ମନ୍ଥର ଓଭର ରେଟ୍ ପାଇଁ ଭାରତୀୟ ଦଳକୁ ଜରିମାନା, ଦୁଇ ଡବ୍ଲୁଟିସି ପଏଣ୍ଟ ବି ହରାଇଲା | News Room Odisha

ମନ୍ଥର ଓଭର ରେଟ୍ ପାଇଁ ଭାରତୀୟ ଦଳକୁ ଜରିମାନା, ଦୁଇ ଡବ୍ଲୁଟିସି ପଏଣ୍ଟ ବି ହରାଇଲା

ଦୁବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳକୁ ଲାଗିଛି ଆଉ ଦୁଇ ଝଟକା । ମନ୍ଥର ଓଭର ରେଟ୍ ପାଇଁ ଭାରତୀୟ ଦଳକୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି । ଏହାଛଡ଼ା ଦଳ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ପଏଣ୍ଟ ବି ହରାଇଛି ।

ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ତିନି ଦିନ ମଧ୍ୟରେ ଏକ ଇନିଂସ ଓ ୩୨ ରନରେ ପରାସ୍ତ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକାରେ ଦଳର ସବୁଠୁ ବଡ଼ ପରାଜୟ |

ଆଇସିସି ଶୁକ୍ରବାର ଏକ ବିବୃତ୍ତିରେ କହିଛି, “ଆଇସିସି ଏଲିଟ୍ ପ୍ୟାନେଲ୍ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ ଭାରତୀୟ ଦଳକୁ ମନ୍ଥର ଓଭର ରେଟ୍ ପାଇଁ ଦଣ୍ଡାଦେଶ ଶୁଣାଇଛନ୍ତି । ଭାରତୀୟ ଦଳ ଧାର୍ଯ୍ୟ ସମୟରେ ଦୁଇ ଓଭର ପଛରେ ଥିଲା।

ସର୍ବନିମ୍ନ ଓଭର ରେଟ୍ ଅପରାଧ ସଂପର୍କରେ ଖେଳାଳି ଏବଂ ସହାୟକ ଷ୍ଟାଫ୍ ପାଇଁ ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ, ପ୍ରତି ଓଭର ପାଇଁ ମ୍ୟାଚ୍ ଫି’ର ପାଞ୍ଚ ପ୍ରତିଶତ ଜୋରିମାନା ବ୍ୟବସ୍ଥା ରହିଛି | ଏହା ସହିତ, ପ୍ରତି ଓଭର ବିଳମ୍ବ ପାଇଁ ଗୋଟିଏ ଡବ୍ଲୁଟିସି ପଏଣ୍ଟ କଟାଯାଇଥାଏ |

ଆଇସିସି କହିଛି, ଭାରତୀୟ ଅଧିନାୟକ ରୋହିତ ଶର୍ମା ଏହି ଦଣ୍ଡାଦେଶ ଗ୍ରହଣ କରିଛନ୍ତି । ତେଣୁ ଏହି ମାମଲାର ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ନାହିଁ।

ଭାରତୀୟ ଦଳ ବିରୋଧରେ ଏହି ଅଭିଯୋଗ ଫିଲ୍ଡ ଅମ୍ପାୟାର ପଲ୍ ରାଇଫେଲ୍ ଏବଂ ଲ୍ୟାଙ୍ଗଟନ୍ ରସେରେ, ତୃତୀୟ ଅମ୍ପାୟାର ଅହସାନ୍ ରଜା ଏବଂ ଚତୁର୍ଥ ଅମ୍ପାୟାର ଷ୍ଟିଫେନ୍ ହାରିସ୍ ଆଣିଥିଲେ।

ସେଞ୍ଚୁରିଅନରେ ପରାଜୟ ପରେ ଭାରତ ଡବ୍ଲୁଟିସି ପଏଣ୍ଟ ଟେବୁଲରେ ଶୀର୍ଷରୁ ଦ୍ୱିତୀୟ ସ୍ଥାନକୁ ଖସିଛି | ବର୍ତ୍ତମାନ ଅଷ୍ଟ୍ରେଲିଆ ଟେବୁଲର ଶୀର୍ଷରେ ପହଞ୍ଚିଛି ।