ବ୍ରିଟେନ ଯାତ୍ରୀଙ୍କ ପାଇଁ ଭାରତର ଯେସାକୁ ତେସା ନୀତି, ଟିକା ନେଇଥିଲେ ମଧ୍ୟ ୧୦ ଦିନ ସଙ୍ଗରୋଧ, ଆର୍‌ଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ | News Room Odisha

ବ୍ରିଟେନ ଯାତ୍ରୀଙ୍କ ପାଇଁ ଭାରତର ଯେସାକୁ ତେସା ନୀତି, ଟିକା ନେଇଥିଲେ ମଧ୍ୟ ୧୦ ଦିନ ସଙ୍ଗରୋଧ, ଆର୍‌ଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତୀୟ ଯାତ୍ରୀଙ୍କ ପାଇଁ ବ୍ରିଟେନ ସରକାରଙ୍କ କଡ଼ା ସଙ୍ଗରୋଧ ନିୟମ ପରେ ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇଛି । ଏବେ ଭାରତ ଆସୁଥିବା ବ୍ରିଟିଶ୍ ନାଗରିକଙ୍କୁ ମଧ୍ୟ ୧୦ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ । ଭାରତ ସରକାର ଶୁକ୍ରବାର ଏହି ଆଦେଶ ଜାରି କରିଛନ୍ତି । ଏହାଛଡ଼ା ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ ଆର୍‌ଟି-ପିସିଆର୍ ଟେଷ୍ଟ ମଧ୍ୟ କରାଯିବ ।

ବ୍ରିଟିଶ ନାଗରିକଙ୍କ ପାଇଁ ଜାରି ନୂଆ ସଙ୍ଗରୋଧ ନୀତି ଅନୁଯାୟୀ, ଅକ୍ଟୋବର ୪ରୁ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କୁ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ହେବ । ଟିକା ନେଇଥିଲେ ମଧ୍ୟ ବ୍ରିଟେନ ନାଗରିକଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ । ଏହା ବ୍ୟତୀତ ସେମାନଙ୍କୁ ଭାରତ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ ଏବଂ ପହଞ୍ଚିବାର ଅଷ୍ଟମ ଦିନରେ ତିନୋଟି ଆର୍‌ଟି-ପିସିଆର ଟେଷ୍ଟ କରିବାକୁ ହେବ ।

ନିକଟରେ ବ୍ରିଟେନ ସରକାରଙ୍କ ନୂଆ ଯାତ୍ରା ନୀତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଉକ୍ତ ନୀତି ମୁତାବକ ଭାରତୀୟ ଯାତ୍ରୀଙ୍କୁ ଟିକା ନେଇଥିଲେ ମଧ୍ୟ ବ୍ରିଟେନରେ ପହଞ୍ଚିବା ପରେ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ୟୁରୋପ, ଆମେରିକା ଓ ଅନ୍ୟ ଦେଶର ନାଗରିକଙ୍କ ପାଇଁ ସଙ୍ଗରୋଧ ନିୟମ କୋହଳ କରିଥିଲା ବ୍ରିଟେନ । ବ୍ରିଟେନର ଏହି ନିୟମ ନେଇ ଭାରତ ଆପତ୍ତି ଉଠାଇଥିଲା । ଏହାକୁ ଭେଦଭାବପୂର୍ଣ୍ଣ ନୀତି ବୋଲି କହି ଭାରତ ବ୍ରିଟିଶ ନାଗରିକଙ୍କ ପାଇଁ ମଧ୍ୟ ଯେସାକୁ ତେସା ନୀତି ଆପଣାଇବାକୁ ଚେତାବନୀ ଦେଇଥିଲା । ଭାରତର ଆପତ୍ତି ପରେ ବ୍ରିଟେନ ନିଜ ଯାତ୍ରା ନୀତିରେ ସାମାନ୍ୟ ସଂଶୋଧନ କରି ‘କୋଭିଶିଲ୍ଡ’କୁ ମାନ୍ୟତା ଦେଇଥିଲା । ତଥାପି ଭାରତୀୟ ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ନିୟମ କୋହଳ କରିନଥିଲା ।