ଆଜି ଦ୍ୱିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ  | News Room Odisha

ଆଜି ଦ୍ୱିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ 

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ଗୁରୁବାର ଏଠାରେ ଖେଳାଯିବ । ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଏହି ମ୍ୟାଚରେ ଯୁବ ଓପନର ଶୁଭମାନ ଗିଲଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଦ୍ରୁତ ରନ୍ ସଂଗ୍ରହ ସହ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ସେ ନିଜ ସ୍ଥିତି ମଜବୁତ କରିବାକୁ ଚାହିଁବେ।

ଓପନର ସ୍ଥାନ ପାଇଁ ଗିଲଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଋତୁରାଜ ଗାଇକୱାଡ । ସେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ, ଯାହା ଦ୍ଵାରା ସେ ଅଧିକ ସୁଯୋଗ ପାଇପାରିବେ।

ୱାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚରେ ଭାରତ ୨ ରନରେ ଜିତିବାରେ ସଫଳ ହୋଇଥିଲା।

ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଏବଂ ଟି-୨୦ ଫର୍ମାଟ୍ ପ୍ରାଥମିକତା ନ ଥିବାରୁ ଗିଲ୍ ତାଙ୍କ ପୂର୍ବର ଭୁଲ୍ ପୁନରାବୃତ୍ତି ନକରିବାକୁ ଚାହୁଁଛନ୍ତି।

୯୬ ଟି-୨୦ ମ୍ୟାଚ୍ (ଅଧିକାଂଶ ଆଇପିଏଲ୍ ଏବଂ ସୟଦ ମୁସ୍ତାକ ଅଲି) ଖେଳିବା ସତ୍ତ୍ୱେ ଗିଲଙ୍କ କ୍ୟାରିଅର୍ ଷ୍ଟ୍ରାଇକ୍ ରେଟ୍ ୧୨୮.୭୪ ରହିଛି । ତାଙ୍କର ଡେବ୍ୟୁ ମ୍ୟାଚ୍ ରେ ମଧ୍ୟ ସେ ଲୟରେ ନଥିଲେ।

କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅନେକ ଥର ଇନିଂସ ଓପନ୍ କରିଥିବା ଗିଲ୍ ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ଟପ୍ ଅର୍ଡରର ଏକ ଅବିଚ୍ଛେଦ୍ୟ ଅଙ୍ଗ | ଅବଶ୍ୟ ସେ କ୍ରିଜରେ ସେଟ୍ ହେବା ପରେ ରନ୍ ରେଟ୍ ବୃଦ୍ଧି କରିବାକୁ ପସନ୍ଦ କରନ୍ତି । କିନ୍ତୁ ଏଭଳି ଆଭିମୁଖ୍ୟ ଯୋଗୁଁ ହିଁ ଲୋକେଶ ରାହୁଲ ଟି-୨୦ ଦଳରେ ସ୍ଥାନ ହରାଇଥିଲେ ।

ନିକଟ ଅତୀତରେ ପ୍ରତ୍ୟେକ ଭାରତୀୟ ଅଧିନାୟକଙ୍କ ପରି ପାଣ୍ଡ୍ୟା ମଧ୍ୟ ଟପ୍ ଅର୍ଡର ନିର୍ଭୀକ ଆଭିମୁଖ୍ୟ ଆପଣାଇବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ପ୍ରତ୍ୟେକ ଖେଳାଳିଙ୍କୁ ଏଭଳି ପ୍ରଦର୍ଶନ କରିବାକୁ ପଡ଼ିବ।

ଭାରତରେ ଟି-୨୦ ଫର୍ମାଟର ପାଇଁ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି | ଋତୁରାଜ ଏବଂ ରାହୁଲ ତ୍ରିପାଠୀଙ୍କ ପରି ବ୍ୟାଟ୍ସମ୍ୟାନ୍ ସେମାନଙ୍କ ସୁଯୋଗକୁ ଅପେକ୍ଷା କରିଛନ୍ତି।

