ଭାରତର ଯେସାକୁ ତେସା ପଦକ୍ଷେପ, କାନାଡ଼ାର ବରିଷ୍ଠ କୂଟନୀତିଜ୍ଞ ବହିଷ୍କୃତ | News Room Odisha

ଭାରତର ଯେସାକୁ ତେସା ପଦକ୍ଷେପ, କାନାଡ଼ାର ବରିଷ୍ଠ କୂଟନୀତିଜ୍ଞ ବହିଷ୍କୃତ

ନୂଆଦିଲ୍ଲୀ: ଜଣେ ଖଲିସ୍ତାନୀ ଆତଙ୍କବାଦୀର ହତ୍ୟାରେ ଭାରତର ସମ୍ପୃକ୍ତି ଅଭିଯୋଗ କରି କାନାଡ଼ା ସରକାର ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ମଧ୍ୟ ଏହାର ଜବାବ ଦେଇଛି । ଭାରତ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି । ତାଙ୍କୁ ଭାରତ ଛାଡିବାକୁ ପାଞ୍ଚ ଦିନ ସମୟ ଦିଆଯାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି । ସେ ଏକ ବିବୃତ୍ତିରେ କହିଛନ୍ତି- “ଭାରତ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଆଜି କାନାଡାର ହାଇ କମିଶନରଙ୍କୁ ସମନ୍ କରାଯିବା ସହ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ଆସନ୍ତା ପାଞ୍ଚ ଦିନ ମଧ୍ୟରେ ସମ୍ପୃକ୍ତ କୂଟନୀତିଜ୍ଞଙ୍କୁ ଭାରତ ଛାଡିବାକୁ କୁହାଯାଇଛି।

ଏହି ନିଷ୍ପତ୍ତି ଆମର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡ଼ା କୂଟନୀତିଜ୍ଞଙ୍କ ହସ୍ତକ୍ଷେପ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ସେମାନଙ୍କର ସମ୍ପୃକ୍ତି ନେଇ ଭାରତ ସରକାରଙ୍କ ଉଦବେଗକୁ ଦର୍ଶାଉଛି।

ଏହାପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କାନାଡା ହାଇ କମିଶନରଙ୍କୁ ସମନ୍ କରିଥିଲା । କିଛି ସମୟ ପୂର୍ବରୁ, ନୂଆଦିଲ୍ଲୀର ଦକ୍ଷିଣ ବ୍ଲକ ଅନ୍ତର୍ଗତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟାଳୟରେ କାନାଡ଼ା ହାଇ କମିଶନର୍ କାମେରନ୍ ମ୍ୟାକି ପହଞ୍ଚିଥିଲେ। ହେଲେ ସେ ମାତ୍ର କିଛି ମିନିଟ୍ ପରେ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରୁ ବାହାରି ଚାଲି ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଗଣମାଧ୍ୟମ ସହିତ ଆଦୌ କଥାବାର୍ତ୍ତା କରିନଥିଲେ।

ଉଲ୍ଲେଖଯୋଗ୍ୟ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି ଯେ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ପଛରେ ଭାରତ ସରକାରଙ୍କ ହାତ ରହିଛି । କାନାଡ଼ାର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତ‌ ହସ୍ତକ୍ଷେପ କରୁଛି ବୋଲି ସେ କାନାଡ଼ା ସଂସଦରେ ଅଭିଯୋଗ କରିଥିଲେ ।

ତେବେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଏହି ଅଭିଯୋଗକୁ ଭାରତ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି । ଏହାକୁ ଅବାନ୍ତର ଓ ଭିତ୍ତିହୀନ ବୋଲି କହିଛି ଭାରତ ।

ଚଳିତ ବର୍ଷ ଜୁନ୍ ୧୮ରେ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାର ବାହାରେ ନିଜ୍ଜରକୁ ଗୁଳି କରି ହତ୍ୟା କରାଯାଇଥିଲା।