ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଲଢ଼େଇ | News Room Odisha

ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଲଢ଼େଇ

ମୁମ୍ବାଇ: ଆଜି ଓ୍ବାଙ୍ଖେଡେ ଷ୍ଟାଡିୟମରେ ଦିନିକିଆ ବିଶ୍ବକପର ପ୍ରଥମ ସେମିଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଭାରତ ଲିଗ୍ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ ସହ କ୍ରମାଗତ ୯ଟି ଯାକ ମ୍ୟାଚ୍ ଜିତି ଅପରାଜେୟ ରହିଥିଲା । କିନ୍ତୁ ନକ୍ଆଉଟ୍ ପର୍ଯ୍ୟାୟରେ ପୂର୍ବ ପ୍ରଦର୍ଶନ ଗୁରୁତ୍ୱ ବହନ କରିବ ନାହିଁ। ଫାଇନାଲରେ ସ୍ଥାନ‌ ପାଇବାକୁ ହେଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ସେମିଫାଇନାଲ ମୁକାବିଲା ଭାରତ ପାଇଁ ଅସଲ ପରୀକ୍ଷା ହେବ । କାରଣ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ପଲା ଭାରି ରହିଛି।

ମାଞ୍ଚେଷ୍ଟରରେ ୨୦୧୯ ବିଶ୍ୱକପର ପରାଜୟ ଭାରତୀୟ ଦଳର ଭୁଲିନଥିବ । ପୁଣି ୨୦୨୧ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ଭାରତକୁ ହରାଇଥିଲା ନ୍ୟୁଜିଲ୍ୟାଣ୍ଡ । ଉକ୍ତ ଦୁଇ ପରାଜୟର ବଦଲା ନେବାକୁ ଭାରତ ନିକଟରେ ସୁଯୋଗ ରହିଛି

ଏଥର ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ବ୍ୟାଟିଂ, ବୋଲିଂ ହେଉ ଅବା ଫିଲ୍ଡିଂ ସବୁ ବିଭାଗରେ ଭାରତ ଅନ୍ୟ ଦଳମାନଙ୍କୁ ପଛରେ ପକାଇଛି । ସେମିଫାଇନାଲରେ ବି ଭାରତୀୟ ଦଳ ଠାରୁ ଏଭଳି ପ୍ରଦର୍ଶନର ଆଶା ରହିଛି । ରୋହିତ ଶର୍ମାଙ୍କ ଦଳ ଭଲ ଭାବେ ଜାଣିଛି ଯେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ସାମାନ୍ୟ ଭୁଲ୍ ପ୍ରଶଂସକଙ୍କ ପାଇଁ ଜାତୀୟ ବିପର୍ଯ୍ୟୟ ହେବ | ଏହି ଓ୍ବାଙ୍ଖେଡେ ଷ୍ଟାଡିୟମରେ ହିଁ ୨୦୧୧ରେ ଭାରତ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା |

ଭାରତୀୟ ଦଳକୁ ୧୪୦ କୋଟି ପ୍ରଶଂସକଙ୍କ ଆଶା ଓ ଭରସା ଚରିତାର୍ଥ କରିବା ଚାପ ବି ସମ୍ଭାଳିବାକୁ ପଡ଼ିବ । ଫ୍ୟାନମାନଙ୍କ ଆଶା ପୂରଣ କରିବାରେ ବିଫଳ ହେଲେ କ’ଣ ହୁଏ ତାହା କ୍ୟାପଟେନ୍ ରୋହିତ ଏବଂ କୋଚ୍ ରାହୁଲ ଦ୍ରାବିଡ ଭଲ ଭାବେ ଜାଣନ୍ତି | ତେବେ ଉଭୟଙ୍କୁ ବିଫଳତାର ଭୟ ଦୂର କରି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ପଡ଼ିବ |

ରୋହିତ ଟସ୍ ଜିତି ସଠିକ୍ ନିଷ୍ପତ୍ତି ନେବେ ବୋଲି ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ପ୍ରାର୍ଥନା କରିବେ । ଏହି ଗ୍ରାଉଣ୍ଡରେ ଟାର୍ଗେଟକୁ ପିଛା କରିଥିବା ଦଳ ଶୀଘ୍ର ୱିକେଟ୍ ହରାଇଥିବା ଦେଖିବାକୁ ମିଳିଛି। କାରଣ ଫ୍ଲଡ୍ ଲାଇଟରେ ନୂଆ ବଲ୍ ବେଶି ସୁଇଙ୍ଗ୍ କରିବା ନଜିର ରହିଛି ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ନୂଆ ବଲ୍ ସହିତ ବିପଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି । ଏଭଳି ସ୍ଥିତିରେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଓ ଶୁଭମନ ଗିଲଙ୍କ ଉପରେ ଅନେକ କିଛି ନିର୍ଭର କରିବ।

ରୋହିତ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୫୦୩ ରନ୍ ସଂଗ୍ରହ କରିଛନ୍ତି ଏବଂ ଏହି ଫର୍ମ ଜାରି ରଖିବାକୁ ଚାହିଁବେ । ଅନ୍ୟପକ୍ଷରେ ଗିଲ୍ ୭ଟି ମ୍ୟାଚରୁ ମାତ୍ର ୨୭୦ ରନ୍ ସଂଗ୍ରହ କରିଛନ୍ତି ଏବଂ ସେ ଏକ ସ୍ପେଶାଲ୍ ଇନିଂସ ଖେଳିବାକୁ ବ୍ୟଗ୍ର ହେବେ। ବିରାଟ କୋହଲି ଚଳିତ ବିଶ୍ୱକପରେ ସର୍ବାଧିକ ୫୯୩ ରନ୍ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆରେ ୫୦ତମ ଶତକ ସହ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇବାକୁ ତାଙ୍କ ପାଖରେ ସୁଯୋଗ ରହିଛି । ସେ ଭାରତର ବିଜୟ ସହିତ ଏହି ମାଇଲଖୁଣ୍ଟ ଛୁଇଁବାକୁ ଚାହିଁବେ ।

କୋହଲି ମଧ୍ୟ ସେମିଫାଇନାଲରେ ଶୀଘ୍ର ଆଉଟ୍ ହେବା ଧାରା ଭାଙ୍ଗିବାକୁ ବ୍ୟାକୁଳ। ସେ ୨୦୧୯ ଓ ୨୦୧୫ ସଂସ୍କରଣର ସେମିଫାଇନାଲରେ ୧ ରନ୍ କରି ଆଉଟ୍ ହୋଇଥିଲେ।

ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଓ ଶ୍ରେୟସ୍ ଆୟରଙ୍କ ଠାରୁ ମଧ୍ୟ ଭାରତ ଭଲ ପ୍ରଦର୍ଶନ ଆଶା କରିବ।

ବୋଲିଂରେ ଜସପ୍ରୀତ ବୁମରା ଏବଂ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ସେମାନଙ୍କୁ ଭଲ ସମର୍ଥନ କରିଛନ୍ତି। ଏହି ବିଶ୍ୱକପ୍‌ରେ ଭାରତର ସଫଳତାର ଅନ୍ୟ ଏକ କାରଣ ହେଉଛି ବୋଲରମାନଙ୍କ ଘାତକ ପ୍ରଦର୍ଶନ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପାଖରେ ମଧ୍ୟ ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦି, ଲକି ଫର୍ଗୁସନ୍ ଏବଂ ବାମହାତୀ ସ୍ପିନର ମିଚେଲ ସାଣ୍ଟନରଙ୍କ ଭଳି ଅଭିଜ୍ଞ ବୋଲର ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡରେ ବ୍ୟାଟିଂରେ ଅଭିଜ୍ଞତାର ଅଭାବ ନାହିଁ। ଯୁବ ରାଚିନ୍ ରବିନ୍ଦ୍ର ୫୬୫ ରନ୍ ସହ ଏହି ଟୁର୍ଣ୍ଣାମେଣ୍ଟର ଆବିଷ୍କାର ପାଲଟିଛନ୍ତି । ତେବେ ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୫୨ ରନ୍ ପରେ ଡେଭନ୍ କନୱେ ଆଉ କୌଣସି ବଡ଼ ଇନିଂସ ଖେଳିପାରି ନାହାଁନ୍ତି। କ୍ୟାପଟେନ୍ କେନ୍ ୱିଲିୟମସନ ଏବଂ ଡାରିଲ ମିଚେଲ ମିଡିଲ୍ ଅର୍ଡର ସମ୍ଭାଳିବେ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ କିଶନ।

ନ୍ୟୁଜିଲ୍ୟାଣ୍ଡ: କେନ୍ ଓ୍ବିଲିୟମସନ (ଅଧିନାୟକ),ଟମ୍ ଲାଥାମ୍, ଡେଭନ୍ କନୱେ, ୱିଲ୍ ୟଙ୍ଗ, ମାର୍କ ଚାପମାନ, ଡାରିଲ ମିଚେଲ, ଜେମ୍ସ ନିଶାମ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ।

ମ୍ୟାଚ୍ ସମୟ: ଅପରାହ୍ନ ୨ଟା