ନୂଆଦିଲ୍ଲୀ: କାନାଡାରେ ଭାଗବତ୍ ଗୀତା ନାମକ ଏକ ପାର୍କରେ ଭଙ୍ଗାରୁଜା ଘଟଣାକୁ ଭାରତ ନିନ୍ଦା କରିଛି। ଏହାକୁ ହେଟ୍ କ୍ରାଇମ୍ ବୋଲି କହି କାନାଡାର ଭାରତୀୟ ହାଇ କମିଶନ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ଏହି ପାର୍କ ପୂର୍ବରୁ ଟ୍ରାୟର୍ସ ପାର୍କ ଭାବରେ ଜଣାଶୁଣା ଥିଲା, ଯାହାକୁ ବର୍ତ୍ତମାନ ‘ଶ୍ରୀ ଭାଗବତ ଗୀତା ପାର୍କ’ ନାମରେ ନାମିତ କରାଯାଇଛି | ସେପ୍ଟେମ୍ବର ୨୮ରେ ଭଗବଦ୍ ଗୀତା ପାର୍କର ଉଦଘାଟନ କରାଯାଇଥିଲା।
ଅଟାଓ୍ବାରେ ଅବସ୍ଥାପିତ ଭାରତୀୟ ହାଇ କମିଶନ ଏକ ଟୁଇଟ୍ କରି କହିଛନ୍ତି ଯେ ବ୍ରମ୍ପଟନ୍ର ଶ୍ରୀ ଭାଗବତ ଗୀତା ପାର୍କରେ ଆମେ ହେଟ୍ କ୍ରାଇମକୁ ନିନ୍ଦା କରୁଛୁ। ଅପରାଧୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ କାନାଡା କର୍ତ୍ତୃପକ୍ଷ ଏବଂ ପୀଲ୍ ପୋଲିସକୁ ଅନୁରୋଧ କରୁଛୁ।
ଏହାପୂର୍ବରୁ ଉକ୍ତ ପାର୍କରେ ଭଙ୍ଗାରୁଜା ଘଟଣା ନେଇ ବ୍ରମ୍ପଟନ୍ ମେୟର ପାଟ୍ରିକ୍ ବ୍ରାଉନ୍ ସ୍ପଷ୍ଟ କରିଥିଲେ। ଏହି ଘଟଣାକୁ ନିନ୍ଦା କରି ପାଟ୍ରିକ୍ ବ୍ରାଉନ୍ କହିଥିଲେ ଯେ ଏଭଳି କାର୍ଯ୍ୟ ପ୍ରତି ଆମର ‘ଶୂନ୍ୟ ସହନଶୀଳତା’ ନୀତି ରହିଛି ।
କାନାଡାରେ ନିଜ ନାଗରିକ ତଥା ଛାତ୍ରମାନଙ୍କୁ ଭାରତ ସରକାର ସଜାଗ ରହିବାକୁ ଆଡଭାଇଜରି ଜାରି କରିବାର ୧୦ ଦିନ ପରେ ଏହି ଘଟଣା ଘଟିଛି। କାନାଡାରେ ହେଟ୍ କ୍ରାଇମ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ବଢୁଥିବା ଦୃଷ୍ଟିରୁ ଭାରତ ନିଜ ନାଗରିକଙ୍କ ପାଇଁ ଏଭଳି ଆଡଭାଇଜରି ଜାରି କରିଥିଲା । ଉଲ୍ଲେଖଯୋଗ୍ୟ ଯେ କାନାଡାରେ ପ୍ରାୟ ୧୬ ଲକ୍ଷ ଭାରତୀୟ ଏବଂ ଏନ୍ଆରଆଇ ବାସ କରୁଛନ୍ତି |
ଅନ୍ୟପକ୍ଷରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ହେଟ୍ କ୍ରାଇମ୍, ସାମ୍ପ୍ରଦାୟିକ ହିଂସା ତଥା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ଏ ସଂକ୍ରାନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କାନାଡାକୁ ଅନୁରୋଧ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏଭଳି ଅପରାଧରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାନାଡାରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେପ୍ଟେମ୍ବର ୧୫ରେ ମଧ୍ୟ କାନାଡାରେ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯିବା ନେଇ ଭାରତ ସରକାର ଆପତ୍ତି ଜଣାଇଥିଲେ ।