ଦ୍ୱିତୀୟ ଦିନିକିଆ: ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ହରାଇ ଭାରତର ସିରିଜ୍ କବଜା | News Room Odisha

ଦ୍ୱିତୀୟ ଦିନିକିଆ: ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ହରାଇ ଭାରତର ସିରିଜ୍ କବଜା

ରାୟପୁର: ମହମ୍ମଦ ଶାମିଙ୍କ ନେତୃତ୍ଵରେ ପେସ୍ ବୋଲରଙ୍କ ଘାତକ ପ୍ରଦର୍ଶନ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଛି । ଏହି ସହଜ ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି । ଘରେ ଭାରତର ଏହା କ୍ରମାଗତ ସପ୍ତମ ଦିନିକିଆ ସିରିଜ୍ ବିଜୟ। ଗତ ଚାରି ବର୍ଷ ଧରି ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଗୋଟିଏ ବି ଦିନିକିଆ ସିରିଜ୍ ହାରିନାହିଁ । ଏହା ମଧ୍ୟ ଏହି ଫର୍ମାଟରେ ଭାରତର କ୍ରମାଗତ ଷଷ୍ଠ ବିଜୟ।

ରାୟପୁରର ନବନିର୍ମିତ ଶହୀଦ୍ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୫ ରନରେ ଦଳର ଅଧା ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ । ଦଳ ୩୪.୩ ଓଭରରେ ୧୦୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିଲେ। ମିଚେଲ ସାଣ୍ଟନର୍ ୨୭ ଏବଂ ଗତ ମ୍ୟାଚର ଶତକ ହାସଲକାରୀ ମାଇକେଲ ବ୍ରେସୱେଲ ୨୨ ରନ କରିଥିଲେ। କିୱି ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ। ଶାମି ଭାରତ ତରଫରୁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱାଶିଂଟନ୍ ସୁନ୍ଦର ୨-୨ ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ନ୍ୟୁଜିଲାଣ୍ଡ ପ୍ରଦତ୍ତ ୧୦୯ ରନର ଟାର୍ଗେଟ ଜବାବରେ ଭାରତ ୨ ଓ୍ବିକେଟ୍ ହରାଇ ମାତ୍ର ୨୦.୧ ଓଭରରେ ମ୍ୟାଚ୍ ଜିତି ନେଇଥିଲା । କ୍ୟାପଟେନ ରୋହିତ ଶର୍ମା (୫୧ ରନ୍) ତାଙ୍କର ୪୮ ତମ ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ୍ ହୋଇଥିଲେ। ଶୁଭମାନ ଗିଲଙ୍କ ସହ ରୋହିତ ପ୍ରଥମ ଓ୍ବିକେଟରେ ୮୬ ବଲରୁ ୭୨ ରନର ଓପନିଂ ଭାଗିଦାରୀ କରିଥିଲେ। ଶେଷ ୫ ଇନିଂସରେ ରୋହିତ-ଗିଲଙ୍କ ମଧ୍ୟରେ ଏହା ଚତୁର୍ଥ ୫୦+ ଭାଗିଦାରୀ ଥିଲା | ବିରାଟ କୋହଲି ୧୧ ରନ୍ କରି ଆଉଟ୍ ହୋଇଥିଲେ ‌। ଗତ ମ୍ୟାଚର ହିରୋ ଗିଲ୍ ଓ ଇଶାନ କିଶନ ଔପଚାରିକତା ପୂରଣ କରିଥିଲେ । ଗିଲ୍ ୪୦ ଓ କିଶନ ୮ ରନ୍ କରି ଅପରାଜିତ ରହିଥିଲେ ।

ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମଙ୍ଗଳବାର ଇନ୍ଦୋରରେ ଖେଳାଯିବ ।