ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦ | News Room Odisha

ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦

ଡବଲିନ୍: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ସିରିଜର ପ୍ରଥମ ଟି୨୦ ରବିବାର ଖେଳାଯିବ । ଏହି ସିରିଜରେ ଭାରତ ଏହାର ରିଜର୍ଭ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ଏହି ଦ୍ୱିତୀୟ ସ୍ତରୀୟ ଭାରତୀୟ ଦଳର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସିନିୟର ଖେଳାଳିଙ୍କ ପ୍ରତ୍ୟାବତ୍ତନ ପୂର୍ବରୁ ଆୟର୍ଲାଣ୍ଡ ସିରିଜରେ ରିଜର୍ଭ ଖେଳାଳିମାନେ ନିଜ ପ୍ରତିଭାର ପ୍ରଦର୍ଶନ କରିବାକୁ ସୁଯୋଗ ପାଇବେ ।

ବିଶେଷକରି ଋତୁରାଜ ଗାଏକ୍ୱାଡ ଓ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ । ଏହି ଦୁଇ ଖେଳାଳି ପୂର୍ବରୁ ସୁଯୋଗ ମିଳିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ତେଣୁ ଆୟର୍ଲାଣ୍ଡ ସିରିଜ ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ହେବ । ଆଇପିଏଲ ଡେବ୍ୟୁରେ ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ କରାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ସିରିଜରୁ ଅନ୍ତର୍ଜାତୀୟ ସ୍ତରରେ ଅଧିନାୟକ ଭାବେ ପଦାର୍ପଣ କରିବେ । ରିଷଭ ପନ୍ତ ଇଂଲଣ୍ଡରେ ଭାରତୀୟ ଟେଷ୍ଟ ଦଳ ସହ ଯୋଗ ଦେଇଥିବାରୁ ପାଣ୍ଡ୍ୟାଙ୍କୁ ଆୟର୍ଲାଣ୍ଡ ସିରିଜରେ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆହତ କେଏଲ ରାହୁଲଙ୍କ ଅନୁପସ୍ଥିତିରେ ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଗୁଜରାଟ ଟାଇଟନ୍ସ ସହ ଆଇପିଏଲରେ ଅଭୁତପୂର୍ବ ସଫଳତା ପରେ ଆୟର୍ଲଣ୍ଡ ସିରିଜରେ ପାଣ୍ଡ୍ୟାଙ୍କ ଠାରୁ ଉଚ୍ଚ ଆଶା ରହିବ ।

ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଭାରତୀୟ ଟେଷ୍ଟ ଦଳ ଲିସେଷ୍ଟରରେ ଥିବାରୁ ଏନସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଟି୨୦ ଦଳ ଦାୟିତ୍ୱରେ ରହିବେ । ଆୟର ଓ ପନ୍ତ ଟେଷ୍ଟ ଟିମରେ ସ୍ଥାନ ପାଇଥିବାରୁ ଆଘାତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା ସୂର୍ଯ୍ୟକୁମାର ଏବଂ ସାମସନ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ସୁଯୋଗ ପାଇବେ । ସୂର୍ଯ୍ୟକୁମାର ଗତ ଏକ ବର୍ଷ ଧରି ଭାରତୟ ଟି୨୦ ଦଳର ଜଣେ ନିୟମିତ ସଦସ୍ୟ । କିନ୍ତୁ ସାମସନ ଜାତୀୟ ଦଳରୁ ଇନ୍ ଆଣ୍ଡ୍ ଆଉଟ୍ ହେଉଛନ୍ତି । ସେ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ସୁଯୋଗ ହାତଛଡ଼ା କରିବାକୁ ଚାହିଁବେନି । ଯଦି ସାମସନଙ୍କୁ ଟିମ୍ ମ୍ୟାନେଜମେଣ୍ଟ୍ ଚୂଡ଼ାନ୍ତ ଏକାଦଶରେ ସାମିଲ ନ କରନ୍ତି, ତେବେ ତାଙ୍କ ସ୍ଥାନରେ ଦୀପକ ହୁଡ଼ା ଏକ ଉତ୍ତମ ବିକଳ୍ପ ହୋଇପାରନ୍ତି । ହୁଡ଼ା ଜଣେ ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ ସହ ଅଫ୍ ସ୍ପିନ ବୋଲିଂ ବି କରନ୍ତି । ଆୟର୍ଲାଣ୍ଡ ସିରିଜରେ ଦ୍ରାବିଡଙ୍କ ଦ୍ୱାରା ଧାର୍ଯ୍ୟ ଫର୍ମୁଲାକୁ ହିଁ ଲକ୍ଷ୍ମଣ ଆପଣେଇ ପାରନ୍ତି । ଦ୍ରାବିଡ୍ ଦଳରେ ବାରମ୍ବାର ପରିବର୍ତ୍ତନ କରିବା ସପକ୍ଷରେ ନୁହଁନ୍ତି । ଏସିଆ କପ୍ ବେଳକୁ ସେ ବିଭିନ୍ନ ଭୂମିକା ଓ ବିଭିନ୍ନ ସ୍ଥାନ ପାଇଁ ଖେଳାଳିଙ୍କ ଭୂମିକା ଚୂଡ଼ାନ୍ତ କରିବାକୁ ଚାହିଁବେ ।