ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ | News Room Odisha

ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍ ସ୍ପେନ୍‌ : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ରବିବାର ଏଠାରେ ଖେଳାଯିବ । ରିଜର୍ଭ ଖେଳାଳିରେ ଭର୍ତ୍ତି ଦଳର ନେତୃତ୍ୱ ନେଉଥିବା କାମଚଳା ଅଧିନାୟକ ଶିଖର ଧାୱନ ବିଜୟ ଧାରା ଜାରି ରଖି ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିବେ । ଏହା ସହିତ ସେ ନିଜେ ମଧ୍ୟ ଏକ ବାର୍ତ୍ତା ଦେବାକୁ ଚାହିଁବେ । ଶୁକ୍ରବାର ଅନୁଷ୍ଠିତ ହାଇ ସ୍କୋରିଂ ପ୍ରଥମ ଦିନିକିଆରେ ଭାରତ ୩ ରନରେ ରୋମାଞ୍ଚକର ବିଜୟ ହାସଲ କରି ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ଆସନ୍ତାକାଲିର ମ୍ୟାଚ୍ ଜିତିଲେ ୱେଷ୍ଟଇଣ୍ଡିଜରେ ଏହା ଭାରତର କ୍ରମାଗତ ସିରିଜ୍ ବିଜୟ ହେବ ।

ଭାରତ ପ୍ରଥମ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ ସହ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା । ଧାୱନ ଓ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଶୁଭମନ ଗିଲଙ୍କ ଆକ୍ରମଣାତ୍ମକ ଓପନିଂ ଭାଗିଦାରୀ ହେଉ ଅବା ସାମି-ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ଆକ୍ରମଣର ପ୍ରଶଂସନୀୟ ଭାବେ ମହମ୍ମଦ ସିରାଜଙ୍କ ନେତୃତ୍ୱ, ଭାରତ ସବୁ ବିଭାଗରେ କ୍ଲିକ୍ କରିଥିଲା।

ଦୀର୍ଘ ୧୯ ମାସର ବ୍ୟବଧାନ ପରେ ଦିନିକିଆ ଦଳକୁ ଫେରିଥିବା ଗିଲ୍ ସୁଯୋଗର ସଦୁପଯୋଗ କରି ପ୍ରଥମ ମ୍ୟାଚରେ ଆକ୍ରମଣାତ୍ମକ ୬୪ ରନ୍ କରିଥିଲେ । ଏହା ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କର ଶ୍ରେଷ୍ଠ ସ୍କୋର । ଇଶାନ କିଶାନ ଓ ଋତୁରାଜ ଗାଏକ୍ୱାଡ ଭଳି ଓପନର ଥାଇ ସୁଦ୍ଧା ଗିଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା ଏବଂ ସେ ନିରାଶ କରିନଥିଲେ । ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେ ଏଭଳି ପ୍ରଦର୍ଶନ ଜାରି ରଖି ଭଲ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିବାକୁ ଚାହିଁବେ ।

ଗିଲ୍ ଆରମ୍ଭରୁ ସଟ୍ ଖେଳୁଥିବା ବେଳେ ଧାୱନ ତାଙ୍କୁ ସହାୟତା ଦେଇଥିଲେ । ଦୁହେଁ ପ୍ରଥମ ୱିକେଟରେ ୧୦୬ ବଲରେ ୧୧୯ ରନର ଭାଗିଦାରୀ କରି ଦଳକୁ ଏକ ମଜବୁତ ଷ୍ଟାର୍ଟ ଦେଇଥିଲେ । ଗିଲ୍ ଆଉଟ୍ ହେବା ପରେ ଧାୱନ ରନ୍ ଗତି ବଢାଇଥିଲେ । ହେଲେ ଦୁର୍ଭାଗ୍ୟକୁ ସେ ତାଙ୍କ ୧୮ତମ ଶତକରୁ ୩ ରନ୍‌୍ ପାଇଁ ବଞ୍ଚିତ ହୋଇ ଆଉଟ୍ ହୋଇଯାଇଥିଲେ ।

ଇଂଲଣ୍ଡ ଗସ୍ତରେ ବିଫଳ ହେବା ପରେ ଚାପରେ ଥିବା ଶ୍ରେୟସ ଆୟର ମଧ୍ୟ ଅର୍ଦ୍ଧଶତକ ସହ ଫର୍ମକୁ ଫେରିଥିଲେ । ଭାରତ ଯେଉଁଭଳି ଧମାକଦାର ଷ୍ଟାର୍ଟ କରିଥିଲା, ଲାଗୁଥିଲା ୩୫୦ରୁ ଊର୍ଦ୍ଧ୍ୱ ସ୍କୋର କରିବ । ହେଲେ ମିଡ଼ିଲ୍ ଅର୍ଡର ବିପର୍ଯ୍ୟୟ ଯୋଗୁଁ ଭାରତ ୭ ୱିକେଟ୍ ହରାଇ ୩୦୮ ରନ୍ କରିିବାକୁ ସମର୍ଥ ହୋଇଥିଲା ।

ଆସନ୍ତାକାଲିର ମ୍ୟାଚରେ ଭାରତ ନିଜ ମିଡିଲ ଅର୍ଡର ବ୍ୟାଟିଂରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିବ । ବିଶେଷକରି ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ । କେରଳର ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ପୁଣି ଏକ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ । ସାମସନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା ଓ ଅକ୍ଷର ପଟେଲଙ୍କ ଉପରେ ବି ଭଲ ପ୍ରଦର୍ଶନ ପାଇଁ ଚାପ ରହିବ । ଏହି ତିନି ଜଣ ବ୍ୟାଟର ମଧ୍ୟ ପ୍ରଥମ ମ୍ୟାଚରେ ଫେଲ୍ ମାରିଥିଲେ ।
ଅନ୍ୟପକ୍ଷରେ ପ୍ରଥମ ମ୍ୟାଚକୁ ୩ ରନରେ ହାରିବା ପରେ ୱେଷ୍ଟଇଣ୍ଡିଜ ଦିନିକିଆ ଫର୍ମାଟରେ ନିଜର ପରାଜୟ ଧାରାରେ ବ୍ରେକ୍ ଲଗାଇ ସିରିଜ ବରାବର କରିବାକୁ ଚାହିଁବ । ଭାରତ ବିପକ୍ଷ ସିରିଜ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ୦-୩ରେ ବାଂଲାଦେଶ ଠାରୁ ସିରିଜ୍ ହାରିଥିଲା ।