କାନାଡାର ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ, ଆପତ୍ତି ଜଣାଇଲେ ଭାରତ ସରକାର | News Room Odisha

କାନାଡାର ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ, ଆପତ୍ତି ଜଣାଇଲେ ଭାରତ ସରକାର

ଟରୋଣ୍ଟୋ: କାନାଡାର ଟରୋଣ୍ଟୋରେ ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯିବା ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଭାରତ ସରକାର ଆପତ୍ତି ଜଣାଇଛନ୍ତି । ଭାରତ ଏହାକୁ ନିନ୍ଦା କରିବା ସହ କାନାଡା କର୍ତ୍ତୃପକ୍ଷଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛି।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡ଼ିଓରେ ଟରୋଣ୍ଟୋର ଏହି ମନ୍ଦିର କାନ୍ଥରେ ”ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍, ଖଲିସ୍ତାନ ଜିନ୍ଦାବାଦ’ ଲେଖାଯାଇଥିବା ଦେଖିବାକୁ ମିଳୁଛି ।

କାନାଡାରେ ଅବସ୍ଥିତ ଭାରତୀୟ ହାଇ କମିଶନ ଟ୍ବିଟ୍ କରି କହିଛନ୍ତି, “ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିର କାନ୍ଥକୁ ଭାରତ ବିରୋଧୀ ସ୍ଲୋଗାନ ଦ୍ବାରା ବିକୃତ ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ । ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ କାନାଡା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ ।”

ଅପରପକ୍ଷରେ କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ ଏକ ଟ୍ୱିଟ୍‌ରେ ଏହି ଘଟଣା ପାଇଁ କାନାଡୀୟ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ଟରୋଣ୍ଟୋ ମନ୍ଦିରରେ ସ୍ଲୋଗାନକୁ ସମସ୍ତେ ନିନ୍ଦା କରିବା ଉଚିତ୍। ଏହା କେବଳ ଏକମାତ୍ର ଏଭଳି ଘଟଣା ନୁହେଁ। ସମ୍ପ୍ରତି କିଛି ସମୟ ଧରି ଘୃଣା ଅପରାଧ ମାଧ୍ୟମରେ ହିନ୍ଦୁ ମନ୍ଦିରଗୁଡିକ ଟାର୍ଗେଟ କରାଯାଇଛି। ଏହି ଘଟଣାକୁ ନେଇ କାନାଡାର ହିନ୍ଦୁମାନଙ୍କର ଚିନ୍ତା ଯଥାର୍ଥ ।

କାନାଡାର ସାଂସଦ ଟିମ୍ ଏସ୍ ଉପ୍ପଲ ଏକ ଟ୍ୱିଟରେ ଏହି ଘଟଣାରେ ସେ ଦୁଃଖିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ସେ ନିଜ ବନ୍ଧୁମାନଙ୍କୁ ଭେଟିବାକୁ ମନ୍ଦିର ଯିବେ।