ଆଜି ବାରବାଟୀ ଲଢ଼େଇ: କମବ୍ୟାକ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ | News Room Odisha

ଆଜି ବାରବାଟୀ ଲଢ଼େଇ: କମବ୍ୟାକ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କଟକ : ଆଜି ସୁପରସଣ୍ଡେରେ ବାରବାଟୀ ଷ୍ଟାଡିୟମ କମ୍ପିବ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ତାପରେ ଆରମ୍ଭ ହୋଇଯିବ ହାଇ ଭୋଲଟେଜ୍ ଆକ୍ସନ୍ । ଦ୍ୱିତୀୟ ଟି୨୦ରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଏଥିପାଇଁ ବାରବାରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦିଲ୍ଲୀରେ ବଡ଼ ସ୍କୋର କରିବା ସତ୍ତ୍ୱେ ଭାରତ ହାରିଯାଇଥିଲା । ପାଞ୍ଚ ମ୍ୟାଚ୍ ସିରିଜରେ ଦଳ ୦-୧ରେ ପଛୁଆ ରହିଛି । ତେଣୁ ଟିମ୍ ଇଣ୍ଡିଆ ବାରବାଟୀରେ ପ୍ରତ୍ୟାବର୍ତ୍ତନ ସହ ସିରିଜକୁ ସମାନ ସ୍ତରକୁ ଆଣିବା ଲକ୍ଷ୍ୟରେ ରହିଥିବା ବେଳେ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ମନେ କରାଯାଉଛି । ଏହି ମ୍ୟାଚ୍ ମଧ୍ୟ ରିଷଭ ପନ୍ତଙ୍କ ନେତୃତ୍ୱ ଦକ୍ଷତାର ଆଉ ଏକ ପରୀକ୍ଷା ହେବ । ପ୍ରଥମ ମ୍ୟାଚରେ ମିଲର-ଡୁସେନଙ୍କ ଠାରୁ ଛେଚା ଖାଇବା ପରେ ନିଜ ବୋଲରଙ୍କ ଠାରୁ ଉନ୍ନତ ପ୍ରଦର୍ଶନର ଆଶା ରଖିବେ ପନ୍ତ ।

ପ୍ରଥମ ଥର ଅନ୍ତର୍ଜାତୀୟ ସ୍ତରରେ ଭାରତର ନେତୃତ୍ୱ ନେଉଥିବା ପନ୍ତଙ୍କୁ ଦିଲ୍ଲୀରେ ବଡ଼ ଝଟକା ଲାଗିଥିଲା । ଭାରତ ୨୧୨ ରନର ବିଶାଳ ବିଜୟଲକ୍ଷ୍ୟକୁ ଡିଫେଣ୍ଡ କରିପାରିନଥିଲା । ମିଲର ଓ ଡୁସେନଙ୍କ ବିସ୍ଫୋରକ ଇନିଂସ୍ ସହାୟତାରେ ଦକ୍ଷିଣ ଆଫ୍ରିକା ଏହି ବୃହତ ଟାର୍ଗେଟକୁ ଅନାୟସେ ହାସଲ କରିନେଇ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଥିଲା ।

