କରୋନା ଅପଡେଟ୍: ଚାରି ଦିନରେ ୪ ଗୁଣ ବଢ଼ିଲା ସଂକ୍ରମଣ, ଦିନକରେ ୨୨,୭୭୫ ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ୍ ମାମଲା ୧୪୩୧ | News Room Odisha

କରୋନା ଅପଡେଟ୍: ଚାରି ଦିନରେ ୪ ଗୁଣ ବଢ଼ିଲା ସଂକ୍ରମଣ, ଦିନକରେ ୨୨,୭୭୫ ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ୍ ମାମଲା ୧୪୩୧

ନୂଆଦିଲ୍ଲୀ: ଦେଶରେ ଘାତକ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଚାରି ଦିନ ମଧ୍ୟରେ ଦୈନିକ ମାମଲା ଚାରି ଗୁଣ ବଢ଼ିଛି । ଏହା ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ଆଉ ୨୨,୭୭୫ ନୂଆ ମାମଲା ରିପୋର୍ଟ ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦିନକରେ କରୋନାରୁ ୪୦୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୪୩୧ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ସଂଖ୍ୟା ପୁଣି ଏକ ଲକ୍ଷ ଟପିଛି । ସମ୍ପ୍ରତି ସକ୍ରିୟ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ୪ ହଜାର ୭୮୧ କୁ ବୃଦ୍ଧି ପାଇଛି । ଏଥି ସହିତ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୮୯୪୯ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ୟ୍ୟନ୍ତ ୩ କୋଟି ୪୨ ଲକ୍ଷ ୭୫ ହଜାର ୩୧୨ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୪୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୫୮ ଲକ୍ଷ ୧୧ ହଜାର ୪୮୭ ଡୋଜ ଦିଆଯାଇଥିଲା ।