ଉପରାଷ୍ଟ୍ରପତିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚୀନ୍‌ର ଆପତ୍ତିକୁ ପ୍ରତ୍ୟାଖ୍ୟାନ କଲା ଭାରତ | News Room Odisha

ଉପରାଷ୍ଟ୍ରପତିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚୀନ୍‌ର ଆପତ୍ତିକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟୁଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚୀନ୍‌ର ଆପତ୍ତିର କଡ଼ା ଜବାବ ଦେଇଛି ଭାରତ । ଭାରତ କହିଛି ଯେ ଅରୁଣାଚଳ ପ୍ରଦେଶ ଆମର ଅବିଚ୍ଛେଦ୍ୟ ଅଙ୍ଗ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତର ଅନ୍ୟ କୌଣସି ରାଜ୍ୟ ଭଳି ଭାରତୀୟ ନେତା ଅରୁଣାଚଳ ପ୍ରଦେଶକୁ ମଧ୍ୟ ନିୟମିତ ଗସ୍ତରେ ଯାଆନ୍ତି । ଏହାକୁ ବିରୋଧ କରିବାର କୌଣସି କାରଣ ଆମେ ବୁଝିପାରୁ ନାହୁଁ। ବାଗଚି କହିଛନ୍ତି ଯେ ଆମେ ଆଜି ଚୀନ୍‌ର ସରକାରୀ ମୁଖପାତ୍ରଙ୍କ ମନ୍ତବ୍ୟ ଦେଖିଛୁ। ଆମେ ଏହିପରି ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରୁଛୁ | ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଏକ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ। ବାଗଚି କହିଛନ୍ତି, “ଭାରତୀୟ ନେତାମାନେ ନିୟମିତ ଭାବରେ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଉଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାୟୁଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚୀନ୍ ଗଣମାଧ୍ୟମ ଦ୍ବାରା ପଚରାଯାଇଥିବା ପ୍ରଶ୍ନ ଉପରେ କହିଥିଲେ ଯେ ଚୀନ୍ ଅରୁଣାଚଳ ପ୍ରଦେଶକୁ ଭାରତର ରାଜ୍ୟ ଭାବେ ସ୍ୱୀକୃତି ଦେଇ ନାହିଁ। ସୀମା ପ୍ରସଙ୍ଗରେ ଚୀନ୍‌ର ଆଭିମୁଖ୍ୟ ଦୃଢ଼ ଏବଂ ସ୍ପଷ୍ଟ । ଚୀନ୍ ସରକାର ଏକତରଫା ତଥା ବେଆଇନ ଭାବେ ଭାରତ ଦ୍ୱାରା ସ୍ଥାପିତ ତଥାକଥିତ ଅରୁଣାଚଳ ପ୍ରଦେଶ ରାଜ୍ୟକୁ ମାନ୍ୟତା ଦେଇ ନାହାଁନ୍ତି ଏବଂ ଭାରତୀୟ ନେତାଙ୍କ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତକୁ ଆମେ ଦୃଢ଼ ବିରୋଧ କରୁଛୁ।