫ତମ ଦିନିକିଆ ଶତକ ହାସଲ କରିଥିଲେ।

ଶତକ ହାସଲ କରିବା ପରେ ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଲୋଭରେ ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ କାସୁନ ରଜିଥା ନେଇଛନ୍ତି। ଆଉଟ ହେବା ପୂର୍ବରୁ ବିରାଟ ୮୭ ବଲର ସମ୍ମୁଖୀନ ହୋଇ ୧୧୩ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ବିରାଟ ଆଉଟ ହେବା ପୂର୍ବରୁ ଟି-୨୦ ସିରିଜର ହିରୋ ଅକ୍ଷର ପଟେଲ ୯ ରନ କରି ଚାମିକା କରୁଣାରତ୍ନେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
ଶେଷ ଭାଗରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ନଥିଲା। ୪୯ ଓଭର ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୩୬୭ ରନ କରିଥିଲା। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ କରୁଣାରତ୍ନେ। ସେ ମାତ୍ର ୬ ରନ ଦେବାରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିଥିଲା ।