ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ | News Room Odisha

ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଜି ଲର୍ଡ୍ସରେ ଖେଳାଯିବ । ପ୍ରଥମ ମ୍ୟାଚରେ ଘରୋଇ ଦଳ ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ ଜାହିର କରି ୧୦ ୱିକେଟରେ ବିଜୟ ପରେ ଆତ୍ମବିଶ୍ୱାସୀ ଭାରତ ପୁଣିଥରେ ଅନୁରୂପ ପ୍ରଦର୍ଶନ ସହ ଦିନିକିଆ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିବ ।

ମାଂସପେଶୀ ଟାଣି ହୋଇଯିବା ଯୋଗୁଁ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପ୍ରଥମ ମ୍ୟାଚରେ ଖେଳିପାରିନଥିଲେ । ଦୀର୍ଘ ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଥିବା କୋହଲି ଦ୍ୱିତୀୟ ଦିନିକିଆ ପାଇଁ ଫିଟ୍ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ । ତେବେ କୋହଲିଙ୍କ ନୈରାଶ୍ୟଜନକ ଫର୍ମ ଭାରତୀୟ ଦଳର ପ୍ରଦର୍ଶନକୁ ଆଦୌ ପ୍ରଭାବିତ କରିନାହିଁ । ଧଳା ବଲ୍ କ୍ରିକେଟରେ ଟିମ୍ ଇଣ୍ଡିଆ କ୍ରମାଗତ ଭଲ ପ୍ରଦର୍ଶନ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଦିନିକିଆରେ ବି ଜବରଦସ୍ତ ବିଜୟରୁ ଅଭିଯାନ ଆରମ୍ଭ କରିଛି ।

କୋହଲି ଆଘାତ ସମସ୍ୟା ଯୋଗୁଁ ଫର୍ମକୁ ଫେରିବା ସୁଯୋଗରୁ ବଞ୍ଚିତ ହେଉଥିବା ବେଳେ ତାଙ୍କ ଅନୁପସ୍ଥିତି ଅନ୍ୟ କିଛି ଖେଳାଳିଙ୍କ ପାଇଁ ବରଦାନ ସାଜିଛି । କୋହଲିଙ୍କ ଅନୁପସ୍ଥିତି ଆଉ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ନିଜ ଦମରେ ମ୍ୟାଚ୍ ଜିତାଇବା ଓ ଚାପପୂର୍ଣ୍ଣ ମ୍ୟାଚରେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି । ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି୨୦ରେ ବିସ୍ଫୋରକ ଶତକ ସହ ସୂର୍ଯ୍ୟକୁମାର ଏହାର ପ୍ରମାଣ ଦେଇଥିଲେ, ଯଦିଓ ଭାରତ ସେହି ମ୍ୟାଚରେ ଅଳ୍ପ ରନ୍ ବ୍ୟବଧାନରେ ପରାସ୍ତ ହୋଇଥିଲା ।

ଯଦି ଶତ ପ୍ରତିଶତ ଫିଟ୍ ନ ହୋଇ କୌଣସି ଖେଳାଳି ପଡ଼ିଆକୁ ଫେରନ୍ତି, ତେବେ ମାଂସପେଶୀ ସମସ୍ୟା ଗୁରୁତର ହୋଇପାରେ । କୋହଲି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ କରିଥିବାରୁ ସେ ସମ୍ପୂର୍ଣ୍ଣ ଫିଟ୍ ନ ହୋଇଥିଲେ ଦ୍ୱିତୀୟ ମ୍ୟାଚରେ ବି ଖେଳନପାରନ୍ତି । ତେବେ କିଛି ଖେଳାଳିଙ୍କ ଆଘାତ ଟିମ୍ ମ୍ୟାନେଜମେଣ୍ଟ୍ ପାଇଁ ଆଶୀର୍ବାଦ ସଦୃଶ ହୋଇଥାଏ । ଏପରି ପରିସ୍ଥିତି ଫର୍ମ ପାଇଁ ସଂଘର୍ଷ କରୁଥିବା କୋହଲିଙ୍କ ଭଳି ଖେଳାଳିଙ୍କ ଉପରେ ନିଷ୍ପତ୍ତି ନେବା ଭଳି କଷ୍ଟକର କାର୍ଯ୍ୟରୁ ଦଳକୁ ଏକପ୍ରକାର ମୁକ୍ତ କରିଥାଏ ।

ଓଭାଲ ପିଚରୁ ଭାରତୀୟ ବୋଲର ଯେଭଳି ପେସ୍ ଓ ସୁଇଙ୍ଗ୍ ପାଇଥିଲେ, ଲର୍ଡ୍ସରେ ମଧ୍ୟ ସେଭଳି ସୁହାଇବା ପରି ପରିବେଶ ମିଳିବ ବୋଲି ଟିମ୍ ଇଣ୍ଡିଆ ଆଶା କରିବ ।

ବୁମରା ଚମତ୍କାର ଫର୍ମରେ ଥିବାବେଳେ ମହମ୍ମଦ ସାମି ମଧ୍ୟ ପ୍ରତିପକ୍ଷ ଦଳକୁ ନିଜ ପେସ୍ ଓ ସୁଇଙ୍ଗ୍ ଦ୍ୱାରା ଅସୁବିଧାରେ ପକାଇବାକୁ ପ୍ରସ୍ତୁତ । ବୋଲରମାନେ ଭଲ ପ୍ରଦର୍ଶନ କରୁଥିବାରୁ ଅଧିନାୟକ ରୋହିତଙ୍କ ଫୋକସ ନିଜ ବ୍ୟାଟିଂ ଅର୍ଡର ସୁଧାରିବା ଉପରେ ରହିବ । ବିଶେଷକରି ଏହି ଗସ୍ତରେ ଖାସ୍ କିଛି କରିପାରିନଥିବା ଶ୍ରେୟସ ଆୟରଙ୍କ ନିଜ ଟେକନିକ୍ ସୁଧାରିବେ ବୋଲି ଆଶା କରିବେ ରୋହିତ । ଆୟରଙ୍କ ସମସ୍ୟା ହେଲା ସେ ସର୍ଟ ବଲ୍ ଖେଳିବାରେ ସଂଘର୍ଷ କରୁଛନ୍ତି । ସର୍ଟ ବଲରେ ସେ ଏକାଧିକ ଥର ଆଉଟ୍ ହୋଇଛନ୍ତି । ତାଙ୍କର ଏହି ଦୁର୍ବଳତାର ବିଶ୍ୱର ସବୁ ବୋଲର ଫାଇଦା ଉଠାଇଛନ୍ତି । ବାରମ୍ବାର ବିଫଳ ହେଉଥିଲେ ମଧ୍ୟ କିଛି ଖେଳାଳି କେବଳ ନିଜ ଖ୍ୟାତି ବଳରେ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ଏହି କାରଣରୁ ଦୀପକ ହୁଡାଙ୍କ ଭଳି ପ୍ରତିଭାବାନ ଖେଳାଳି ବାହାରେ ବସିବାକୁ ବାଧ୍ୟ ହେଉଛନ୍ତି । ଆୟର ମଧ୍ୟ ଜାଣି ସାରିଥିବେ ଯେ ଭଲ ପ୍ରଦର୍ଶନ ନ କଲେ ତାଙ୍କୁ ଆଉ ଅଧିକ ଦିନ ଦଳରେ ରଖିବା ମୁସ୍କିଲ ହୋଇଯିବ । ଏଣୁ ବଡ଼ ଇନିଂସ୍ ଖେଳିବା ପାଇଁ ତାଙ୍କ ଉପରେ ଚାପ ରହିବ ।