ମହିଳା ଟି୨୦ ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ, ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା | News Room Odisha

ମହିଳା ଟି୨୦ ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ, ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା

କେପ୍ ଟାଉନ୍‌: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ ନିଜ ଜୟଯାତ୍ରା ଜାରି ରଖିଛି । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇବା ପରେ ଭାରତ ବୁଧବାର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ଭାରତ ଗ୍ରୁପ୍‌-୨ରେ ଇଂଲଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଚଳିତ ବିଶ୍ୱକପରେ ୱେଷ୍ଟଇଣ୍ଡିଜର ଏହା ଲଗାତାର ଦ୍ୱିତୀୟ ପରାଜୟ । ଟି୨୦ ଫର୍ମାଟରେ ମଧ୍ୟ ଦଳର ଏହା କ୍ରମାଗତ ୧୩ତମ ପରାଜୟ ।

ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଆଗରେ ସଂଘର୍ଷ କରିଥିଲା । ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୧୮ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହାର ଜବାବରେ ଭାରତ ୧୧ଟି ବଲ୍ ପୂର୍ବରୁ ମ୍ୟାଚ୍ ଜିତି ନେଇଥିଲା । ଭାରତ ତରଫରୁ ପୁଣି ରିଚା ଘୋଷ ଏକ ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ । ସେ ୩୨ଟି ବଲରେ ୫ଟି ଚୌକା ସହ ଆକର୍ଷଣୀୟ ୪୪ ରନ୍ କରି ଅପରାଜିତ ରହିଥିଲେ । କ୍ୟାପଟେନ୍ ହରମନପ୍ରୀତ କୌର ୪୨ଟି ବଲରେ ୩ଟି ଚୌକା ସହ ୩୩ ରନ୍ କରିଥିଲେ । ସ୍ପିନର ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ୱେଷ୍ଟଇଣ୍ଡିଜ୍ ପ୍ରଦତ୍ତ ୧୧୯ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ତରଫରୁ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ପାଳି ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟରେ ୩୨ ରନ୍ ଯୋଗ କରିଥିଲେ । ତେବେ ଏଥିମଧ୍ୟରୁ ଶେଫାଳି ହିଁ ଅଧାରୁ ଅଧିକ ରନ୍ କରିଥିଲେ । ଆଘାତ ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବଞ୍ଚିତ ହେବା ପରେ ଫେରିଥିବା ମନ୍ଧାନା ଖାସ୍ କିଛି କରିପାରିନଥିଲେ । ସେ ୧୦ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଶେଫାଳି ୨୩ଟି ବଲରେ ୫ଟି ଚୌକା ସହ ୨୮ ରନ୍ କରିଥିଲେ ।
ମନ୍ଧାନାଙ୍କ ୱିକେଟ୍ ପରେ କ୍ରିଜକୁ ଓହ୍ଲାଇଥିବା ଗତ ମ୍ୟାଚର ନାୟିକା ଜେମିମା ରଡ୍ରଗ୍ୱେଜ୍ ଏଥର ବିଫଳ ହୋଇଥିଲେ । ସେ ମାତ୍ର ୧ ରନ୍ କରିଥିଲେ ମାଥ୍ୟୁସଙ୍କ ବଲରେ ଆଉଟ୍ ହୋଇଯିବା ପରେ ଭାରତ ୩୫ ରନରେ ୨ ୱିକେଟ୍ ହରାଇଥିଲା । ପରେ ଶେଫାଳିଙ୍କୁ ଆଉଟ୍ କରି ରାମହାରକ୍ ଭାରତକୁ ଆଉ ଏକ ଝଟକା ଦେଇଥିଲେ । ଭାରତ ୪୩ ରନରେ ୩ ୱିକେଟ୍ ହରାଇବା ପରେ କ୍ୟାପଟେନ ହରମନପ୍ରୀତ ଓ ରିଚା ଏକାଠି ହୋଇ ସ୍କୋରକୁ ଆଗେଇ ନେଇଥିଲେ । ଦୁହେଁ ଚତୁର୍ଥ ୱିକେଟରେ ୭୨ ରନ୍ ଯୋଗକରି ଭାରତକୁ ବିଜୟର ନିକଟତର କରାଇଥିଲେ । ବିଜୟଲକ୍ଷ୍ୟରୁ ଭାରତ ଆଉ ୪ ରନ୍ ଦୂରରେ ଥିବା ବେଳେ ହରମନପ୍ରୀତ ଆଉଟ୍ ହୋଇଯାଇଥିଲେ । ହେଲେ ରିଚା ଔପଚାରିକତା ପୂରଣ କରିଥିଲେ ।

ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଭାରତ ମାପଚୁପ ବୋଲିଂ ସହ ୱେଷ୍ଟଇଣ୍ଡିଜ ସ୍କୋରିଂ ରେଟ୍ ଉପରେ ଅଙ୍କୁଶ ଲଗାଇଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଷ୍ଟେଫାନି ଟେଲର ସର୍ବାଧିକ ୪୨ ରନ୍ କରିଥିବା ବେଳେ ଶେର୍ମନ କ୍ୟାମ୍ପବେଲ୍ ୨୮ ଓ ଚେଡିଆନ୍ ନେସନ୍ ଅପରାଜିତ ୨୧ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ୍ ହାସଲ କରିଥିବା ବେଳେ ରେଣୁକା ସିଂହ ଓ ପୂଜା ଭସ୍ତ୍ରାକର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।