ଚୀନ୍‌ ନାଗରିକଙ୍କ ପାଇଁ ଇ-ଭିସା ବନ୍ଦ କଲା ଭାରତ | News Room Odisha

ଚୀନ୍‌ ନାଗରିକଙ୍କ ପାଇଁ ଇ-ଭିସା ବନ୍ଦ କଲା ଭାରତ

ନୂଆଦିଲ୍ଲୀ:ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚୀନ୍‌କୁ ଭାରତ ତା’ର ଭାଷାରେ ଜବାବ ଦେଇଛି। ସୋମବାର ଠାରୁ ଭାରତ ୧୫୨ ଦେଶ ପାଇଁ ଇ-ଭିସା ସୁବିଧା ପୁନଃ ପ୍ରଚଳନ କରିଛି । କିନ୍ତୁ ଏଥର ଚୀନ୍, ହଂକଂ ଏବଂ ମାକାଉ ଭଳି ଦେଶକୁ ଏହି ତାଲିକାରୁ ବାଦ ଦିଆଯାଇଛି। ଅନ୍ୟପକ୍ଷରେ ତାଇୱାନ, ଭିଏତନାମ, ସିଙ୍ଗାପୁର ଏବଂ ଆମେରିକା ସମେତ ୧୫୨ ଦେଶର ନାଗରିକମାନେ ଭାରତରେ ଇ-ଭିସା ସୁବିଧା ସୁଯୋଗ ନେଇପାରିବେ।

ଚୀନ୍ ବ୍ୟତୀତ ଭାରତ ମଧ୍ୟ ପାରସ୍ପରିକ ସହଯୋଗ ଅଭାବରୁ କାନାଡା, ବ୍ରିଟେନ, ଇରାନ, ମାଲେସିଆ, ଇଣ୍ଡୋନେସିଆ ଏବଂ ସାଉଦି ଆରବକୁ ତାଲିକାରୁ ବାଦ ଦେଇଛି। ଖବର ଅନୁଯାୟୀ ଚୀନ୍ ସମେତ ୧୭୧ଟି ଦେଶ ପାଇଁ ଇ-ଭିସା ସୁବିଧା ଉପଲବ୍ଧ ଥିଲା। ପୂର୍ବ ଲଦାଖରେ ଚୀନ୍ ସହିତ ଚାଲିଥିବା ତିକ୍ତତା, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ପାଇଁ ଚୀନକୁ ଇ-ଭିସା ସୁବିଧାରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଶ୍ୱାସ କରାଯାଉଛି।

ଚୀନ୍ ପର୍ଯ୍ୟଟକଙ୍କ ପାଇଁ ପ୍ରାୟର ରେଫରାଲ୍ କାଟେଗୋରି (ପିଆରସି)ରେ କୋହଳ କରି ଇ-ଭିସା ପାଇଥିବା ୧୭୧ ଦେଶ ତାଲିକାରେ ଭାରତ ଚାଇନାକୁ ବି ସାମିଲ କରିଥିଲା। ଚୀନ୍, ଆଫଗାନିସ୍ତାନ, ପାକିସ୍ଥାନ, ଇରାକ, ସୁଦାନ ବ୍ୟତୀତ ପାକିସ୍ତାନୀ ମୂଳରୁ ଆସିଥିବା ବିଦେଶୀ ତଥା ଅନ୍ୟ ଦେଶରୁ ଜାତୀୟତାହୀନ ଲୋକଙ୍କୁ ପିଆରସି ଅଧୀନରେ ଛାଡ଼ ଦିଆଯାଇଥିଲା। ତେବେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୦୨୦ରେ ଯାତ୍ରା କଟକଣା ଲାଗୁ ହେବା ପରେ ସମସ୍ତ ପ୍ରକାର ଇ-ଭିସା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।