ହର ଘର ତ୍ରିରଙ୍ଗା: ୧୦ ଦିନରେ କୋଟିଏରୁ ଅଧିକ ତ୍ରିରଙ୍ଗା ବିକ୍ରି କଲାଣି ଡ଼ାକ ବିଭାଗ | News Room Odisha

ହର ଘର ତ୍ରିରଙ୍ଗା: ୧୦ ଦିନରେ କୋଟିଏରୁ ଅଧିକ ତ୍ରିରଙ୍ଗା ବିକ୍ରି କଲାଣି ଡ଼ାକ ବିଭାଗ

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ସରକାର ‘ଆଜାଦୀ କା ଅମୃତ ମହୋତ୍ସବ’ ଭାବେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଅପିଲ କରିଛନ୍ତି । ଏଥିପାଇଁ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଜାତୀୟ ପତାକାର ଚାହିଦା ବଢିବାରେ ଲାଗିଛି । ଡ଼ାକ ବିଭାଗ ୧୦ ଦିନ ମଧ୍ୟରେ ସାରା ଦେଶରେ ବ୍ୟାପିଥିବା ନିଜର ୧.୫ ଲକ୍ଷ ଡ଼ାକଘର ମାଧ୍ୟମରେ ଏକ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି। ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।

ତ୍ରିରଙ୍ଗା ପିଛା ୨୫ ଟଙ୍କା ମୂଲ୍ୟରେ ଡ଼ାକ ବିଭାଗ ଜାତୀୟ ପତାକା ବିକ୍ରି କରୁଛି। ୧.୫ ଲକ୍ଷ ଡାକଘରର ସର୍ବବ୍ୟାପୀ ନେଟୱାର୍କ ସହିତ ଡ଼ାକ ବିଭାଗ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ଭାରତୀୟ ଡ଼ାକ ବିଭାଗ ଦେଶର ସବୁ ଡାକଘର ତଥା ଅନଲାଇନ୍ ମାଧ୍ୟମରେ ୧୦ ଦିନ ମଧ୍ୟରେ ଏକ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି।

ବିବୃତ୍ତି ଅନୁଯାୟୀ ଡ଼ାକ ବିଭାଗ ଅନଲାଇନରେ ବିକ୍ରୟ ପାଇଁ ଦେଶର ଯେକୌଣସି ଠିକଣାରେ ଜାତୀୟ ପତାକା ନିଃଶୁଳ୍କ ବିତରଣର ସୁବିଧା ଯୋଗାଇ ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ନାଗରିକମାନେ ଇ-ପୋଷ୍ଟ ଅଫିସ୍ ସୁବିଧା ମାଧ୍ୟମରେ ୧.୭୫ ଲକ୍ଷରୁ ଅଧିକ ଜାତୀୟ ପତାକା କ୍ରୟ କରିଛନ୍ତି।