ଭାରତରେ ପାକିସ୍ତାନୀ ଫିଲ୍ମ 'ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍'ର ରିଲିଜ୍ ସ୍ଥଗିତ | News Room Odisha

ଭାରତରେ ପାକିସ୍ତାନୀ ଫିଲ୍ମ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ର ରିଲିଜ୍ ସ୍ଥଗିତ

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ ବ୍ଲକବଷ୍ଟର ଫିଲ୍ମ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ର ସ୍କ୍ରିନିଂ ବାତିଲ କରି ଦିଆଯାଇଛି । ପାକିସ୍ତାନର ଏହି ଆକ୍ସନ୍ ଫିଲ୍ମ ୩୦ ଡିସେମ୍ବରରେ ଦିଲ୍ଲୀ ଏବଂ ପଞ୍ଜାବର ହଲ୍ ଗୁଡ଼ିକରେ ରିଲିଜ୍ ହେବାର ଥିଲା ।

ଫିଲ୍ମର ସ୍କ୍ରିନିଂ ବାତିଲ କରିବା ନେଇ କୌଣସି କାରଣ ଦିଆଯାଇ ନାହିଁ।

ସୂଚନା ମୁତାବକ, ଭାରତର ମଲ୍ଟିପ୍ଲେକ୍ସ ସିନେମା ଗ୍ରୁପ୍ ପିଭିଆର୍ ଏବଂ ଆଇନକ୍ସର ଜଣେ କର୍ମଚାରୀଙ୍କୁ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ର ସ୍କ୍ରିନିଂ ବାତିଲ କାରଣ ପଚରାଯିବାରେ ସେ କହିଛନ୍ତି, ଫିଲ୍ମର ଡିଷ୍ଟ୍ରିବ୍ୟୁଟର୍ ଆମକୁ ଏହି ଫିଲ୍ମର ରିଲିଜ୍ ସ୍ଥଗିତ ରଖିବାକୁ କହିଛନ୍ତି । ଏଥିପାଇଁ କୌଣସି କାରଣ ଦିଆଯାଇ ନାହିଁ କିମ୍ବା ରିଲିଜ୍ ପାଇଁ ଆଉ କୌଣସି ନୂଆ ତାରିଖ ଦିଆଯାଇ ନାହିଁ।

ଡିସେମ୍ବର ୨୬ରେ ଆଇନକ୍ସ ସିନେମା ଗ୍ରୁପର ମୁଖ୍ୟ ପ୍ରୋଗ୍ରାମିଂ ଅଫିସର ରାଜେନ୍ଦ୍ର ସିଂ ଜୟଲା କହିଥିଲେ ଯେ ଯେଉଁଠି ଅଧିକ ପଞ୍ଜାବୀ ଭାଷାଭାଷୀ ଲୋକ ଅଛନ୍ତି ସେଠାରେ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ ସିନେମା ପ୍ରଦର୍ଶିତ ହେବ ।

ତାଙ୍କ ଘୋଷଣା ପରେ ଭାରତରେ ଏହି ଚଳଚ୍ଚିତ୍ରର ରିଲିଜକୁ ଲୋକେ ଅପେକ୍ଷା କରି ରହିଥିଲେ । ଏହି ଚଳଚ୍ଚିତ୍ରର ପ୍ରମୋସନ ପୋଷ୍ଟର ମଧ୍ୟ ‘ବୁକ୍ ମାଇ ସୋ’ ଭଳି ପ୍ଲାଟଫର୍ମରେ ଦେଖାଦେଇଥିଲା |

ଏହି ସପ୍ତାହ ପୂର୍ବରୁ ପିଭିଆର୍ ସିନେମା ଗ୍ରୁପ୍ ଏହାର ଇନଷ୍ଟାଗ୍ରାମ ପେଜରେ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ର ରିଲିଜ୍ ତାରିଖ ସେୟାର କରିଥିଲା, କିନ୍ତୁ ଏହି ପୋଷ୍ଟଟି ଦୁଇ ଦିନ ପରେ ହଟାଇ ଦିଆଯାଇଥିଲା |

ଅନ୍ୟ କେତେକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ସେନ୍ସର ବୋର୍ଡ ଏହି ପାକିସ୍ତାନୀ ଫିଲ୍ମର ସ୍କ୍ରିନିଂ ପାଇଁ ଅନୁମତି ପ୍ରତ୍ୟାହାର କରି ନେଇଛି। କିନ୍ତୁ ବୋର୍ଡ ତରଫରୁ ଏ ବିଷୟରେ କିଛି କୁହାଯାଇ ନାହିଁ କି ବୋର୍ଡର ୱେବସାଇଟରେ ଏ ବିଷୟରେ କୌଣସି ଉଲ୍ଲେଖ କରାଯାଇ ନାହିଁ |

ସାଧାରଣତଃ ସେନ୍ସର ବୋର୍ଡରୁ ଅନୁମତି ମିଳିବା ପରେ ହିଁ ସିନେମା ହଲରେ ଫିଲ୍ମର ସ୍କ୍ରିନିଂ ହୋଇଥାଏ | ଫିଲ୍ମର ତାରିଖ ଘୋଷଣା କରିବା ପରେ ଡିଷ୍ଟ୍ରିବ୍ୟୁଟର୍ ହଠାତ୍ ଏହାର ରିଲିଜ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ନଥାନ୍ତେ।

ଯଦି ଭାରତର ସିନେମା ହଲ ଗୁଡିକରେ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ ରିଲିଜ୍ ହୋଇଥାନ୍ତା, ତେବେ ୨୦୧୧ ମସିହାରେ ‘ବୋଲ୍’ ପରେ ଏହା ଭାରତରେ ରିଲିଜ୍ ହେବାରେ ପ୍ରଥମ ପାକିସ୍ତାନୀ ଫିଲ୍ମ ହୋଇଥାନ୍ତା।

ଭାରତରେ ‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ର ଡିଷ୍ଟ୍ରିବ୍ୟୁସନ ରାଇଟସ୍ ‘ଜି ଷ୍ଟୁଡିଓ’ ପାଖରେ ରହିଛି। ତେବେ ଫିଲ୍ମର ସ୍କ୍ରିନିଂ କାହିଁକି ବାତିଲ କରାଗଲା ସେନେଇ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ ।

‘ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍’ର ଲିଡ୍ ଷ୍ଟାର ଫୱାଦ ଖାନ୍ ଓ ଅଭିନେତ୍ରୀ ମାହିରା ଖାନ୍ ପୂର୍ବରୁ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ମାହିରା ୨୦୧୭ରେ ଶାହରୁଖ ଖାନଙ୍କ ଫିଲ୍ମ ‘ରୟୀସ୍’ରେ କାମ କରିଥିଲେ।

ଫୱାଦ ମଧ୍ୟ ଅନେକ ବଲିଉଡ ହିଟ୍ ଫିଲ୍ମରେ କାମ କରିଛନ୍ତି। ତେବେ ୨୦୧୬ରେ ଉରିରେ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ‘ଇଣ୍ଡିଆନ୍ ମୋସନ୍ ପିକ୍ଚର୍ସ ଆସୋସିଏସନ’ ଭାରତୀୟ ଚଳଚ୍ଚିତ୍ରରେ ପାକିସ୍ତାନୀ କଳାକାର ମାନଙ୍କୁ ବ୍ୟାନ୍ କରିଥିଲା ।