ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ, ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇ ସିରିଜ୍ ଜିତିଲା ଭାରତ | News Room Odisha

ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ, ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇ ସିରିଜ୍ ଜିତିଲା ଭାରତ

ଅହମ୍ମଦାବାଦ: ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ବଳରେ ଭାରତ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇଛି । ଏହି ବୃହତ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି । ଦିନିକିଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ସିରିଜରେ ଭାରତ ସଫଳତା ହାସଲ କରିଛି ।

ଏହି ଲୋ ସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ ଆମନ୍ତ୍ରିତ ହୋଇ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ କେଏଲ ରାହୁଲଙ୍କ ଉପଯୋଗୀ ଇନିଂସ୍ ବଳରେ ୯ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ୪୬ ଓଭରରେ ମାତ୍ର ୧୯୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଶମରା ବ୍ରୁକ୍ସ ସର୍ବାଧିକ ୪୪ ରନ୍ କରିଥିବା ବେଳେ ଅକିଲ ହୁସେନ୍ ୩୪ ଓ ଓଡିଆନ୍ ସ୍ମିଥ୍ ୨୪ ରନ୍ କରିଥିଲେ । ଭାରତ ପକ୍ଷରୁ କ୍ରିଷ୍ଣା ମାତ୍ର ୧୨ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ୨ଟ ୱିକେଟ୍ ହାସଲ କରିଥିବା ବେଳେ ସିରାଜ, ଚହଲ, ସୁନ୍ଦର ଓ ହୁଡା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ପୂର୍ବରୁ ୱେଷ୍ଟଇଣ୍ଡିଜ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଘାତ କାରଣରୁ ଆଜି ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଖେଳିନଥିଲେ । ତାଙ୍କ ସ୍ଥାନରେ ନିକୋଲାସ୍ ପୁରନ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ଟିମ୍ ମ୍ୟାନେଜମେଣ୍ଟ ଆଜି କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ସହ ରିଷଭ ପନ୍ତଙ୍କୁ ଓପନ୍ କରିବାକୁ ପଠାଇ ପରୀକ୍ଷା ନିରୀକ୍ଷା କରିଥିଲା। କିନ୍ତୁ ଏହା ସଫଳ ହୋଇନଥିଲା। ମ୍ୟାଚର ତୃତୀୟ ଓଭରରେ ରୋହିତ୍ (୬)ଙ୍କୁ ଆଉଟ୍ କରିଥିଲେ କେମାର ରୋଚ୍। ସେହିପରି ପନ୍ତ (୧୮) ମଧ୍ୟ ଖରାପ ଶଟ୍ ଖେଳି ନିଜ ୱିକେଟ୍ ଦେଇ ବସିଥିଲେ। ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟ୍ ପୁଣି ଚୁପ୍ ରହିଥିଲା। କୋହଲି ମାତ୍ର ୧୮ ରନ୍ କରି ଓଡେନ୍ ସ୍ମିଥଙ୍କ ଶିକାର ହୋଇଥିଲେ।

୪୩ ରନରେ ୩ ୱିକେଟ୍ ହରାଇ ଭାରତ ସଂକଟରେ ପଡ଼ିଥିଲା ବେଳେ ରାହୁଲ୍ ଓ ସୂର୍ଯ୍ୟକୁମାର ଲଢ଼ିଥିଲେ। ଦୁହେଁ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ୨୫ ଓଭର ପରେ ରାହୁଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଠିକଣା ସମୟରେ ରାହୁଲଙ୍କ ରନଆଉଟ୍ ଭାରତକୁ ପୁଣିଥରେ ବ୍ୟାକଫୁଟକୁ ଠେଲି ଦେଇଥିଲା। ରାହୁଲ୍ ୪୮ ବଲରେ ୪ ଚୌକା ଓ ୨ ଛକା ସହ ୪୯ ରନ୍ କରିଥିଲେ।
ସୂର୍ଯ୍ୟକୁମାର ନିଜର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ସେ ଖରାପ ଶଟ୍ ଖେଳି ନିଜ ୱିକେଟ୍ ହରାଇଥିଲେ। ସୂର୍ଯ୍ୟକୁମାର ୮୩ ବଲରେ ୫ ଚୌକା ସହ ୬୪ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୨୪ ରନ୍ କରି ଅକିଲ୍ ହୋସେନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ପ୍ରଥମ ଦିନିକିଆରେ ପଦାର୍ପଣ କରିଥିବା ଦୀପକ ହୁଡା ୨୫ ବଲରେ ୨୯ ରନ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଶାର୍ଦ୍ଦୁଲ ଠାକୁର (୮) ଓ ମହମ୍ମଦ ସିରାଜ (୩) ନିରାଶ କରିଥିଲେ। ୟୁଜବେନ୍ଦ୍ର ଚହଲ୍ ୧୧ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅଲଜାରୀ ଜୋସେଫ୍ ଓ ସ୍ମିଥ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।