ଆଜି ଦ୍ୱିତୀୟ ଟି-୨୦, ଭାରତ ପାଇଁ କର ବା ମର ସ୍ଥିତି | News Room Odisha

ଆଜି ଦ୍ୱିତୀୟ ଟି-୨୦, ଭାରତ ପାଇଁ କର ବା ମର ସ୍ଥିତି

ଲକ୍ଷ୍ନୌ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ରବିବାର ଏଠାରେ ଖେଳାଯିବ । ପ୍ରଥମ ମ୍ୟାଚରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଏବଂ ମୁଖ୍ୟ ବୋଲରଙ୍କ ଖରାପ ପ୍ରଦର୍ଶନ ଭାରତୀୟ ଦଳର ପରାଜୟର କାରଣ ହୋଇଥିଲା । ଭାରତ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି । ସିରିଜ୍ ବଞ୍ଚାଇବାକୁ ହେଲେ ଭାରତକୁ ଦ୍ୱିତୀୟ ମ୍ୟାଚ୍ ଜିତିବାକୁ ପଡିବ। ରାଞ୍ଚିରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଦଳ ନ୍ୟୁଜିଲ୍ୟାଣ୍ଡର ସ୍ପିନ୍ ଜାଲରେ ଫସି ୨୧ ରନରେ ହାରି ଯାଇଥିଲା ।

ପ୍ରଥମ ଟି-୨୦ରେ ଭାରତୀୟ ଦ୍ରୁତ ବୋଲରଙ୍କ ଦୁର୍ବଳତା
ପଦାରେ ପଡ଼ିଥିଲା । କାରଣ ଦ୍ରୁତ ବୋଲର ଅର୍ଶଦୀପ ସିଂ ଏବଂ ଉମ୍ରାନ ମଲିକ ଅତ୍ୟଧିକ ରନ୍ ବ୍ୟୟ କରି ଦଳକୁ ଚାପରେ ରଖିଥିଲେ। ମଲିକ ତାଙ୍କ ଗୋଟିଏ ଓଭରରେ ୧୬ ରନ୍ ଦେଇଥିବା ବେଳେ ଅର୍ଶଦୀପ ଇନିଂସର ଶେଷ ଓଭରରେ ୨୭ ରନ୍ ଦେଇଥିଲେ । ଟାର୍ଗେଟକୁ ପିଛା କଲାବେଳେ ଏହା ଭାରତୀୟ ଦଳ ଉପରେ ଚାପ ପକାଇଥିଲା । ଶେଷରେ ଅର୍ଶଦୀପଙ୍କ ମହଙ୍ଗା ଶେଷ ଓଭର ମ୍ୟାଚର ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା |

ନ୍ୟୁଜିଲାଣ୍ଡ ପ୍ରଦତ୍ତ ୧୭୭ ରନ୍ ଟାର୍ଗେଟ ଜବାବରେ ଭାରତ ଭଲ ଷ୍ଟାର୍ଟ କରିନଥିଲା । କେବଳ ୧୫ ରନ୍ ସ୍କୋରରେ ଦଳର ଟପ୍ ତିନି ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ । ଯଦିଓ ଭାରତ ପରାଜୟର ବ୍ୟବଧାନର ହ୍ରାସ କରିବାରେ ସକ୍ଷମ ହୋଇଥିଲା, ତେବେ ଏଥିପାଇଁ ଶ୍ରେୟ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଯିବ । ସୁନ୍ଦର ୨୮ ବଲରେ ଅପରାଜିତ ୫୦ ରନ୍ କରିଥିଲେ । କିନ୍ତୁ ତାଙ୍କୁ ଅନ୍ୟପଟୁ ଉପଯୁକ୍ତ ସହାୟତା ମିଳିନଥିଲା । ମ୍ୟାଚ୍ ପରେ ସୁନ୍ଦର ସ୍ବୀକାର କରିଥିଲେ ଯେ ଭାରତୀୟ ବୋଲର ୨୫ ରନ୍ ଅତିରିକ୍ତ ରନ୍ ଦେଇଥିଲେ । ଏହା ସତ୍ତ୍ୱେ ଅଧିନାୟକ ପାଣ୍ଡ୍ୟା ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ଦେବା ସମ୍ଭାବନା କମ୍ । ସେ ଅର୍ଶଦୀପଙ୍କୁ ସମ୍ଭବତଃ ଆଉ ଏକ ସୁଯୋଗ ଦେଇପାରନ୍ତି |

