ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିିତୀୟ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ | News Room Odisha

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିିତୀୟ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ । ପ୍ରଥମ ତଥା ନିଜ ୧୦୦୦ତମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିବା ପରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ଦିନିକିଆରେ ବି ପ୍ରଧାନ୍ୟ ଜାରି ରଖି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିବ ।

ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଥମ ଦିନିକିଆରୁ ବଞ୍ଚିତ ହୋଇଥିବା ଉପଅଧିନାୟକ କେଏଲ୍ ରାହୁଲ ଫେରିଥିବା ବେଳେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିଭାଗ ଆହୁରି ଶକ୍ତିଶାଳୀ ହୋଇଛି । କେବଳ ସେ କେଉଁ ନମ୍ବରରେ ବ୍ୟାଟିଂ କରିବା ତାହା ଟିମ୍ ମ୍ୟାନେଜମେଣ୍ଟକୁ ନିର୍ଣ୍ଣକ କରିବାକୁ ପଡ଼ିବ ।
ପ୍ରଥମ ଦିନିକିଆରେ ସ୍ପିନ ଯୋଡି ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦରଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନରେ ଅଲଆଉଟ୍ କରିଥିଲା । ଏହି ସାଧାରଣ ଟାର୍ଗେଟକୁ ଭାରତ ମାତ ୪ ୱିକେଟ୍ ହରାଇ ଅତି ସହଜରେ ହାସଲ କରିନେଇଥିଲା । ଅଧିନାୟକ ଭାବେ ନିଜ ପ୍ରଥମ ମ୍ୟାଚରେ ରୋହିତ ମଧ୍ୟ ଏକ ଆକର୍ଷଣୀୟ ଅର୍ଦ୍ଧଶତକ ସହ ଦଳର ଏହି ବିଜୟରେ ଅନ୍ୟତମ ନାୟକ ସାଜିଥିଲେ ।
ଦକ୍ଷିଣ ଆଫ୍ରିକାରେ ମୂଳପୋଛର ଶିକାର ହେବା ପରେ ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭିନ୍ନ ମନେ ହେଉଛି । ଦଳ ଏକ ନୂଆ ଯୋଶ୍ ଓ ଆତ୍ମବିଶ୍ୱାସ ସହ ପ୍ରଦର୍ଶନ କରୁଥିବା ମନେ ହେଉଛି । ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ବୃହତ ବିଜୟ ପରେ ରୋହିତ ବାହିନୀ ୱେଷ୍ଟଇଣ୍ଡିଜକୁ ପୁଣି ଧୂଳି ଚଟାଇବା ଲକ୍ଷ୍ୟରେ ରହିଛି । ଭାରତ ପାଇଁ ସବୁଠୁ ବଡ଼ ସକାରାତ୍ମକ ହେଉଛି ରୋହିତଙ୍କ ଉପସ୍ଥିତି । ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବଞ୍ଚିତ ହେବା ପରେ ରୋହିତ ଚମତ୍କାର ପ୍ରତ୍ୟାର୍ତ୍ତନ କରିଛନ୍ତି । ପ୍ରଥମ ମ୍ୟାଚରେ ଏକ ଧମାକାଦାର ଅର୍ଦ୍ଧଶତକ ପରେ ରୋହିତ ୱେଷ୍ଟଇଣ୍ଡିଜର ଅନଭିଜ୍ଞ ବୋଲିଂ ଆକ୍ରମଣକୁ ପୁଣି ଧ୍ୱସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଇଶାନ କିଶାନ ମଧ୍ୟ ପ୍ରଥମ ମ୍ୟାଚରେ ଲୟରେ ଥିବା ମନେ ହୋଇଥିଲେ । ସେ ୩୬ ବଲରେ ୨୮ ରନ୍ କରିଥିଲେ ମଧ୍ୟ ରୋହିତଙ୍କ ସହ ତାଙ୍କ ଓପନିଂ ଯୋଡ଼ି ସଫଳ ହୋଇଥିଲା । ଦ୍ୱିତୀୟ ଦିନିକିଆରେ ସେ ଏକ ବଡ଼ ଇନିଂସ୍ ଖେଳିବାକୁ ଚାହିଁବେ । ତେବେ ରାହୁଲ ଫେରିଥିବାରୁ ଏହି କର୍ଣ୍ଣାଟକ ବ୍ୟାଟ୍‌ସମ୍ୟାନ୍ ରୋହିତଙ୍କ ସହ ଇନିଂସ୍ ଓପନ୍ କରିବେ ନା ମଧ୍ୟକ୍ରମରେ ଖେଳିବେ ତାହା ସ୍ପଷ୍ଟ ହୋଇନାହିଁ । ଯଦି ରୋହିତଙ୍କ ସହ ରାହୁଲ ଓପନ୍ କରନ୍ତି, ତେବେ କିଶାନଙ୍କୁ ବାହାରେ ବସିବାକୁ ପଡ଼ିପାରେ । ଯଦି ରାହୁଲ ମଧ୍ୟକ୍ରମରେ ଖେଳନ୍ତି, ତେବେ ତାଙ୍କ ପାଇଁ ନବାଗତ ଦୀପକ ହୁଡାଙ୍କୁ ବାଟ ଛାଡ଼ିପାରନ୍ତି । କାରଣ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟକ୍ରମର ଅନ୍ୟ ତିନି ହେଭିୱେଟ୍ ବ୍ୟାଟର ବିରାଟ କୋହଲି, ରିଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବାହାରେ ରଖିବାକୁ ସାହସ କରିପାରିବ ନାହିଁ । ପ୍ରଥମ ଦିନିକିଆରେ ନିଜ ପଦାର୍ପଣରେ ହୁଡା ମଧ୍ୟ ସକାରାତ୍ମକ ପ୍ରଦର୍ଶନ ପୂର୍ବକ ୩୨ଟି ବଲରୁ ୨୬ ରନ୍ କରି ଅପରାଜିତ ଥିଲେ ।

ଦ୍ୱିତୀୟ ଦିନିକିଆ କୋହଲିଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ବହୁତ ଦିନ ହେଲା ଉଦାସୀନ ଫର୍ମ ଦେଇ ଗତି କରୁଛନ୍ତି ଏବଂ ଦୁଇ ବର୍ଷ ଧରିି ଏକ ଶତକ ହାସଲ କରିପାରି ନାହାନ୍ତି । ସେ ନିଜ କ୍ୟାରିୟରର ୭୧ତମ ଶତକ ହାସଲ କରିବାକୁ ଚାହିଁବେ ।

ଭାରତ ପ୍ରଥମ ମ୍ୟାଚରେ ଏକ ଛୋଟ ବିଜୟଲକ୍ଷ୍ୟକୁ ଚେଜ୍ କରି ବିଜୟୀ ହୋଇଥିଲା । ଯଦି ଦ୍ୱିତୀୟ ଦିନିକିଆରେ ରୋହିତଙ୍କ ଦଳ ପ୍ରଥମେ ବ୍ୟାଟିଂ କରେ, ତେବେ ନିଶ୍ଚିତ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବ । ରୋହିତ ଓ କୋଚ୍ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଭାରତ ୨୦୨୩ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଦଳ ଏହି ଫର୍ମାଟରେ ନିଜର ଦୁର୍ବଳତା ସୁଧାରି ଏକ ଦକ୍ଷ ଦଳ ଗଢିବା ଲକ୍ଷ୍ୟରେ ରହିଛି ।