ମହିଳା ଏସିଆ କପ୍: ଭାରତ ରେକର୍ଡ ସପ୍ତମ ଥର ଚାମ୍ପିୟନ | News Room Odisha

ମହିଳା ଏସିଆ କପ୍: ଭାରତ ରେକର୍ଡ ସପ୍ତମ ଥର ଚାମ୍ପିୟନ

ସିଲହେଟ୍: ମହିଳା ଏସିଆ କପ୍ ରେ ଭାରତ ପୁଣି ଆଧିପତ୍ୟ ଜାହିର କରିଛି । ଆଜି ଖେଳାଯାଇଥିବା ଫାଇନାଲରେ ଭାରତ ୮ ୱିକେଟରେ ଶ୍ରୀଲଙ୍କାକୁ ହରାଇ ସପ୍ତମ ଥର ପାଇଁ ଟ୍ରଫି ହାସଲ କରିଛି । ଏସିଆ କପ୍‌ର ୮ ଟି ସଂସ୍କରଣ ମଧ୍ୟରୁ ଭାରତ କେବଳ ୨୦୧୮କୁ ଛାଡ଼ି ସବୁ ଥର ଚାମ୍ପିୟନ ହୋଇଛି ।

ବାଂଲାଦେଶର ସିଲହେଟରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୬୫ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା ।

ଏହାର ଜବାବରେ ଭାରତ ମାତ୍ର ୮.୩ ଓଭରରେ ୨ ୱିକେଟ୍ ହରାଇ ୭୧ ରନ୍ କରି ବିଜୟ ହାସଲ କରିଥିଲା। ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୫୧ ରନ୍ କରି ଅପରାଜିତ ରହିଥିଲେ । ମନ୍ଧାନାଙ୍କ ପାଳିଲେ ୬ଟି ଚୌକା ସାମିଲ ଥିଲା।

କ୍ୟାପଟେନ ହରମନପ୍ରୀତ କୌର ଅପରାଜିତ ୧୧ ରନ୍ କରିଥିଲେ। ଶେଫାଳି ବର୍ମା ୫ ଏବଂ ଜେମିମା ରଡ୍ରିଗ୍ବେଜ୍ ୨ ରନ୍ କରି ଆଉଟ୍ ହୋଇଥିଲେ।

ଏହାପୂର୍ବରୁ ଶ୍ରୀଲଙ୍କା ଅଧିନାୟକ ଚାମାରି ଅଟପାଟ୍ଟୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍ ଅପ୍ ତାସର ଘର ପରି ଭୁଶୁଡ଼ି ଯାଇଥିଲା । ଦଳ ୩୦ ରନ୍ ବେଳକୁ ୮ ଓ୍ବିକେଟ୍ ହରାଇ ସଂଘର୍ଷ କରୁଥିଲା । ଶ୍ରୀଲଙ୍କା ପାଇଁ ଓଶାଡି ରଣସିଂଘେ ସର୍ବାଧିକ ୧୩ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଳ ଛୁଇଁ ପାରିନଥିଲେ।
ଭାରତ ତରଫରୁ ରେଣୁକା ସିଂ ୩ଟି ୱିକେଟ୍ ନେଇଥିବା ବେଳେ ରାଜେଶ୍ୱରୀ ଗାଏକୱାଡ ଏବଂ ସ୍ନେହ ରାଣା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ସର୍ବପ୍ରଥମେ ୨୦୦୪ରେ ଶ୍ରୀଲଙ୍କାରେ ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳେ ଏହା ଦିନିକିଆ ଫର୍ମାଟରେ ଖେଳାଯାଉଥିଲା। ୨୦୨୨ରେ ପ୍ରଥମ ଥର ପାଇଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଛି | ଏସିଆ କପର ଏହା ଅଷ୍ଟମ ସଂସ୍କରଣ ଥିଲା । ୨୦୧୮କୁ ଛାଡ଼ି ଭାରତ ପ୍ରତ୍ୟେକ ଥର ଏହି ଟୁର୍ନାମେଣ୍ଟ ଜିତିଛି | କରୋନା କାରଣରୁ ୨୦୨୦ରେ ଏସିଆ କପ୍ ଅନୁଷ୍ଠିତ ହୋଇପାରିନଥିଲା ।