ଏହି ସିରିଜ୍ ପୂର୍ବରୁ ଆଇପିଏଲରେ ମଧ୍ୟ ପନ୍ତଙ୍କ କ୍ୟାପଟେନ୍ସି ନିରାଶାଜନକ ଥିଲା । ସେ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ଲେ ଅଫକୁ ନେବାରେ ବିଫଳ ହୋଇଥିଲେ । ଭାରତୀୟ କ୍ରିକେଟର ଭବିଷ୍ୟତ ଅଧିନାୟକ ଭାବେ ବିବେଚିତ ହେଉଥିବା ପନ୍ତଙ୍କ ଷ୍ଟ୍ରାଇକ ରେଟରେ ମଧ୍ୟ ଅବନତି ଦେଖାଦେଇଛି । ସେପଟେ ତାଙ୍କ ସାଥୀ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ଉଭୟ ଅଧିନାୟକ ଓ ଅଲରାଉଣ୍ଡର ଭାବେ ଅଭୁତପୂର୍ବ ସଫଳତା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ କେବଳ ନିଜ ଫିଟନେସ୍ ଓ ଫର୍ମ ଫେରି ପାଇନାହାଁନ୍ତି ବରଂ ଡେବ୍ୟୁ ସିଜନରେ ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍ ଚାମ୍ପିୟନ କରାଇ ନିଜ ନେତୃତ୍ୱ ଦକ୍ଷତାର ପ୍ରମାଣ ମଧ୍ୟ ଦେଇଛନ୍ତି । ଆଇପିଏଲ୍ ସଫଳତା ପରେ ପାଣ୍ଡ୍ୟାଙ୍କୁ ଭାରତର ପରବର୍ତ୍ତୀ ଧଳା ବଲ୍ ଅଧିନାୟକ କରିବାକୁ ଦାବି ହେଉଛି । ଏଭଳି ସ୍ଥଳେ ଚଳିତ ସିିରିଜରେ ନିଜ ନେତୃତ୍ୱ ଦକ୍ଷତାର ପ୍ରମାଣ ଦେବାକୁ ପନ୍ତଙ୍କ ଉପରେ ଚାପ ରହିବ । ସେ ସିରିଜରେ ଭାରତକୁ କିପରି ଫେରାଇ ଆଣୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଯଦିଓ ପନ୍ତ ନୂଆ କରି ଭାରତର ନେତୃତ୍ୱ ନେଉଛନ୍ତି, ତେବେ ଦିଲ୍ଲୀରେ ତାଙ୍କର କେତୋଟି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥିଲା । ଚାପପୂର୍ଣ୍ଣ ସ୍ଥିତିରେ ତାଙ୍କ ବଡ଼ି ଲାଙ୍ଗୁଏଜ୍‌୍ ମଧ୍ୟ ଠିକ୍ ନଥିଲା । ଆଇପିଏଲରେ ସର୍ବାଧିକ ୨୭ ୱିକେଟ୍ ନେଇଥିବା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ପୂରା ୪ ଓଭର ବୋଲିଂ କରିବାକୁ ନ ଦେବା ପନ୍ତଙ୍କ ନିଷ୍ପତ୍ତି ରେ ବିଶେଷଜ୍ଞ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଦିଲ୍ଲୀରେ ଚହଲ କେବଳ ୨ ଓଭର ବୋଲିଂ କରିଥିଲେ ।

ଅପରପକ୍ଷରେ ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ କରାଇବା ପରେ ଭାରତୀୟ ଦଳକୁ ଫେରିଥିବା ପାଣ୍ଡ୍ୟା ନିଜ ଫର୍ମ ବଜାୟ ରଖିଥିଲେ । ବ୍ୟାଟିଂରେ ସେ ଚମକ ଦେଖାଇ ୧୨ଟି ବଲରେ ଅପରାଜିତ ୩୧ ରନ୍ କରିଥିଲେ । ତାଙ୍କର ଏହି ଇନିଂସ୍ ବଳରେ ଭାରତ ୨୦୦ ରନ୍ ଅତିକ୍ରମ କରିଥିଲା । ହେଲେ ସେ ବୋଲିଂରେ ସେଭଳି ସଫଳତା ହାସଲ କରିପାରିନଥିଲେ । ଗୋଟିଏ ଓଭରରେ ପାଣ୍ଡ୍ୟା ୧୮ ରନ୍ ଲିକ୍ କରିଥିଲେ ।

