ଆଜି ତୃତୀୟ ଟି-୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ | News Room Odisha

ଆଜି ତୃତୀୟ ଟି-୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ: ସିରିଜ କବଜା କରିସାରିଥିବା ଭାରତ ବୁଧବାର ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବିଜୟ ଧାରା ଜାରି ରଖି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ପ୍ରଥମ ଦୁଇଟି ମ୍ୟାଚରେ ଖାତା ଖୋଲି‌ ପାରିନଥିବା ଅଧିନାୟକ ରୋହିତ ଶର୍ମା ମଧ୍ୟ ଫର୍ମକୁ ଫେରିବା ପାଇଁ ଚାହିଁବେ। ଜୁନ୍ ମାସରେ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଏହା ଭାରତର ଶେଷ ଟି-୨୦ ମ୍ୟାଚ୍। ମୋହାଲି ଏବଂ ଇନ୍ଦୋରରେ ବିଜୟ ପରେ ଟିମ୍ ମ୍ୟାନେଜମେଣ୍ଟ କୌଣସି ଭୁଲ କରିବାକୁ ଚାହୁଁନାହିଁ | ପ୍ରଥମ ଦୁଇଟି ମ୍ୟାଚରେ ଭାରତ ୬ ଓ୍ବିକେଟରେ ଜିତିଥିଲା ।

ତୃତୀୟ ମ୍ୟାଚ୍‌ରେ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ କୁଲଦୀପ ଯାଦବ ଏବଂ ଆବେଶ ଖାନଙ୍କୁ ସୁଯୋଗ ମିଳିପାରେ। ରବି ବିଷ୍ଣୋଇଙ୍କ ସ୍ଥାନରେ କୁଲଦୀପ ସାମିଲ ହୋଇପାରନ୍ତି । ସେହିପରି ୱାଶିଂଟନ୍ ସୁନ୍ଦର କିମ୍ବା ମୁକେଶ କୁମାରଙ୍କ ସ୍ଥାନରେ ଆବେଶଙ୍କୁ ମିଳିପାରେ ସୁଯୋଗ । ଗତ ବର୍ଷ ରାୟପୁରରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ମ୍ୟାଚ୍ ପରଠାରୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା ଟି-୨୦ ଖେଳୁଛନ୍ତି। ଯଦି ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦିଏ, ତେବେ ସଞ୍ଜୁ ସାମସନ ଖେଳିପାରନ୍ତି।