ଫର୍ମକୁ ଫେରିଲେ କୋହଲି, ଦ୍ୱିତୀୟ ଟି୨୦ ସହ ସିରିଜ୍ ଜିତିଲା ଭାରତ | News Room Odisha

ଫର୍ମକୁ ଫେରିଲେ କୋହଲି, ଦ୍ୱିତୀୟ ଟି୨୦ ସହ ସିରିଜ୍ ଜିତିଲା ଭାରତ

କୋଲକାତା: ବିରାଟ କୋହଲି ଶେଷରେ ଫର୍ମକୁ ଫେରିଥିବା ବେଳେ ଭାରତ ଏଠାରେ ଶୁକ୍ରବାର ଅନୁଷ୍ଠିତ ରୋମାଞ୍ଚକର ଦ୍ୱିତୀୟ ଟି୨୦ରେ ୱେଷ୍ଟଇଣ୍ଡିଜକୁ ୮ ରନରେ ହରାଇଛି । ଏହି ବିଜୟ ସହ ଭାରତ ୨-୦ ଅଗ୍ରଣୀ ପୂର୍ବକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁୁ ଆଗୁଆ କବ୍‌ଜା କରିନେଇଛି । ଦିନିକିଆ ସିରିଜ୍ ପରେ ଭାରତ ଟି୨୦ ବି ଜିତିଛି ।

ଇଡେନ ଗାର୍ଡେନ୍ସରେ ଆଜି କୋହଲିଙ୍କ ବ୍ୟାଟରୁ ରନ୍ ବର୍ଷା ଦେଖିଥିଲେ ପ୍ରଶଂସକ । କୋହଲି ଓ ରିଷଭ ପନ୍ତଙ୍କ ଚତ୍ତାକର୍ଷକ ଅର୍ଦ୍ଧଶତକ ସାଙ୍ଗକୁ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ଧୂଆଁଧାର ପାଳି ବଳରେ ଭାରତ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଁ ୫ ୱିକେଟରେ ୧୮୬ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ୩ ୱିକେଟ୍ ହରାଇ ୧୭୮ ରନ୍ କରିବାକୁ ସମର୍ଥ ହୋଇଥିଲା ।

୧୮୭ ରନର ବିଜୟଲକ୍ଷ୍ୟ ଜବାବରେ ନିକୋଲାସ୍ ପୁରାନ୍ ଓ ରୋଭମ୍ୟାନ୍ ପାୱେଲ ଧମାକାଦାର ପାଳି ସହ ଶେଷ ପର୍ଯ୍ୟନ୍ତ ଭାରତୀୟ ଶିବିରରେ ଛନକା ସୃଷ୍ଟି କରିଥିଲେ । ହେଲେ ଭାରତର ଯୁବ ବୋଲିଂ ଆକ୍ରମଣ ୱେଷ୍ଟଇଣ୍ଡିଜକୁ ରୋକିବାରେ ସଫଳ ହୋଇଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ପାୱେଲ ମାତ୍ର ୩୬ ବଲରେ ୪ଟି ଚୌକା ଓ ୫ଟି ଛକା ସହ ୬୮ ରନ୍ କରି ଅପରାଜିତ ରହିଥିଲେ । ପୁରାନ ୪୧ଟି ବଲରେ ୫ଟି ଚୌକା ଓ ୩ଟି ଛକା ସହାୟତାରେ ୬୨ ରନ୍ କରିଥିଲେ । ଏ ଦୁହେଁ ତୃତୀୟ ୱିକେଟରେ ୧୦୦ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାକୁ ବସିଥିଲେ । ତେବେ ୧୯ତମ ଓଭରରେ ପୁରାନଙ୍କୁ ଆଉଟ୍ କରି ଅଭିଜ୍ଞ ଭୁବନେଶ୍ୱର କୁମାର ଭାରତକୁ ବଡ଼ ଆଶ୍ୱସ୍ତି ଦେଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର, ଚହଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।ଇଡେନ୍ ଗାର୍ଡେନ୍ସରେ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଆଇପିଏଲରେ ରେକର୍ଡ ଦରରେ ନିଲାମ ହୋଇଥିବା ଈଶାନ୍ କିଶନ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ପ୍ରଥମ ଟି-୨୦ରେ ଜବରଦସ୍ତ ବ୍ୟାଟିଂ କରିଥିବା ରୋହିତ୍ ଶର୍ମା (୧୯) ମଧ୍ୟ ଫେଲ୍ ମାରିଥିଲେ। ରୋହିତଙ୍କୁ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ। ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଲଗାତର ଖରାପ ଫର୍ମରେ ଥିବା ବିରାଟ କୋହଲି ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ କୋହଲି ନିଜ ୱିକେଟ୍‌ ହରାଇ ବସିଥିଲେ। ସେ ୪୧ ବଲର ସାମ୍ନା କରି ୭ ଚୌକା ଓ ୧ ଛକା ସହ ୫୨ ରନ୍ କରିଥିଲେ। କୋହଲିଙ୍କ ଆଉଟ୍ ପରେ ଋଷଭ ପନ୍ତ ଓ ଭେଙ୍କଟେଶ ଆୟର୍ ରନ୍ ଗତି ଜାରି ରଖିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତକୁ ମଜଭୁତ ସ୍କୋରରେ ପହଞ୍ଚାଇଥିଲେ।

ଆୟର୍ ୧୮ ବଲରେ ୪ ଚୌକା ଓ ୧ ଛକା ସହ ୩୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପନ୍ତ ୨୮ ବଲରେ ୭ ଚୌକା ଓ ୧ ଛକା ସହାୟତାରେ ୫୨ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଚେଜ ୩ଟି, ଶେଲଡନ୍ କଟ୍ଟରେଲ୍ ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।