ରାଜକୋଟ୍‌ରେ ସୂର୍ଯ୍ୟଙ୍କ ରାଜ, ସିରିଜ୍ ହାତେଇଲା ଭାରତ | News Room Odisha

ରାଜକୋଟ୍‌ରେ ସୂର୍ଯ୍ୟଙ୍କ ରାଜ, ସିରିଜ୍ ହାତେଇଲା ଭାରତ

ରାଜକୋଟ୍‌: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ସହାୟତାରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇ ବୃହତ ବିଜୟ ହାସଲ କରିଛି । ଏଥିସହ ଭାରତ ନୂଆ ବର୍ଷର ଏହି ପ୍ରଥମ ସିରିଜକୁ ୨-୧ରେ ଜିତିନେଇଛି । ରଜକୋଟରେ ସୂର୍ଯ୍ୟଙ୍କ ରାଜ୍ ଦେଖିବାକୁ ମିଳିଥିଲା । ସୂର୍ଯ୍ୟ ମାତ୍ର ୫୧ଟି ବଲରେ ୭ଟି ଚୌକା ଓ ୯ଟି ଛକା ସହ ଅପରାଜିତ ୧୧୨ ରନ୍ କରିଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରିଥିଲା । ସୂର୍ଯ୍ୟଙ୍କ ଟି୨୦ କ୍ୟାରିୟରର ଏହା ତୃତୀୟ ଶତକ ଥିଲା । ଏହା ମଧ୍ୟ ଭାରତ ପକ୍ଷରୁ ଏହି ଫର୍ମାଟରେ ଦ୍ୱିତୀୟ ଦ୍ରୁତତମ ଶତକ । ସୂର୍ଯ୍ୟ ମାତ୍ର ୪୫ ବଲରେ ଶତକ ହାସଲ କରିଥିଲେ ।

ଭାରତ ପ୍ରଦତ୍ତ ୨୨୯ ରନର ବିଶାଳ ବିଜୟଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ନିୟମିତ ୱିକେଟ୍ ହରାଇଥିଲା । ଶ୍ରୀଲଙ୍କା ୧୬.୪ ଓଭରରେ କେବଳ ୧୩୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଟପିପାରିନଥିଲେ । ଅଧିନାୟକ ଦାସୁନ ଶନକା ଓ କୁସଲ ମେଣ୍ଡିସ୍ ୨୩-୨୩ କରିଥିଲେ । ଭାରତ ତରଫରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା, ଉମ୍ରାନ ମଲିକ ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ସୂର୍ଯ୍ୟକୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଅକ୍ଷର ପଟେଲ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

ପୂର୍ବରୁ ହାର୍ଦ୍ଦିକ ପାଣ୍ତ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଥମ ଓଭରରେ ହିଁ ଦଳ ଈଶାନ କିଶନ(୧)ଙ୍କୁ ହରାଇଥିଲା। ହେଲେ ଗତ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ରାହୁଲ ତ୍ରିପାଠୀ ତାଙ୍କ ଚମକ ଦେଖାଇଥିଲେ।

ସେ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ସେ ୧୬ ବଲରେ ୩୫ ରନ କରିଥିବା ବେଳେ ତାଙ୍କୁ କରୁଣାରତ୍ନେ ଆଉଟ କରି ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲେ। ଦଳୀୟ ସ୍କୋର ୫୨ ଥିବା ବେଳେ କ୍ରିଜ୍‌କୁ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ।
ସେ ଆରମ୍ଭରୁ ହିଁ ବଡ଼ବଡ଼ ଶଟ ଖେଳିଥିଲେ। ତାଙ୍କୁ ଶୁବମନ ଗିଲ୍‌ ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ ପାଇଁ ୧୧୧ ରନ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ସୂର୍ଯ୍ୟ କୁମାର ମଧ୍ୟ ମାତ୍ର ୨୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ।
ତେବେ ଏହି ସବୁ ଭିତରେ ୩୬ ବଲରେ ୪୬ ରନ କରିଥିବା ଗିଲ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଯାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୪) ଓ ଦୀପକ ହୁଡ୍ଡା(୪) ମଧ୍ୟ ବେଶୀ କିଛି କରିପାରି ନଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସୂର୍ଯ୍ୟ କୁମାର ତାଙ୍କର ଦମଦାର ବ୍ୟାଟିଂ ଜାରି ରଖିଥିଲେ। ଏଥିସହ ୪୫ ବଲରେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ତୃତୀୟ ଶତକ। ଶେଷ ଭାଗରେ ଅକ୍ଷର ପଟେଲଙ୍କ ବ୍ୟାଟରୁ ମଧ୍ୟ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ମିଳିତ ଭାବେ ଦଳୀୟ ସ୍କୋରକୁ ୧୮୯ରୁ ନେଇ ୨୨୮ରେ ପହଞ୍ଚାଇଥିଲେ। ସୂର୍ଯ୍ୟ କୁମାର ଶେଷ ଯାଏ ଅପରାଜିତ ରହିବା ସହ ୫୧ ବଲରେ ୧୧୨ ରନ କରିଛନ୍ତି।

ଏହି ଇନିଂସରେ ସେ ୭ଟି ଚୌକା ଓ ୯ଟି ବିଶାଳ ଛକା ମାରିଛନ୍ତି। ଅକ୍ଷର ପଟେଲ ୯ ବଲରେ ଅପରାଜିତ ୨୧ ରନ କରିଛନ୍ତି। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନ କରିଛି ।