ଦିନିକିଆ ବିଶ୍ୱକପ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମହାମୁକାବିଲା ! | News Room Odisha

ଦିନିକିଆ ବିଶ୍ୱକପ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମହାମୁକାବିଲା !

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର ଉଦଘାଟନୀ ତଥା ଫାଇନାଲ୍ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏକ ରିପୋର୍ଟ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ସହ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ବିଶ୍ୱକପ୍ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ |

କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଭାରତ ପାଞ୍ଚ ଥର ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିପାରେ। ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବା ସମ୍ଭାବନା ରହିଛି । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୫ରେ ମୁହାଁମୁହିଁ ହୋଇପାରନ୍ତି । ବିଶ୍ବକପର ଏହି ପ୍ରତୀକ୍ଷିତ ତଥା ହାଇ ଭୋଲଟେଜ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ।

ଆଇପିଏଲ୍ ୨୦୨୩ ଶେଷ ହେବା ପରେ ବିସିସିଆଇ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କରିପାରେ । ଆୟୋଜକ ଭାବେ ବିସିସିଆଇ ହିଁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଉପରେ ମୋହର ଲଗାଇବ।

କ୍ରିକବଜ୍ ରିପୋର୍ଟ ମୁତାବକ ପାକିସ୍ତାନ ଦଳ ବିଶ୍ୱକପ ପାଇଁ ଭାରତ ଗସ୍ତ କରିବାକୁ ପ୍ରସ୍ତୁତ। ତେବେ ଏସିଆ କପ୍ ଆୟୋଜନକୁ ନେଇ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଭାରତ ବିପକ୍ଷ ମ୍ୟାଚକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର କିଛି ସର୍ତ୍ତ ରହିଛି । ବୋଧହୁଏ ସେଥିପାଇଁ ଗତ କିଛି ଦିନ ତଳେ ପିସିବି ଅଧ୍ୟକ୍ଷ ନଜମ ସେଠୀ ଦୁବାଇ ସ୍ଥିତ ଆଇସିସି କାର୍ଯ୍ୟାଳୟ ଯାଇଥିଲେ।

ପିସିବି ମୁଖ୍ୟ ପାକିସ୍ତାନ ମ୍ୟାଚ୍ ପାଇଁ ଭେନ୍ୟୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ହେଲେ ଯଦି ପାକିସ୍ତାନ ଦଳ ଫାଇନାଲରେ ପ୍ରବେଶ କରେ ତେବେ ଅହମ୍ମଦାବାଦରେ ଖେଳିବା ନିଶ୍ଚିତ। ସୂଚନା ଅନୁଯାୟୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ପାକିସ୍ତାନ ଏହାର ମ୍ୟାଚ୍ ଖେଳିବାକୁ ଚାହୁଁଛି।

ଅହମ୍ମଦାବାଦ ବ୍ୟତୀତ ଦକ୍ଷିଣ ଭାରତର ତିନୋଟି ଭେନ୍ୟୁ, କୋଲକାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଳା, ଗୁଆହାଟି, ରାଜକୋଟ, ରାୟପୁର ଏବଂ ମୁମ୍ବାଇର ତିନୋଟି ଭେନ୍ୟୁ ବିଶ୍ୱକପ ମ୍ୟାଚ୍ ଆୟୋଜନ କରିବ। ଏହି ତାଲିକାରେ ମୋହାଲି ଏବଂ ନାଗପୁର ସ୍ଥାନ ପାଇ ନାହାଁନ୍ତି। ସେମିଫାଇନାଲ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇପାରେ। ବିଶ୍ବକପରେ ପ୍ରତି ଟିମ୍ ୯ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବ । ଅର୍ଥାତ ପ୍ରାୟ ସବୁ ଭେନ୍ୟୁରେ ଭାରତୀୟ ଦଳ ଖେଳିପାରେ |

ବିଶ୍ୱକପରେ ୧୦ଟି ଦଳ ମଧ୍ୟରେ ୪୮ଟି ମ୍ୟାଚ୍ ଖେଳାଯିବ | ଏହି ମେଗା ଇଭେଣ୍ଟ ପାଇଁ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ନାମ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଛି।

ଶେଷ ଦୁଇଟି ସ୍ପଟ୍ ପାଇଁ ଏକ କ୍ବାଲିଫାଇଂ ଟୁର୍ଣ୍ଣାମେଣ୍ଟ ଜୁନ୍ ମାସରେ ଜିମ୍ବାୱେରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ସହିତ ନେଦରଲାଣ୍ଡ୍ସ, ଆୟର୍ଲାଣ୍ଡ, ନେପାଳ, ଓମାନ, ସ୍କଟଲ୍ୟାଣ୍ଡ, ୟୁଏଇ ଏବଂ ଆୟୋଜକ ଜିମ୍ବାୱେ ଅଂଶଗ୍ରହଣ କରିବେ।