ମୋହାଲି ଟେଷ୍ଟରେ ଭାରତର ବଡ଼ ବିଜୟ, ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ହରାଇଲା | News Room Odisha

ମୋହାଲି ଟେଷ୍ଟରେ ଭାରତର ବଡ଼ ବିଜୟ, ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ହରାଇଲା

ମୋହାଲି: ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସହାୟତାରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଅଢେଇ ଦିନ ମଧ୍ୟରେ ଧରାଶାୟୀ କରିଛି । ଟିମ୍ ଇଣ୍ଡିଆ ଏକ ଇନିଂସ ଏବଂ ୨୨୨ ରନରେ ଶ୍ରୀଲଙ୍କାକୁ ହରାଇଛି। ଏହା ସହ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଲୋଅନ ହେବା ପରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୧୭୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫୭୪/୮ କରିଥିଲା ​​(ଘୋଷିତ)। ଏହାର ଜବାବରେ ଶ୍ରୀଲଙ୍କାର ପ୍ରଥମ ଇନିଂସରେ ୧୭୪ ରନରେ ସୀମିତ ରହି ଫଲୋଅନ ହୋଇଥିଲା ।

ଏହି ଜବରଦସ୍ତ ବିଜୟ ସହ ଭାରତୀୟ ଦଳ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୧୦୦ ତମ ଟେଷ୍ଟ କୁ ସ୍ମରଣୀୟ କରି ତାଙ୍କୁ ପ୍ରକୃଷ୍ଟ ଉପହାର ଦେଇଛି ।

ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ଏହା ହେଉଛି ଦ୍ୱିତୀୟ ବୃହତ୍ତମ ବିଜୟ | ଏହାପୂର୍ବରୁ ୨୦୧୭ରେ ନାଗପୁର ଟେଷ୍ଟରେ ଭାରତ ଏକ ଇନିଂସ ଏବଂ ୨୩୯ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।

ଏହି ଟେଷ୍ଟ ମ୍ୟାଚରେ ଜାଡେଜା ନାୟକ ସାଜିଥିଲେ । ସେ ପ୍ରଥମ ଇନିଂସରେ ୧୭୫ ରନର ଅପରାଜିତ ପାଳି ଖେଳିବା ପରେ ଶ୍ରୀଲଙ୍କାର ପ୍ରଥମ ଇନିଂସରେ ୫ ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ୍ ମ୍ୟାଚରେ ୭ ୱିକେଟ୍ ହାସଲ କରିଛନ୍ତି। ଏଥିସହ ସେ କିମ୍ବଦନ୍ତୀ କପିଲ ଦେବଙ୍କୁ ଟପି ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ | ଏହା ଏକ ଦିବାରାତ୍ର ଟେଷ୍ଟ ହେବ ।