ମହିଳା ବିଶ୍ୱକପରୁ ଭାରତ ବିଦା, ଅନ୍ତିମ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଲା | News Room Odisha

ମହିଳା ବିଶ୍ୱକପରୁ ଭାରତ ବିଦା, ଅନ୍ତିମ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଲା

ଖ୍ରୀଷ୍ଟଚର୍ଚ୍ଚ : ମହିଳା ବିଶ୍ୱକପର ନିଜ ଶେଷ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଯାଇଛି ଭାରତ । ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟରେ ହରାଇ ଦେଇଛି। ଏହି ପରାଜୟ ସହ ଭାରତର ସେମିଫାଇନାଲ ଆଶା ଧୂଳିସାତ ହୋଇଛି ଏବଂ ଦଳର ଅଭିଯାନ ଲିଗ୍ ପର୍ଯ୍ୟାୟରେ ହିଁ ଶେଷ ହୋଇଛି। ସେମିଫାଇନାଲରେ ସ୍ଥାନ ପାଇବାକୁ ଭାରତ ଏହି ମ୍ୟାଚ୍ ଜିତିବା ଜରୁରୀ ଥିଲା । ଗତ ସଂସ୍କରଣର ରନର୍ସ ଅପ୍ ଭାରତ ୩ଟି ବିଜୟ ଓ ୪ ପରାଜୟ ସହ ଅଭିଯାନ ଶେଷ କରିଛି ।

ଭାରତ ପ୍ରଦତ୍ତ ୨୭୫ ରନ୍ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ଶେଷ ‌‌ବଲରେ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୌରା ୱୋଲଭାର୍ଡୋ ୮୦ ରନ୍ ସଂଗ୍ରହ କରିଥିବାବେଳେ ଲାରା ଗୁଡାଲ୍ ଦଳ ପାଇଁ ଏକ ଉପଯୋଗୀ ଇନିଂସ ଖେଳିଥିଲେ । ଏହାଛଡ଼ା ମାଇଗନ୍ ଡୁ ପ୍ରିଜ୍ ୪୯ ରନ୍ ଏବଂ ମାରିଜାନ୍ କାପ୍ (୩୨) ଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।
ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୭ ରନ୍ ଆବଶ୍ୟକ ହେଉଥିଲା ​​| କିନ୍ତୁ ଶେଷ ଓଭରରେ ତ୍ରିଶା ଚେତୀ ଆଉଟ୍ ହୋଇଯାଇଥିଲେ ଯାହା ମ୍ୟାଚକୁ ଆହୁରି ରୋମାଞ୍ଚକର କରିଥିଲା। ଏହା ପରେ ଦୀପ୍ତି ଶର୍ମା ମିଗନନ୍ ଡୁ ପ୍ରିଜ୍ (୫୦) ଙ୍କୁ ଆଉଟ୍ କରିବା ପରେ ମ୍ୟାଚ୍ କ୍ଲାଇମାକ୍ସରେ ପହଞ୍ଚିଥିଲା। ଯାହା ପରେ ଦକ୍ଷିଣ ଆଫ୍ରିକାକୁ ୨ ବଲରୁ ୨ ରନ୍ ଦରକାର ହୋଇଥିଲା | ଦକ୍ଷିଣ ଆଫ୍ରିକା ଆବଶ୍ୟକ ରନ୍ କରି ରୋମାଞ୍ଚକର ବିଜୟ ହାସଲ କରିବା ସହ ଭାରତର ସେମିଫାଇନାଲ ଆଶାରେ ପାଣି ଢ଼ାଳି ଦେଇଥିଲା ।

ଏହାପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ୍ ହରାଇ ୨୭୪ ରନ୍ କରିଥିଲା। ଭାରତ ପାଇଁ ଦୁଇ ଓପନର ସ୍ମୃତି ମନ୍ଧାନା ୭୧ ରନ୍ କରିଥିବା ବେଳେ ଶେଫାଳି ବର୍ମା ୫୩ ରନ୍ କରିଥିଲେ | ଦୁହେଁ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ଭାରତର କ୍ୟାପଟେନ୍ ମିତାଲି ରାଜ (୬୮) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ହରମାନପ୍ରୀତ କୌର ମଧ୍ୟ ୪୮ ରନ କରି ଭାରତର ସ୍କୋରକୁ ୨୫୦ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ମାସାବାଟା କ୍ଲାସ ଏବଂ ଶବ୍ନିମ ଇସମାଇଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।