ଦିନିକିଆର ଚମତ୍କାର ଫର୍ମକୁ ଶୁଭମାନ ଗିଲ ଟି-୨୦ରେ ବଜାୟ ରଖିପାରି ନାହାଁନ୍ତି। ସେ ଏପର୍ଯ୍ୟନ୍ତ କେବଳ ଚାରୋଟି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି । ତାଙ୍କୁ ଅଧିକ ସୁଯୋଗ ଦିଆଯିବା ନିଶ୍ଚିତ । କିନ୍ତୁ ଦଳ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ଇଶାନ୍ କିଶାନ୍ ଏବଂ ଦୀପକ ହୁଡାଙ୍କ ଫର୍ମ । ଗତ ବର୍ଷ ଡିସେମ୍ବରରେ ବାଂଲାଦେଶ ବିପକ୍ଷ ଦିନିକିଆରେ ଦ୍ୱିଶତକ ହାସଲ କରିବା ପରଠାରୁ କିଶନ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଓପନର୍ ଭାବରେ ଆସି ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ଗତ ୭ଟି ଇନିଂସରେ ଯଥାକ୍ରମେ ୩୭, ୨, ୧, ୫, ୮, ୧୭ ଓ ୪ ରନ୍ କରିଛନ୍ତି । ଯଦି ତାଙ୍କର କେବଳ ଆନ୍ତର୍ଜାତୀୟ ଟି-୨୦ ପ୍ରଦର୍ଶନ ଦେଖାଯାଏ, ତେବେ ଏହି ଫର୍ମାଟରେ ସେ ୧୪ ଜୁନ୍ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଅର୍ଦ୍ଧଶତକ ହାସଲ କରିଥିଲେ।

ହୁଡା ମଧ୍ୟ ‘ପାୱାର୍ ହିଟର୍’ ଭାବରେ ଅଧିକ ସଫଳତା ହାସଲ କରିପାରି ନାହିଁ | ସେ ଗତ ୧୩ ଇନିଂସରେ ୧୭.୮୮ ହାରରେ ରନ୍ ସ୍କୋର କରିଛନ୍ତି। ଏହି ସମୟରେ ତାଙ୍କର ସର୍ବାଧିକ ସ୍କୋର ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୪୧ ରନ୍ ଥିଲା। ଶୁକ୍ରବାର ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ସେ ୧୦ଟି ବଲରେ ମାତ୍ର ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଦଳରେ ଜିତେଶ ଶର୍ମାଙ୍କ ରୂପରେ ବିକଳ୍ପ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରହିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିବା ସମ୍ଭାବନା ନାହିଁ ।

ପ୍ରଥମ ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ ୱାଶିଂଟନ୍ ସୁନ୍ଦରଙ୍କ ପ୍ରଦର୍ଶନ ଭାରତ ପାଇଁ ସକରାତ୍ମକ ବିଷୟ ଥିଲା। ମାପଚୁପ ବୋଲିଂ ବ୍ୟତୀତ ସେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୨୮ ବଲରେ ଅପରାଜିତ ୫୦ ରନ୍ ସଂଗ୍ରହ କରିଥିଲେ। ବିଶ୍ୱର ନମ୍ବର ୱାନ ଟି-୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ଅଛନ୍ତି । କିନ୍ତୁ ଏହି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ ଆବଶ୍ୟକ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପାଖରେ ଭାରତରେ ପ୍ରଥମ ସିରିଜ୍ ଜିତିବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଦଳ ଏହାକୁ ହାତଛଡ଼ା କରିବାକୁ ଚାହିଁବନି ।