ଲଗାତାର ଦ୍ୱିତୀୟ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ | News Room Odisha

ଲଗାତାର ଦ୍ୱିତୀୟ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ

ନୂଆଦିଲ୍ଲୀ: ଖ୍ରାଏଷ୍ଟଚର୍ଚ୍ଚ (ନ୍ୟୁଜିଲ୍ୟାଣ୍ଡ) ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ରୋମାଞ୍ଚକର ଦୁଇ ୱିକେଟ୍ ବିଜୟ ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ ପାଇଁ ସୋମବାର ଯୋଗ୍ୟତା ଅର୍ଜନ କରିଛି। ଜୁନ୍ ୭ରୁ ଓଭାଲରେ ଖେଳାଯିବାକୁ ଥିବା ଡବ୍ଲୁଟିସି ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ | ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଡବ୍ଲୁଟିସି ଫାଇନାଲରେ ପହଞ୍ଚିଛି | ଦଳ ଡବ୍ଲୁଟିସିର ଉଦଘାଟନୀ ସଂସ୍କରଣ (୨୦୨୧)ରେ ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଥିଲା କିନ୍ତୁ ନ୍ୟୁଜିଲ୍ୟାଣ୍ଡ ନିକଟରୁ ହାରିଯାଇଥିଲା |

ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ପାଇଁ ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିବା ଆବଶ୍ୟକ ଥିଲା । କିନ୍ତୁ ପ୍ରଥମ ଟେଷ୍ଟରେ ହାରିବା ପରେ ଶ୍ରୀଲଙ୍କାର ଆଶା ମଉଳି ଯାଇଛି । ଇନ୍ଦୋରରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତକୁ ୯ ୱିକେଟରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ଡବ୍ଲୁଟିସି ଫାଇନାଲରେ ପ୍ରବେଶ କରିଥିଲା । ଡବ୍ଲୁଟିସି ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ଅହମ୍ମଦାବାଦ ଟେଷ୍ଟରେ ବିଜୟ କିମ୍ବା ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟରେ ଏକ ଅନୁକୂଳ ଫଳାଫଳ ଦରକାର ଥିଲା।

ଖ୍ରାଏଷ୍ଟଚର୍ଚ୍ଚ ଟେଷ୍ଟର ଫଳାଫଳ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ସମୀକରଣକୁ ଗୌଣ କରିଦେଇଛି | ଅଷ୍ଟ୍ରେଲିଆ ୬୮.୫୨ ପ୍ରତିଶତ ପଏଣ୍ଟ (ପିଟିସି) ସହିତ ଅହମ୍ମଦାବାଦ ଟେଷ୍ଟ ପୂର୍ବରୁ ଡବ୍ଲୁଟିସି ଫାଇନାଲ ଟେବୁଲରେ ଶୀର୍ଷରେ ରହିଛି | ଖ୍ରାଏଷ୍ଟଚର୍ଚ୍ଚ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କାର ୫୩.୩୩ ପଏଣ୍ଟ ପ୍ରତିଶତ ରହିଥିଲା। ଯଦି ନ୍ୟୁଜିଲାଣ୍ଡ ଗସ୍ତରେ ଦଳ ଉଭୟ ମ୍ୟାଚ୍ ଜିତିଥାନ୍ତା, ତେବେ ଏହାର ପ୍ରତିଶତ ୬୧.୧୧ କୁ ଯାଇଥାନ୍ତା ଏବଂ ଯଦି ଅହମ୍ମଦାବାଦ ଟେଷ୍ଟ ଡ୍ର ହୋଇଥାନ୍ତା ତେବେ ସିଂହଳୀ ଦଳ ଯୋଗ୍ୟତା ହାସଲ କରିଥାନ୍ତା।

ଯଦି ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ଡ୍ର ହୁଏ ତେବେ ଭାରତର ପିଟିସି ୬୦.୨୯ ପଏଣ୍ଟ ହେବ। କିନ୍ତୁ ପୂର୍ବତନ ଅଧିନାୟକ କେନ୍ ୱିଲିୟମସନ ଅପରାଜିତ ୧୨୧ ରନର ଚମତ୍କାର ଇନିଂସ୍ ସ‌ହ ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ରୋମାଞ୍ଚକର ବିଜୟ ନିଶ୍ଚିତ କରିବା ସହିତ ଭାରତର ଡବ୍ଲୁଟିସି ଫାଇନାଲ୍ ପଥ ଖୋଲି ଦେଇଥିଲେ |