ପନ୍ତଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ହେଉଛି ଦଳର ବୋଲିଂ ବିଭାଗ । ବାରବାଟୀ ଟି୨୦ ପାଇଁ ବୋଲିଂ କମ୍ବିନେସନରେ ପନ୍ତ କିଛି ପରିବର୍ତ୍ତନ କରିପାରନ୍ତି । ଦୁଇ ନବାଗତ ଦ୍ରୁତ ବୋଲର ଅର୍ଶଦୀପ ସିଂ କିମ୍ବା ପେସ୍ ସେନସେସନ୍ ଉମ୍ରାନ ମଲିକଙ୍କୁ ବାରବାଟୀରେ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ । ବ୍ୟାଟିଂ ଠିକଠାକ୍ ମନେ ହେଉଥିବା ବେଳେ ଦିଲ୍ଲୀରେ ଭାରତର ପେସ୍ ବୋଲରଙ୍କ ଦୁର୍ବଳତା ପଦାରେ ପଡ଼ିଯାଇଥିଲା । ସିନିୟର ବୋଲର ଭୁବନେଶ୍ୱର କୁମାର ଆଉ ଆଗ ଭଳି ଶାଣିତ ଦେଖାଯାଉ ନାହାଁନ୍ତି । ଏପରିକି ଡେଥ ଓଭର ଗୁଡ଼ିକରେ ମଧ୍ୟ ସେ ରନ୍ ଲିକ୍ କରୁଛନ୍ତି । ହର୍ଷଲ ପଟେଲ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଯୁବ ପେସର ଅବେଶ ଖାନ ମଧ୍ୟ ପ୍ରଭାବହୀନ ପ୍ରଦର୍ଶନ କରିôତଲେ । ଶନିବାର ନେଟ୍ସରେ ଅର୍ଶଦୀପ ଓ ଉମ୍ରାନ ଅଧିକ ଝାଳ ବୁହାଇଥିଲେ । ଏହି ଦୁହିଁଙ୍କ ମଧ୍ୟରୁ ଜଣେ ବାରବାଟୀରେ ଡେବ୍ୟୁ କରିପାରନ୍ତି ।

ଅପରପକ୍ଷରେ ଦିଲ୍ଲୀରେ ରେକର୍ଡ ସ୍କୋର ଚେଜ୍ କରି ଜିତିବା ପରେ ଦକ୍ଷିଣ ଆଫ୍ରିକା ଦଳର ମନୋବଳ ଉଚ୍ଚ ରହିଛି । ଆଇପିଏଲରେ ଗୁଜରାଟ ଟାଇଟନ୍ସର ଚାମ୍ପିୟନ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡେଭିଡ୍ ମିଲର ନିଜ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି । ଆଇପିଏଲରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ମିଲର ୬୮.୭୧ ଆଭରେଜରେ ୪୮୧ ରନ୍ କରିଥିଲେ । ତାଙ୍କର ଜବରଦସ୍ତ ଆଇପିଏଲ୍ ଫର୍ମକୁ ସେ ଭାରତ ବିପକ୍ଷ ପ୍ରଥମ ଟି୨୦ରେ ଜାରିି ରଖି ଦଳକୁ ଚମତ୍କାର ବିଜୟ ଦେଇଥିଲେ । ଦିଲ୍ଲୀ ବିଜୟର ଆଉ ଜଣେ ନାୟକ ଭାନ୍ ଡର ଡୁସେନଙ୍କ ପାୱାର ହିଟିଂ ମଧ୍ୟ ଭାରତୀୟ ଦଳକୁ ସ୍ତବ୍ଧ କରିଦେଇଥିଲା । ବାରବାଟୀରେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଭାରତ ପାଇଁ ପୁଣି ବିପଦ ସାଜିପାରନ୍ତି । ମିଲରଙ୍କ ଭଳି ଆଇପିଏଲରେ ସଫଳ ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକାର ଭେଟେରାନ କ୍ୱିଣ୍ଟନ ଡି’କକଙ୍କ ଠାରୁ ଦଳ ଧମାକାଦାର ପାଳିର ଆଶା ରଖିବ । ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପକ୍ଷରୁ ଖେଳି ଡି’କକ୍ ୫୦୮ ରନ୍ କରିଥିଲେ । ଯଦିଓ ସେ ପ୍ରଥମ ଟି୨୦ରେ ବିଫଳ ହୋଇଥିଲେ ବାରବାଟୀରେ ତାହାର ଭରଣା କରିବା ଲକ୍ଷ୍ୟରେ ରହିବେ ।

ମ୍ୟାଚ୍ ସମୟ: ସନ୍ଧ୍ୟା ୭ଟା