ଆଜି ରାଜକୋଟରେ ଚତୁର୍ଥ ଟି-୨୦: ସିରିଜ୍ ବରାବର କରିବା ଲକ୍ଷ୍ୟରେ ଭାରତ | News Room Odisha

ଆଜି ରାଜକୋଟରେ ଚତୁର୍ଥ ଟି-୨୦: ସିରିଜ୍ ବରାବର କରିବା ଲକ୍ଷ୍ୟରେ ଭାରତ

ରାଜକୋଟ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି୨୦ ଆଜି ଏଠାରେ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚରେ ହାରିବା ପରେ ବିଶାଖାପାଟଣାରେ ଅନୁଷ୍ଠିତ ତୃତୀୟ ଟି୨୦ରେ ଭାରତ ଲଢୁଆ ପ୍ରତ୍ୟାବର୍ତ୍ତନ କରି ସିରିଜକୁ ଜୀବନ୍ତ ରଖିବାରେ ସମର୍ଥ ହୋଇଥିଲା । ତଥାପି ଟିମ୍ ଇଣ୍ଡିଆ ଉପରୁ ସିରିଜ୍ ପରାଜୟ ବିପଦ ଟଳି ନାହିଁ । ପାଞ୍ଚ ଟିକିଆ ସିରିଜରେ ୧-୨ରେ ପଛୁଆ ରହିଥିବା ରିଷଭ ପନ୍ତଙ୍କ ଦଳ ଚତୁର୍ଥ ଟି୨୦ରେ ମଧ୍ୟ କର ବା ମର ସ୍ଥିତିର ସମ୍ମୁଖୀନ ହେବ । ସିରିଜକୁ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚ୍ ବି ଜିିତିବା ଜରୁରୀ ।

ଭାରତକୁ ବିଶେଷ ଭାବେ ମଧ୍ୟକ୍ରମ ବ୍ୟାଟିଂରେ ସୁଧାର ଆଣିବାକୁ ପଡ଼ିବ । ବିଶାଖାପାଟଣାରେ ଯଦିଓ ଭାରତ ୧୭୯ ରନର ସ୍କୋରକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲା, ତେବେ ଦଳର ମଧ୍ୟକ୍ରମ ବ୍ୟାଟିଂ ସାମାନ୍ୟ ଚିନ୍ତାର କାରଣ ହୋଇଛି । ଦୁଇ ଓପନର ଇଶାନ କିଶାନ ଓ ଋତୁରାଜ ଗାଏକ୍ୱାଡ ଦଳକୁ ଏକ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ଏକ ସମୟରେ ଭାରତ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ଛିଡ଼ା କରିବା ବୋଲି ମନେ କରାଯାଉଥିଲା । ହେଲେ କିଶାନ ଓ ଗାଏକ୍ୱାଡଙ୍କ ୱିକେଟ୍ ହରାଇବା ପରେ ଭାରତର ମଧ୍ୟକ୍ରମ ସଂଘର୍ଷ କରିଥିଲା । ବିଶେଷକରି କାମଚଳା ଅଧିନାୟକ ପନ୍ତଙ୍କ ବ୍ୟାଟିଂ ଚିନ୍ତାଜନକ ବିଷୟ । ସେ ରାଜକୋଟରେ ନିଜ ଚିରାଚରିତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଯେବେ ବି ତାଙ୍କ ଉପରେ ପ୍ରଶ୍ନ ଉଠିଛି, ପନ୍ତ ସବୁ ଥର ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ଭାରତ ପୁଣି କର ବା ମର ସ୍ଥିତିରେ ରହିଥିବା ବେଳେ ପନ୍ତଙ୍କ ନିଜ ଫର୍ମକୁ ଫେରିପାଇବା ପାଇଁ ଏହାଠାରୁ ଆଉ କୌଣସି ଉପଯୁକ୍ତ ସମୟ ନାହିଁ ।

ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଚଳିତ ସିରିଜରେ ଏକାଧିକ ଥର ବାଉଣ୍ଡ୍ରି ନିକଟରେ କ୍ୟାଚ୍ ଆଉଟ୍ ହୋଇଛନ୍ତି । ପନ୍ତ ଡିପ୍ ମିଡ ୱିକେଟରେ ସଟ୍ ଖେଳିବାକୁ ପସନ୍ଦ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲରମାନେ ତାଙ୍କୁ ଏଯାବତ ସେଭଳି ସୁଯୋଗ ଦେଇ ନାହାନ୍ତି ।

