ମହିଳା ବିଶ୍ୱକପ: ବାଂଲାଦେଶ ଉପରେ ଭାରତର ବଡ଼ ବିଜୟ, ସେମିଫାଇନାଲ ଆଶା ଉଜ୍ଜୀବିତ | News Room Odisha

ମହିଳା ବିଶ୍ୱକପ: ବାଂଲାଦେଶ ଉପରେ ଭାରତର ବଡ଼ ବିଜୟ, ସେମିଫାଇନାଲ ଆଶା ଉଜ୍ଜୀବିତ

ହାମିଲଟନ୍: ଯୁବ ବ୍ୟାଟର ୟସ୍ତିକା ଭାଟିଆଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ସ୍ନେହ ରାଣାଙ୍କ ନେତୃତ୍ୱରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ମଙ୍ଗଳବାର ମହିଳା ଦିନିକିଆ ବିଶ୍ୱକପରେ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ଏଥିସହ ଭାରତ ଆଇସିସି ସେମିଫାଇନାଲରେ ପ୍ରବେଶ କରିବାର ଆଶା ଉଜ୍ଜୀବିତ କରିଛି ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ମଝିରେ ଏକ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ୟସ୍ତିକା ଭାଟିଆଙ୍କ ଦାୟିତ୍ୱପୂର୍ଣ୍ଣ ୫୦ ରନ୍ ବଳରେ ଭାରତ ୭ ଓ୍ବିକେଟ ହରାଇ ୨୨୯ ରନ୍ କରିଥିଲା ।

ଏହାର ଜବାବରେ ବାଂଲାଦେଶର ଦଳ ୪୦.୩ ଓଭରରେ ୧୧୯ ରନ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଫ୍ ସ୍ପିନର ସ୍ନେହ ରାଣା ୩୦ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ, ଯାହା ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ | ଭେଟେରାନ୍ ପେସର୍ ଝୁଲନ୍ ଗୋସ୍ବାମୀ (୧୯/୨) ଏବଂ ପୂଜା ଭସ୍ତ୍ରାକର (୨୬/୨) ଏବଂ ସ୍ପିନର ରାଜେଶ୍ୱରୀ ଗାଇକୱାଡ୍ (୧୫/୧) ଏବଂ ପୁନମ୍ ଯାଦବ (୨୫/୧) ମଧ୍ୟ ତାଙ୍କୁ ଭଲ ସମର୍ଥନ କରିଥିଲେ।

୬ଟି ମ୍ୟାଚ୍‌ରେ ଏହା ଭାରତର ତୃତୀୟ ବିଜୟ । ଭାରତ ବର୍ତ୍ତମାନ ୬ ପଏଣ୍ଟ ସହ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପଛରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ମାର୍ଚ୍ଚ ୨୭ରେ ଭାରତ ତା’ର ଶେଷ ଲିଗ୍ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ |
ଅନ୍ୟପକ୍ଷରେ ବାଂଲାଦେଶ ପାଞ୍ଚଟି ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି |