ଭାରତ-ପାକ୍ ମ୍ୟାଚରେ ବର୍ଷାର ବିଜୟ | News Room Odisha

ଭାରତ-ପାକ୍ ମ୍ୟାଚରେ ବର୍ଷାର ବିଜୟ

ପାଲେକେଲ: ଏସିଆ କପରେ ଶନିବାର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଭାରତୀୟ ଇନିଂସ୍ ପରେ ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍ ଆଉ ସମ୍ଭବ ହୋଇନଥିଲା । ଫଳରେ ରାତି ପ୍ରାୟ ୧୦ଟାରେ ଅମ୍ପାୟର ମ୍ୟାଚକୁ ବାତିଲ କରିବା ପାଇଁ ନିଷ୍ପତ୍ତିନେଇଥିଲେ । ମ୍ୟାଚ୍ ବାତିଲ ହେବା ଯୋଗୁଁ କ୍ରିକେଟପ୍ରେମୀ ନିରାଶ ହୋଇଥିଲେ । ସେମାନେ ବହୁ ଦିନ ପରେ ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ଚାହୁଁଥିଲେ । ହେଲେ ବର୍ଷା ଏହି ହାଇ ଭୋଲଟେଜ ମ୍ୟାଚର ରୋମାଞ୍ଚ ବିଗାଡ଼ି ଦେଇଥିଲା । ମ୍ୟାଚ୍ ବାତିଲ ହେବା ପରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି । ପାଣ୍ଡ୍ୟା ଓ କିଶନଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳି ଏକ ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୬ ରନ୍ କରିଥିଲା । ଶାହିନ୍ ଆଫ୍ରିଦି ଏବଂ ସାଥୀ ବୋଲରଙ୍କ ଘାତକ ପ୍ରଦର୍ଶନ ଆଗରେ ଭାରତର ତାରକା ଖଚିତ ଟପ୍ ଅର୍ଡର ଫେଲ୍ ମାରିଥିଲା । ହେଲେ ପାଣ୍ଡ୍ୟା ଓ କିଶନ ପଞ୍ଚମ ୱିକେଟର ୧୩୮ ରନର ଭାଗିଦାରୀ ସହ ସମ୍ମାନ ରଖିଥିଲେ । ପାଣ୍ଡ୍ୟା ୯୦ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହ ୮୭ ରନ୍ କରିଥିବା ବେଳେ ମଧ୍ୟକ୍ରମରେ ବ୍ୟାଟିଂ କରିଥିବା କିଶନ ୮୧ ବଲରେ ୯ଟି ଚୌକା ଓ ୨ଟି ଛକା ସହ ୮୨ ରନ୍ କରିଥିଲେ ।

ପୂର୍ବରୁ ଏହି ହାଇଭୋଲଟେଜ ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଏହା ଦଳ ପାଇଁ ଏହା ବୁମେରାଂ ହୋଇଥିଲା। ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଭାରତୀୟ ବ୍ୟାଟର ଆଦୌ ସାମ୍ନା କରି ପାରି ନଥିଲେ। ଆଫ୍ରିଦି ଟିମ ଇଣ୍ଡିଆର ରୋହିତ ଶର୍ମା(୧୧) ଓ ବିରାଟ କୋହଲି(୪)ଙ୍କୁ ବୋଲ୍ଡ କରି ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଦୋହଲାଇ ଦେଇଥିଲେ। ଏହାପରେ ଶ୍ରେୟସ ଆୟର(୧୪) ଓ ଶୁବମନ ଗିଲ୍‌(୧୦)ଙ୍କୁ ହାରିସ ରୌଫ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଦଳ ୬୬ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ୫ ୱିକେଟ ପାଇଁ ୧୩୮ ରନ ଯୋଡ଼ିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦୪ରେ ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ଈଶାନ କିଶନ(୮୨) ରୌଫଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଯାଇଥିଲେ।

ସେ ଆଉଟ ହେବା ପୂର୍ବରୁ ୮୧ ବଲର ସମ୍ମୁଖୀନ ହୋଇ ୯ଟି ଚୌକା ଓ ୨ଟି ଛକା ମାରିଥିଲେ। ଏହା ଈଶାନଙ୍କ ପାକିସ୍ତାନ ବିପକ୍ଷରେ ପ୍ରଥମ ଅର୍ଦ୍ଧଶତକ ଥିଲା। ଈଶାନଙ୍କ ପରେ କ୍ରିଜ୍‌କୁ ଆସିଥିଲେ ରବୀନ୍ଦ୍ର ଜାଡେଜା। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ୩୫ ରନର ଭାଗିଦାରୀ କରିଥିଲେ। ହାର୍ଦ୍ଦିକ ନିଜର ଶତକ ଆଡ଼କୁ ଯାଉଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଆଫ୍ରିଦି। ସେ ପ୍ରଥମ ବଲରେ ହିଁ ୮୭ ରନ କରିଥିବା ପାଣ୍ଡ୍ୟାଙ୍କୁ ଆଉଟ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ପାଣ୍ଡ୍ୟା ତାଙ୍କ ୮୭ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ସେହି ଓଭରରେ ରବୀନ୍ଦ୍ର ଜାଡେଜା(୧୪)ଙ୍କୁ ମଧ୍ୟ ଆଫ୍ରିଦି ଆଉଟ କରିଥିଲେ। ଏହାର ପରବର୍ତ୍ତୀ ଓଭର୍‌ର ପ୍ରଥମ ବଲରେ ନଶୀମ ଶାହ ମାତ୍ର ୩ ରନ କରିଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

୭ଟି ବଲରେ ୩ ୱିକେଟ ହରାଇ ଭାରତ ପୁଣି ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା। ଦଳର ରନ ସଂଗ୍ରହ ହାର କମି ଯାଇଥିଲା। ତେବେ ଶେଷ ଭାଗରେ ଯଶପ୍ରୀତ ବୁମରା କିଛି ଶଟ ମାରିବାରୁ ଦଳୀୟ ସ୍କୋର ୨୬୦ ପାର କରିଥିଲା।
ଶେଷରେ ସେ ବଡ଼ ଶଟ ଖେଳିବାକୁ ଯାଇ ନଶୀମ ଶାହଙ୍କ ବଲରେ ଆଉଟ ହୋଇଥିଲେ। ବୁମରା ୧୪ ବଲରେ ୧୬ ରନର ଇନିଂସ ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୁଲଦୀପ ଯାଦବ୪ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ୧ ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନସୀମ ଶାହ ଓ ହାରିସ ରାଉଫ୍ ୩ଟି ଲେଖାଏଁ ୱିକେଟ୍ ପାଇଥିଲେ ।