ବିଶାଖାପାଟଣାରେ ଭାରତ ଭଲ ଷ୍ଟାର୍ଟ କରିଥିଲା । ଦୁଇ ଯୁବ ଓପନର କିଶାନ ଓ ଋତୁରାଜ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ଦୁଇଟି ମ୍ୟାଚରେ ଫେଲ୍ ମାରିବା ପରେ ଋତୁରାଜ ଶେଷରେ ନିଜ ଲୟ ଫେରିଥିଲେ । କିଶାନ ଏହି ସିରିଜରେ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ଏପର୍ଯ୍ୟନ୍ତ ଦୁଇଟି ଅର୍ଦ୍ଧଶତକ ହାଲ କରିବା ସହ ଦଳର ରିଜର୍ଭ ଓପନର ଭାବେ ଭାରତୀୟ ଦଳରେ ସ୍ଥାନ ସୁଦୃଢ କରିବାକୁ ଦାବିଦାରୀ ଉପସ୍ଥାପନ କରିଛନ୍ତି । ଏହାଛଡ଼ା ଚଳିତ ବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ମଧ୍ୟ ଦଳରେ ସ୍ଥାନ ପକ୍କା କରିବା ଉଦ୍ୟମ ଜାରି ରଖିଛନ୍ତି । ଉଭୟ କିଶାନ ଓ ଋତୁରାଜ ଅବଶିଷ୍ଟ ଦୁଇଟି ଟି୨୦ ସହ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ନିଜର ଫର୍ମ ବଜାୟ ରଖିବାକୁ ଚାହିଁବେ ।

ଶ୍ରେୟସ ଆୟର ଆଶା ମୁତାବକ ପ୍ରଦର୍ଶନ କରିପାରି ନହାଁନ୍ତି । ଦକ୍ଷିଣ ଆଫ୍ରିକା ବୋଲରମାନେ ଲଗାତାର ସର୍ଟ ବଲ୍ ସହ ଆୟରଙ୍କ ଧୈର୍ଯ୍ୟ ପରୀକ୍ଷା କରିଛନ୍ତି । ସେ ମଧ୍ୟ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବେ । ବିଶାଖାପାଟଣାରେ ଭଲ ଷ୍ଟାର୍ଟ ସତ୍ତ୍ୱେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମଝି ଇନିଂସରେ ସଂଘର୍ଷ କରିଥିଲା । ପାଣ୍ଡ୍ୟ (୨୧ ବଲରେ ୩୧ ରନ୍‌)ଙ୍କ ଯୋଗୁଁ ଭାରତ ୧୭୯ ରନରେ ପହଞ୍ଚିଥିଲା । ବିଶାଖାପାଟଣାରେ ହୋଇଥିବା ତ୍ରୁଟିକୁ ଭାରତ ରାଜକୋଟରେ ସୁଧାରିବାକୁ ଚାହିଁବ ।

ବିଶାଖାପାଟଣାରେ ଭାରତୀୟ ବୋଲରଙ୍କ ମଧ୍ୟରୁ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ସକାରାତ୍ମକ ଥିଲା । ଚହଲଙ୍କୁ ତାଙ୍କ ସାଥୀ ସ୍ପିନର ଅକ୍ଷର ପଟେଲଙ୍କ ଠାରୁ ଉପଯୁକ୍ତ ସମର୍ଥନ ମିଳିଥିଲା । ପେସ୍ ବିଭାଗରେ ଅଭିଜ୍ଞ ଭୁବନେଶ୍ୱର କୁମାର ରନ୍ ରୋକିବା ସହ ନିୟମିତ ବ୍ୟବଧାନରେ ୱିକେଟ୍ ଖସାଇବାରେ ସଫଳ ହୋଇଛନ୍ତି । ହର୍ଷଲ ପଟେଲ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ ସହ ବିଶାଖାପାଟଣାରେ ୪ଟି ୱିକେଟ୍ ନେଇଥିଲେ ।

ଅନ୍ୟପକ୍ଷେରେ ଦକ୍ଷିଣ ଆଫ୍ରିକା ବିଶାଖାପାଟଣାରେ ଝୁଣ୍ଟିବା ପରେ ରାଜକୋଟରେ ସିରିଜ୍ କବଜା କରବାକୁ ବ୍ୟଗ୍ର । ଆଘାତ କାରଣରୁ ଗତ ଦୁଇଟି ମ୍ୟାଚରୁ ବଞ୍ଚିତ ହୋଇଥିବା ସିନିୟର ଓପନର କ୍ୱିଣ୍ଟିନ ଡି’ କକ୍ ଆସନ୍ତାକାଲିର ମ୍ୟାଚ୍ ଖେଳିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶା ରଖିଛି ।

ମ୍ୟାଚ୍ ସମୟ: ସନ୍ଧ୍ୟା ୭ଟା