ସିରିଜର ସମସ୍ତ ତିନୋଟି ମ୍ୟାଚ୍‌ରେ ଗିଲ୍ ଏବଂ ଇଶାନ୍ କିଶାନ୍ ଇନିଂସ ଓପନ୍ ସୁଯୋଗ ପାଇବେ ବୋଲି ମନେ କରାଯାଉଛି । ପାୱାର୍ ପ୍ଲେରେ ସେମାନଙ୍କର ଦୃଢ ପ୍ରଦର୍ଶନ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କୁ ନିର୍ଭୟରେ ଖେଳିବାର ଆତ୍ମବିଶ୍ୱାସ ଦେବ ।

ଦ୍ୱିତୀୟ ମ୍ୟାଚରେ ବ୍ୟାଟିଂ ଲାଇନ୍ ଅପ୍ ଅଧିକ ରନ୍ ସ୍କୋର କରିବାକୁ ଚେଷ୍ଟା କରିବ । ପ୍ରଥମ ମ୍ୟାଚରେ ଶସ୍ତାରେ ଆଉଟ୍ ହୋଇଥିବା ନୂଆ ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟ ଅନେକ କିଛି ନିର୍ଭର କରିବ।

ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଶ୍ରୀଲଙ୍କା ବୋଲରଙ୍କ ବିପକ୍ଷରେ ରନ୍ ସ୍କୋର କରିବାକୁ ଏକ ଉପାୟ ଖୋଜିବାକୁ ପଡ଼ିବ । ଯେଉଁମାନେ ସ୍ପିନର ୱାନିନ୍ଦୁ ହସରଙ୍ଗା ଏବଂ ମହେଶ ତୀକ୍ଷାନାଙ୍କ ଉପରେ ଅଧିକ ନିର୍ଭରଶୀଳ। ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ଉଭୟ ବୋଲର ଆଠ ଓଭରରେ ମାତ୍ର 51 ରନ୍‌ ଦେଇ ଦୁଇଟି ୱିକେଟ୍ ନେଇଥିଲେ।

ଦୀପକ ହୁଡା ଏବଂ ଅକ୍ଷର ପଟେଲ ନିଜ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ଦ୍ରୁତ ବୋଲର ଶିବମ ମାଭିଙ୍କ ସ୍ମରଣୀୟ ଡେବ୍ୟୁ ଦ୍ୱାରା କ୍ୟାପଟେନ ପାଣ୍ଡ୍ୟା ନିଶ୍ଚିତ ଭାବରେ ଆଶ୍ବସ୍ତ ହୋଇଥିବେ | ନୂଆ ବଲ ସହ ବୋଲିଂ କରିବାବେଳେ ପାଣ୍ଡ୍ୟା ମଧ୍ୟ ପ୍ରଭାବିତ କରିଥିଲେ।

ମାଭିଙ୍କ ସୁଇଙ୍ଗ୍ (୨୨/ ୪) ଏବଂ ଉମ୍ରାନ୍ ମଲିକଙ୍କ ଗତି (୨୭/୨) ଦ୍ବାରା ବୋଲିଂରେ ଭେରାଇଟି ମିଳିଛି । ୨୦୨୪ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଉଭୟଙ୍କୁ ଟିମ୍ ମ୍ୟାନେଜମେଣ୍ଟ ଅଧିକ ସୁଯୋଗ ଦେଇପାରେ ।

ତେବେ ଚିନ୍ତାର ବିଷୟ ହେଉଛି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ । ଟି-୨୦ ବିଶ୍ୱକପରୁ ବଞ୍ଚିତ ହେବା ପରେ ଚହଲଙ୍କ ମନୋବଳ ଦୁର୍ବଳ ହୋଇଥାଇପାରେ । ପ୍ରଥମ ମ୍ୟାଚରେ ଚହଲ ଦୁଇଟି ଓଭରରେ ୨୬ ରନ୍ ବ୍ୟୟ କରିଥିଲେ ଯାହା ପରେ ଅଧିନାୟକ ତାଙ୍କୁ ଓଭର କୋଟା ପୂରଣ କରିବାର ସୁଯୋଗ ଦେଇନଥିଲେ।